ଅପହରଣର ୫ ଦିନପରେ ନଦୀରୁ ବସ୍ତାରେ ବନ୍ଧା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର, ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ମୃତକ ପରିବାର ଲୋକେ।

395

କଟକ(ଉତ୍କଳ ନିଉଜ )୦୩/୦୬/୨୦୨୨ : ଅପହରଣର ୫ ଦିନ ପରେ ନଦୀରୁ ବସ୍ତାରେ ବନ୍ଧା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର । ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ମୃତକ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଶ୍ୟାମସୁନ୍ଦପୁର ପଞ୍ଚାୟତ ଅଧିନ ଉପରଦୁମୁକା ଗାଁରେ । ଏହି ଗାଁର ଧରଣୀଧର କୁଅଁର ନାମକ ଜଣେ ବୃଦ୍ଧଙ୍କୁ ଅପରହରଣ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଧରଣୀଧରଙ୍କର କୋଲକାତାରେ ଏକ ରନିଂ ଦୋକାନ ରହିଛି । ଗତ ୬ ମାସ ହେବ ଧୁଷୁରୀ ଥାନା ଭଣ୍ଡାରୀପଡା ଗାଁର ପପୁ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଲିଜ୍ ସୂତ୍ରରେ ଦେଇଛନ୍ତି । ତେବେ ଭଡା ମିଳିନଥିବା ନେଇ ଉଭୟଙ୍କ ସହିତ ଆଲୋଚନା ହୋଇଥିଲା । ଗତ ୨୮ ତାରିଖ ସଂଧ୍ୟାରେ ପପୁ ପଣ୍ଡା ଉପରଦୁମୁକା ଗାଁକୁ ଆସି ଭଡା ଦେବା କଥା କହି ଧରଣୀଧରଙ୍କୁ ତାଙ୍କ ନିଜ ଘରକୁ ବାଇକ୍ ଯୋଗେ ନେଇ ଯାଇଥିଲା । ରାତି ପର୍ଯ୍ୟନ୍ତ ଧରଣୀଧର ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଯାଇଥିଲେ । ପପୁକୁ ଫୋନ୍ ଯୋଗ ପଚାରିବାରୁ ସେ ଧରଣୀଧରଙ୍କୁ ୨୦ ହଜାର ଟଙ୍କା ଦେଇ ବେତାଳିଗାଁ ଛକରେ ରାତି ପ୍ରାୟ ୮ ଘଟିକାରେ ଛାଡି ଦେଇଥିବା କହିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଧରଣୀଧରଙ୍କର କୌଣସି ସନ୍ଧାନ ପାଇନଥିଲେ । ପରେ ୩୦ ତାରିଖରେ ପୂନଶ୍ଚ ପପୁଙ୍କ ସହିତ ଧରଣୀଧରଙ୍କ ପୁଅ ପ୍ରଦୀପ ଯୋଗାଯୋଗ କରିବା ସହିତ ଭଦ୍ରକ ବନ୍ତ ଛକରେ ଭେଟ ମଧ୍ୟ ହୋଇଥିଲା ।

ମାତ୍ର ପପୁ ବିଭିନ୍ନ ଆଳ ଦେଖେଇ କୁଆଡେ ଉଭାନ୍ ହୋଇଯାଇଥିଲା । ଯାହାକୁ ନେଇ ସନ୍ଦେହ ପ୍ରକଟ ହୋଇଥିଲା । ଗତ ୩୧ ତାରିଖରେ ଉଭୟ ପୀରାହାଟ ଓ ଧୁଷୁରୀ ଥାନାରେ ଧରଣୀଧରକୁ ପପୁ ଅପହରଣ କରିଥିବା ନେଇ ତାଙ୍କ ପୁଅ ଏତଲା ଦେଇଥିଲେ । ତେବେ ଧରଣୀଧରଙ୍କ କୌଣସି ପତ୍ତା ମିଳିନଥିବା ବେଳେ ୨ ତାରିଖରେ ତାଙ୍କର ଗଳିତ ଶବ ଉଦ୍ଧାର ହୋଇଛି । ବସ୍ତାରେ ବନ୍ଧା ହୋଇଥିବା ତାଙ୍କ ଶବ ଧୁଷୁରୀ ଥାନାଧିନ ପଙ୍ଗଟା ନିକଟସ୍ଥ କୁଚିଳା ନଦୀରୁ ଉଦ୍ଧାର ହୋଇଛି। ତେବେ ଧରଣୀଧରଙ୍କ ଅପହରଣ କରିବା ପରେ ହତ୍ୟା କରାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ବସ୍ତା ବାନ୍ଧି ନଦୀକୁ ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହେବା ସହିତ ଏକ ସ୍ତରୀୟ ତଦନ୍ତ ଦାବି କରାଯାଇଛି । ବସ୍ତା ବନ୍ଧା ହୋଇଥିବା ଶବକୁ ମାଜି ଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରାଯିବା ପରେ ବ୍ୟବଚ୍ଛେଦ କରାଯାଇଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ପୀରହାଟ ପୋଲିସ ଅପହରଣକାରୀଙ୍କ ୨ଜଣ ସମ୍ପର୍କୀୟଙ୍କୁ ଅଟକ ରଖି ପଚରା ଉଚୁରା ଚଳାଉଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |