ପୀରହାଟରୁ ୩ ଚୋରା ମଦ ବେପାରୀ ଗିରଫ୍‌ |

547

କଟକ(ଉତ୍କଳ ନିଉଜ)୧୨/୦୫/୨୦୨୨ : ଭଦ୍ରକ ଜିଲ୍ଲା ପୀରହାଟରୁ ୩ ଚୋରା ମଦ ବେପାରୀ ଗିରଫ୍ ହୋଇଥିବା ସୂଚନା ମିଳିଛି । ତେବେ ବାରମ୍ବାର ଏପରି ଗିରଫ୍ କରାଯାଉଥିଲେ ମଧ୍ୟ ଏହାର କୌଣସି ଫରକ୍ ପଡୁନଥିବା ବେଶ ବାରି ହୋଇଛି । ୨୦୧୯ ମସିହାରେ ଏହି ଅଞ୍ଚଳରେ ମଦ ମୃତ୍ୟୁ ଲୋକଙ୍କ ମନରୁ ନଲିଭିଥିବା ବେଳେ ଚୋରା ମଦ କାରବାରକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଅନ୍ୟପ୍ଣଙ୍କ ଏଠାରେ ସରକାରୀ ମଦ ଦୋକାନ ବନ୍ଦ ଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଚୋରା ବେପାରୀ । ବିଭିନ୍ନ ଢାଞ୍ଚାରେ ଏହି ଚୋରା ମଦ ବେପାରୀ ବେପାରର ପସରା ମେଲାଇଛନ୍ତି । ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଚୋରା ମଦ ବେପାରୀ ଗାଁ ଗଣ୍ଡାରେ ମଦ ମହଜୁଦ୍ କରି ପରିବା ଝୁଲାରେ କିଛି ମଦ ବୋତଲ ରଖି ମଦ୍ୟପଙ୍କୁ ସନ୍ତୁଷ୍ଟ କରିଥାନ୍ତି । ଚିହ୍ନ ଲୋକଙ୍କୁ ବାଦ୍ ଦେଲେ ଅଚିହ୍ନ ଅଥବା ସନ୍ଦେହ କରୁଥିବା ଲୋକଙ୍କୁ ଭିନ୍ନ ପ୍ରକାରରେ ମଦ ବିକ୍ରି କରିଥାନ୍ତି । ଚଢା ଦରରେ ବିକ୍ରି କରୁଥିଲେ ମଧ୍ୟ ସେମାନଙ୍କୁ ମଦ୍ୟପମାନେ କୌଣସି ଯୁ୍‌କ୍ତି କରିନଥାନ୍ତି । ନିକଟରେ ଦୌଲତପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟାଙ୍କ ସମେତ ମହିଳା ମହାସଂଘ ଓ ପଞ୍ଚାୟତବାସୀଙ୍କ ପକ୍ଷରୁ ପୀରହାଟରେ ସରକାରୀ ମଦ ଦୋକାନ ଖୋଲାନଯିବା ଏବଂ ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଣ କରିଥିଲେ । ଏବଂ ଏକ ସମ୍ବାଦଦାତା ସମ୍ମିଳନୀ ଜରିଆରେ ଚେଲେଞ୍ଚ ମଧ୍ୟ କରିଥିଲେ । ପ୍ରଶାସନିକ ପଦକ୍ଷେପ ନିଆନଗଲେ ଆଇନକୁ ହାତକୁ ନିଆଯିବ ବୋଲି ମଧ୍ୟ ଚେତାବନି ଦେଇଥିଲେ । ଏପରିକି ବୁଧବାର ଜିଲ୍ଲାପାଳଙ୍କୁ ଭେଟି ଏକ ଚରମ ଦାବି ପତ୍ର ପ୍ରଦାନ କରିଥିଲେ । ଯାହାକୁ ନେଇ ଚିଇଁକି ଉଠିଥିଲା ଜିଲ୍ଲା ଅବକାରୀ ବିଭାଗ ।

ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ସନ୍ଧ୍ୟାରାଣୀ ଦାସ ଓ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବୁଧବାର ସଂଧ୍ୟାରେ ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ପୀରହାଟ ଅଞ୍ଚଳରେ ଚଢ଼ାଉ କରି ୩ ମଦ ବେପାରୀଙ୍କୁ ଗିରଫ କରିଛନ୍ତି । ପୀରହାଟ ବଜାରରେ ଚଢ଼ାଉ କରି ଦୌଲତପୁର ଗ୍ରାମର ଅଭୟ ବାରିକ, ହାଟପଟିରେ ଚଢ଼ାଉ କରି ମାଲପୁର ଗ୍ରାମର କେଦାର କୁମାର ସାହୁ ଓ ମାଲପୁର ଗ୍ରାମରେ ଚଢ଼ାଉ କରି ଶରତ କୁମାର ସାହୁଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୬ ଲିଟର ବିଦେଶୀ ଚୋରା ମଦ ଜବତ କରିଛନ୍ତି । ଏ ସମ୍ପର୍କରେ ପୃଥକ ଭାବେ ୩୧୫, ୩୧୬ ଓ ୩୧୭/୨୨ରେ ମକଦ୍ଦମା ରୁଜୁ କରାଯାଇଛି । ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ମୂରଲୀ ପ୍ରଧାନ ଓ କନେଷ୍ଟବଳ ପ୍ରଦୀପ ମଲିକଙ୍କ ସହିତ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |