ଚାରିବୃତ୍ତିରେ ଜମି ଭାଗବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ୯ ଆହତ |

270

କଟକ(ଉତ୍କଳ ନିଉଜ)୩୦/୦୪/୨୦୨୨ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନା ବାରସର ପଞ୍ଚାୟତ ଅଧୀନ ଚାରିବୃତ୍ତି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ ଉପୁଜିଛି । ଏହି ସଂଘର୍ଷରେ ଉଭୟ ପକ୍ଷରୁ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିହିଡି ମେଡିକାଲରେ ଭର୍ତ୍ତୀ ହୋଇ ଚିକିତ୍ସାଧିନ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକେ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୋଟିଏ ପରିବାରର ଗଙ୍ଗଧର ପରିଡ଼ା, ପ୍ରଦୀପ ପରିଡ଼ା, ପରମେଶ୍ୱର ପରିଡ଼ା, ଗର୍ଭବତୀ ମହିଳା ସୁକାନ୍ତୀ ପରିଡ଼ା, ରଶ୍ମିତା ପରିଡ଼ା ଓ କବିତା ପରିଡ଼ା ହୋଇଥିବା ବେଳେ ଅନ୍ୟ ପରିବାରର ବଳରାମ ପରିଡ଼ା ଓ ଗୟାଧର ପରିଡ଼ା ବୋଲି ଜଣାଯାଇଛି । ଅଭିଯୋଗ ମୁତାବକ ଅମର ପରିଡାଙ୍କ ସହିତ ଅନ୍ୟ ପରିବାର ସହିତ ବିବାଦ ଲାଗି ରହିଥିଲା ।

ଗତ ୨୫ ତାରିଖରେ ଏହି ଜାଗାବାଡିକୁ କେନ୍ଦ୍ରକରି ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ପରେ ଭଦ୍ରବ୍ୟକ୍ତି ମାଧ୍ୟମରେ ଏହାର ସାମୟିକ ସମାଧାନ ମଧ୍ୟ ହୋଇଥିଲା । ମାତ୍ର ୨୯ ତାରିଖରେ ଉକ୍ତ ଜାଗାରେ ବଳ ପୂର୍ବକ ଘର ନିର୍ମାଣ କରିବାକୁ ନେଇ ବିବାଦ ହୋଇଥିଲା ଏବଂ ଅମର ପରିଡା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅନ୍ୟ ପରିବାର ଲୋକମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜମି ଭାଗବଣ୍ଟାକୁ ନେଇ ଗୋଟିଏ ପରିବାର ଭଦ୍ରବ୍ୟକ୍ତି ଓ ପୁଲିସ କଥାକୁ ଅଗ୍ରାହ୍ୟ କରିଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଏ ସମ୍ପର୍କରେ ପୀରହାଟ ଥାନାରେ ଉଭୟ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |