ଥମ୍ମୁନି ଚୋରା କୋଇଲା ଚାଲାଣ, ଗାଁ ଗଣ୍ଡାରେ ବଢୁଛି ଅପରାଧ।

535

କଟକ( ଉତ୍କଳ ନିଉଜ)୦୫/୦୪/୨୦୨୨ :ଥମ୍ମୁନି ଚୋରା କୋଇଲା ଚାଲାଣ, ଗାଁ ଗଣ୍ଡାରେ ବଢୁଛି ଅପରାଧ । ଦୈନିକ ଏଭଳି ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ । ଧାମରା ବନ୍ଦର ଆଦାନୀ କମ୍ପାନୀ ପକ୍ଷରୁ ରେଳଯୋଗେ ହେଉଥିବା କୋଇଲା ପରିବହନ ସମୟରେ ଏପରି କୋଇଲା ଚୋରୀ କରାଯାଉଛି ଏବଂ ଏହାକୁ ମାଫିଆମାନେ ଚଢା ଦରରେ ବାହାରକୁ ଚାଲାଣ କରୁଛନ୍ତି । ପୋଲିସ ଆଖିରେ ଆଙ୍ଗୁଳି ଖେଞ୍ôଚ କେବଳ ଯେ ରାତିରେ ତାହାନୁହେଁ ବରଂ ଦିନ୍ ଦହାଡେ ଏପରି ଚୋରା ଚାଲାଣ କରାଯାଉଛି । କେତେକ ସ୍ଥଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କାଁଭାଁ ଧରାଯାଉଛନ୍ତି ହେଲେ ଶହ ଶହ ଟ୍ରିପ୍ ଏହି ଚୋରା କୋଇଲା ଚାଲାଣ କରାଯାଉଛି । ଚଳନ୍ତା ରେଳରୁ ନିଜ ଜୀବନକୁ ବାଜି ଲଗେଇ ରାତିକୁ ହାତିଏ ରୋଜଗାର କରିବାର ଲକ୍ଷ୍ୟନେଇ ଗାଁ ଗଣ୍ଡାର ଯୁବ ପୀଢି ହେଉ ଅଥବା ଅର୍ଦ୍ଧ ବେକାରୀ ଏବଂ ପେଷାଦାର ଚୋରମାନେ କୋଇଲା କାଢୁଛନ୍ତି । ଏବଂ ଶାଗମାଛ ଦରରେ ମାଫିଆମାନଙ୍କୁ ବିକ୍ରି କରୁଛନ୍ତି । ସେହି ମାଫିଆମାନେ ଚଢା ଦରରେ ବାହାରକୁ ଚାଲାଣ କରୁଛନ୍ତି । ଏକ ବଡ ନେଟୱାର୍କ ପରି ଏହି ଚୋରା କୋଇଲା କାରବାର ଚାଲୁଛି ଯାହା ଫଳରେ ଗାଁ ଗଣ୍ଡାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ବନ୍ଦର କମ୍ପାନୀ ରେଳରେ ଓଭରଲୋଡିଂ କୋଇଲା ପରିବହନ କରୁଥିବାରୁ ଏପରି ଚଳନ୍ତା ରେଳରୁ କୋଇଲା ଚୋରୀ ହେଉଛି ଯାହାକୁ ରୋକାଗଲେ ଏହି ଅପରାଧ ବନ୍ଦ ହୋଇପାରନ୍ତା ବୋଲି ଦାବି କରାଯାଉଛି । ବେଆଇନ୍ ଖୋଲା ଇଟାଭାଟି ଠାରୁ ଆରମ୍ଭ କରି ଜଳଖିଆ ଦୋକାନ, ହୋଟେଲ, ପାଉଁରୁଟି ଫେକ୍ଟେରୀ ଏପରି ଘରୋଇ ରୋଷେଇରେ ଏହି ଚୋରା କୋଇଲା ବ୍ୟବହାର କରାଯାଉଛି । କୁହାଯାଏ ଏହି କୋଇଲା କୁଆଡେ ହାର୍ଡକୋକ୍ । ଯାହା ଅଷ୍ଟ୍ରେଲିଆରୁ ଏହି ଧାମରା ବନ୍ଦର କମ୍ପାନୀ ଆମଦାନୀ କରି ବିଭିନ୍ନ କମ୍ପାନୀକୁ ଯୋଗାଣ କରୁଛି । ବାଟରେ ଏହାକୁ ଚୋରୀ କରାଯାଉଛି । ଯାହାକୁ ରୋକିବା ଲାଗି ବନ୍ଦର କମ୍ପାନୀ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ମଧ୍ୟ ବାରି ହେଉଛି । ଏହି ଚୋରା କୋଇଲା ଚାଲାଣ ପଛରେ ପଡି ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ନିୟୋଜିତ ପୋଲିସ କର୍ମଚାରୀ ଅଧିକ ସମୟ ଦେଉଛି ହେଲେ ତାହା ରୋକିବାରେ ନାଁ ଧରୁନି । ବ୍ୟବସ୍ଥାରେ କେଉଁଠି ନା କେଉଁଠି ତୃଟି ରହୁଛି ଏବଂ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଲେ ଚୋରୀ ଘଟଣାକୁ କେନ୍ଦ୍ରକରି ଗାଁ ଗଣ୍ଡାରୁ ଘଟୁଥିବା ଏପରି ଅପରାଧ ବନ୍ଦ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି । ଗତକାଲି ତିହିଡି ପୋଲିସ ପେଟ୍ରୋଲିଂ ସମୟରେ ମଙ୍ଗଳପୁର ରେଳ କରିଡରରୁ କମାରିଆ ବଜାର ଦେଇ ଯାଜପୁର ଯାଉଥିବା ଏକ ଚୋରା କୋଇଲା ବୋଝେଇକୁ ଠାବ୍ କରା ଯାଇଥିଲା । ସେଥିରେ ୪୦ ବସ୍ତା ଚୋରା କୋଇଲା ଲୋଡ୍ ମଧ୍ୟ ଥିଲା । ପୋଲିସ ଏହି ଗାଡି ଓ କୋଇଲାକୁ ଜବତ୍ କରିବା ସହିତ ଚାଳକକୁ ଗିରଫ୍ କରିଛି । ଏନେଇ ଥାନାରେ ଏକ ମାମଲା ୧୬୫/୨୨, ଦଫା ୩୭୯, ୪୧୧ ଓ ୩୪ ଆଇପିସି ରୁଜୁ କରାଯାଇ ଯାଜପୁର ଟାଉନ୍ ଥାନାଧିନ ଇନ୍ଦସ ଗାଁର ଭାଗିରଥି ଜେନାକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |