ମାନସ ହତ୍ୟାକାଣ୍ଡର ଖୋଲୁଛି ଗୁମର, ଶର୍ମିଷ୍ଠା-ରୂପ ଲାବଣ୍ୟରେ ଗଢିଥିଲା ଲୀଳାଖେଳା ସାମ୍ରାଜ୍ୟ |

553

କଟକ(ଉତ୍କଳ ନିଉଜ)୦୧/୦୪/୨୦୨୨ : ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁଙ୍କ ଅପହରଣ ଓ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆଜିଥିଲା କ୍ରାଇମ୍ ସିନ୍ ରିକ୍ରିଏସନ୍ । ଅର୍ଥାତ୍ ଏହି ଘଟଣା ସହ ଜଡିତ ସମସ୍ତ ଅଭିଯୁକ୍ତ, ଘଟଣା ଘଟିଥିବା ସ୍ଥାନ ଓ ଘଟଣାର ରୂପ କେମିତି ଥିଲା ତାକୁ ଏକ ଅଭିନୟ ମାଧ୍ୟମରେ ତଦନ୍ତକାରୀ ଅଧିକାରୀଙ୍କ ଅବଗତ କରାଇବା । ଶୁକ୍ରବାର ପୂର୍ବାହ୍ନରେ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଧିନ ପଳାସପୁର ଗାଁକୁ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଶର୍ମିଷ୍ଠାକୁ ଧରି ଆସିଥିଲା । ଶହଶହ ଗ୍ରାମବାସୀଙ୍କ ଗହଣରେ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଶର୍ମିଷ୍ଠାକୁ ଉକ୍ତ ସ୍ଥାନକୁ ନିଆ ଯାଇଥିଲା । ସେଠାରେ ସେ କେମିତି ମାନସକୁ ଅପହରଣ କରିଥିଲା ତାହାର ଡେମୋ ଦେଖେଇ ଥିଲା । ସେଠାରୁ ସିଧାସଳଖ ଯାଇଥିଲେ ଭୁବନେଶ୍ୱର ସେହି ଚର୍ଚ୍ଚିତ ଦୟାଲ ଆଶ୍ରମ ଏବଂ ପରେ ନୟାଗଡରେ ଶବ ପୋତାଯାଇଥିବା ସ୍ଥାନକୁ । ତେବେ ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଞ୍ଚକୁ ଯଦି ସମ୍ପୂର୍ଣ୍ଣ ତଥ୍ୟ ନମିଳେ ତାହାହେଲେ ଏହାର ଅବଧି ବଢାଇବା ପାଇଁ କୋର୍ଟରେ ଆବେଦନ କରାଯିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । କେବଳ ଯେ ଶର୍ମିଷ୍ଠା ତଦନ୍ତରେ ଅଛନ୍ତି ତାହାନୁହେଁ ବରଂ ପୂର୍ବତନ ପ୍ରଶାସନିକି ଅଧିକାରୀ ନିରଞ୍ଜନ ସେଠୀ, ରାଜ କମୁନିକେସନର ମାଲିକ ରଞ୍ଜନ ନାୟକ ଓ ଶର୍ମିଷ୍ଠାଙ୍କ ସହଯୋଗି ଝୁନା ଭୋଇ ।

ବିଗତ ୪ ଦିନ ହେଲେ ତଦନ୍ତରେ ଚାଲିଛି ପୋଷ୍ଟ ମର୍ଟମ । ତେବେ ଜଣେ ସାମାନ୍ୟ ମହିଳା ଏପରି ଏକ ଜଘନ୍ୟ କାଣ୍ଡ ଘଟାଇବେ ଏକଥା ପୂର୍ବରୁ କେହି କେବେ କଳ୍ପନା କରିନଥିଲେ । ନିଜର ରୂପ ଲାବଣ୍ୟ ଓ ଯୌବନର ଉନ୍ମାଦନାକୁ ମୋହରା କରି ସେ ଏପରି ଏକ ଲୀଳାଖେଳା ସାମ୍ରାନ୍ୟ ଗଠନ କରିଥିଲେ ଯେଉଁଥିରେ ବହୁ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ପ୍ରମୁଖ ସହଯୋଗ ରହିଥିଲା । ତାଙ୍କ ରୂପ ଲାବଣ୍ୟର ବଶିଭୁତ ହୋଇ ଏମାନେ ତାଙ୍କୁ ଅଯାଚିତ ସହଯୋଗ ଓ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଇଥିବା ବେଶ ବାରି ହେଉଛି । ମାନସଙ୍କ ଅପହରଣ ମାମଲା ରୁଜୁ ହେବାପରେ ଶର୍ମିଷ୍ଠା ଭଦ୍ରକକୁ ତଦନ୍ତ ପାଇଁ ଦୁଇ ଥର ଆସିଥିଲେ ହେଁ ତାଙ୍କ ଗିରଫ୍ କରାଯାଇନଥିବା ପୋଲିସର ସ୍ୱଚ୍ଛତା ଉପରେ ସନ୍ଦେହ ପ୍ରକାଶ ପାଇଥିଲା । ଯାହାକୁ ନେଇ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ଉପରେ ନ୍ୟସ୍ଥ କରିଛି । ତେବେ କ୍ରାଇମବ୍ରାଞ୍ଚ ଯେ, ଘଟଣା ସହ ଜଡିତ ଥିବା ସମସ୍ତ ଅଭିଯୁକ୍ତ ଏବଂ ସହଯୋଗିଙ୍କ ମୁଖା ଖୋଲିପାରିବ ତାକୁ ନେଇ ମଧ୍ୟ ସନ୍ଦେହ ପ୍ରକଟ ହୋଇଛି । କାରଣ ବିଗତ ଦିନମାନଙ୍କରେ ରାଜ୍ୟ ଅନେକ ଚର୍ଚ୍ଚିତ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲେ ମଧ୍ୟ ସେମାନେ ବଡମାଛକୁ ଛାଡି ଚୁନାଚୁପୁରିକୁ ଧରି ବାହାଃବା ନେଉଥିବା ଘଟଣା ଏବେବି ଲୋକଙ୍କ ମନରେ ଉଙ୍କି ମାରୁଛି । ଜଣେ ମହିଳା ଜଘଣ୍ୟକାଣ୍ଡ କରିବା ପଛରେ କାରଣ ଯାହା ଥାଉନା କାହିଁକି ଏପରି ଦୁଃସାହସିକ କାମ କେବଳ ପେଷାଦାର ଅପରାଧିମାନେ ହିଁ କରିପାରନ୍ତି ।

ହେଲେ ଶର୍ମିଷ୍ଠା ଜଣେ ପେଷାଦାର ଅପରାଧି ହୋଇନଥିଲେ ମଧ୍ୟ ଏପରି ଲୋମହର୍ଷଣ କାର୍ଯ୍ୟ ଘଟାଇବାକୁ ତାଙ୍କୁ କେଉଁମାନେ ଅଭୟ ପ୍ରଦାନ କରିଥିଲେ ସେମାନଙ୍କ ମୁଖା ଖୋଲିବ କି ବୋଲି ମାନସର ବାପା ପ୍ରଶ୍ନ କରିଛନ୍ତି । ଘଟଣାର ବିଭିନ୍ନ ଦିଗକୁ ବିଚାରକୁ ନିଆଗଲେ ନିଶ୍ଚିତଭାବେ ଏହା ସହ ଅନେକ ବଡବଡିଆଙ୍କ ସଂପୃକ୍ତି ଥିବା ବାରି ହେଉଛି । ଘଟଣାର ଅନ୍ୟ ଏକ ଦିଗକୁ ବିଚାରକୁ ନିଆଗଲେ ସୂଦୁର ଭୁବନେଶ୍ୱରରୁ ନିପଟ ମଫସଲ ପଳାସପୁରକୁ ଏକ ବିଭାହ କାର୍ଯ୍ୟକ୍ରମରେ ଭିଡିଓ ସୁଟିଂ କରିବା ପାଇଁ ଆସିଥିବା କ୍ୟାମେରାମେନ୍ ମାନସ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଶର୍ମିଷ୍ଠା ନିକଟରେ କିପରି ପହଁଞ୍ôଚଲା ଏବଂ ଯେଉଁ ସ୍ଥାନୀୟ ଯୁବକ(ଯାହାଙ୍କ ବିରୋଧରେ ଥାନାରେ ଏଲତା ମଧ୍ୟ ହୋଇଛି) ତାକୁ ସୂଚନା ଦେବାସହ ମାନସକୁ ଅପହରଣ କରିବାରେ ସହଯୋଗ କରିଥିଲା ତାଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ଅନେଇ ବସିଛନ୍ତି ଓଡିଶାବାସୀ । ଏହି ଘଟଣା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଜଡିତ ଯେଉଁମାନଙ୍କର ସଂପୃକ୍ତି ରହିଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବାକୁ ସାଧାରଣରେ ଦାବି ଜୋର ଧରିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |