ଐତିହାସିକ ଗୁପ୍ତଗଙ୍ଗା ପୀଠରେ ବାରୁଣୀ ମେଳା, ବୁଡ ପକାଇଲେ ଶହସ୍ରାଧିକ ଶ୍ରଦ୍ଧାଳୁ |

629

କଟକ(ଉତ୍କଳ ନିଉଜ)୩୦/୦୩/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଐତିହ୍ୟ ଓ ପରମ୍ପରାର ଗାଥା ବହନ କରୁଥିବା ଅଚକ ଓ ପାଳିଆବିନ୍ଧା ପଞ୍ଚାୟତର ମଧ୍ୟମ ସ୍ଥଳ ବରୁଣେଇସ୍ଥିତ ଗୁପ୍ତଗଙ୍ଗା ପୀଠରେ ପବିତ୍ର ବାରୁଣୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଏହି ଐତିହ୍ୟ ସମ୍ପନ୍ନ ପୋଖରୀରେ ବୁଡ ପକାଇ କରି ନିଜକୁ କୃତାର୍ଥ ମନେ କରିଛନ୍ତି । ଏଥିସହ ସଦ୍ୟ ବିବାହିତ ଦମ୍ପତିଙ୍କ ବିବାହ ସମୟରେ ବ୍ୟବହାର କରାଯାଇଥିବା ନୋଳ, ମୁକୁଟ ଓ ପଇଡି ମଶିଣା ଏହି ପୋଖରୀରେ ବିଷର୍ଜନ କରି ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ ଅତୁଟ ରହିଛି । ପ୍ରକାଶ ଥାଉକି, ୧୯୦୫ ମସିହାରେ ଏହି ଗୁପ୍ତଗଙ୍ଗା ପୀଠରେ ବିଭିନ୍ନ ସାଧୁ ସନ୍ଥମାନେ ନିଜର ଆଶ୍ରମ ପ୍ରତିଷ୍ଠା କରି ନିଜର ଅଲୌକିକ ପ୍ରତିଭା ବଳରେ ଜନ ମାନସକୁ ଏକ ଶୁଦ୍ଧ, ପବିତ୍ର ଓ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୃଦ୍ଧ କରାଇପାରିଥିଲେ । ସନ୍ଥ ରାମାନୁଜ ଦାସ ମହାରାଜ ଏଠାରେ ନିଜର ଆଶ୍ରମ ପ୍ରତିଷ୍ଟା କରିବା ପୂର୍ବରୁ ୧୯୪୮ ମସିହାରେ ସ୍ୱପ୍ନାଦେଶ ପାଇ ଗୁପ୍ତ ଗଙ୍ଗାର ସନ୍ଧାନରେ ଏହି ଗୁପ୍ତଗଙ୍ଗା ନାମକ ସ୍ଥାନକୁ ଚିହ୍ନଟ କରିବା ସହ ମାଟି ତଳୁ ପ୍ରଭାହିତ ଜଳର ଉତ୍ସ ଠାବ କରିଥିଲେ । ସେହିଦିନରୁ ଏଠାରେ ବାରୁଣୀ ମେଳାର ଅୟମ ଆରମ୍ଭ ହୋଇଛି । କେବଳ ବାରୁଣୀ ମେଳା ଦ୍ୱାଦଶୀ ତିଥିରେ ଗୁପ୍ତଗଙ୍ଗା ଠାରେ ଗଙ୍ଗାଙ୍କ ଅଦୃଶ୍ୟ ଝରରେ ପାଣି ବାହାରିବାର ନଜିର ରହିଛି ।

କିଛିବର୍ଷ ତଳେ ଏହି ପୋଖରୀର ପଙ୍କ ଉଦ୍ଧାର ସମୟରେ ଗୁପ୍ତଗଙ୍ଗାର ଝର(ଭବ)ରେ ବାହାରୁଥିବା ପାଣିକୁ ଆୟତ୍ତ କରାଯାଇ ପାରିନଥିବା ବେଳେ ସେଠାରେ ପଥର ଦେଇ ବନ୍ଦ କରାଯାଇଥିଲା । ତଥାପି ଉକ୍ତ ପୋଖରୀରେ ଏବେବି ଆପେ ଆପେ ପାଣିବାହାରୁଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସନ୍ୟାସୀମାନେ ମତବ୍ୟକ୍ତ କରିଥାନ୍ତି । ଏବଂ ଏହି ବାରୁଣୀ ତିଥିରେ ପୋଖରୀର ପାଣି ଉଛୁଳି ଥାଏ । ସରକାରୀ ଉଦାସିନତା ତଥା ପ୍ରତ୍ନତାତ୍ୱିକ ବିଭାଗର ନଜର ଆଢୁଆଳରେ ରହିଯାଇଛି ଏହି ପୀଠ । ଏହି ଆଶ୍ରମ ପରିସରରେ ବହୁ ବର୍ଷ ତଳେ କୋଣାର୍କର ଏକ ଅବିକଳ ପ୍ରତିମୂର୍ତ୍ତୀ ଓ ଆକାରରେ ଛୋଟିଆ ମନ୍ଦିରଟିଏ ନିର୍ମାଣ କରିବାକୁ ଶୁଭାରମ୍ଭ କରାଯାଇଥିଲା । ତେବେ ଏହି ମନ୍ଦିର ନିର୍ମାଣ କଲେ ବିପଦର ସମ୍ଭାବନା ରହିଛି ବୋଲି ସନ୍ଥ ରାମାନୁଜ ଦାସ ମହାରାଜଙ୍କୁ ସ୍ୱପ୍ନାଦେଶ ହୋଥିଲା । ସେବେଠାରୁ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଏହି ପୀଠରେ ଦଶମାଇ ମା’କାଳୀ, ଲକ୍ଷ୍ମୀନାରାୟଣ, ଗଣେଷ, ସରସ୍ୱତୀ, ଅନ୍ନପୂର୍ଣ୍ଣା, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ରାମ, ଲକ୍ଷ୍ମଣ ଓ ସୀତା ଦେବାଦେବୀ ଆଦି ପୂଜା ପାଉଛନ୍ତି ।

ଏହି ପୀଠର ଉନ୍ନତି କରଣ ଲାଗି ବିଧାୟକ ପାଣ୍ଠି ଓ ପଞ୍ଚାୟତ ପକ୍ଷରୁ କେତେକ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ପାଚେରୀ ନିର୍ମାଣ କରାଗଲେ ବୁଲା ଷଣ୍ଢ ଓ ଗୃହ ପାଳିତ ପଶୁଙ୍କ ଅବାଧ ପ୍ରବେଶରୁ ମୁକ୍ତି ମିଳିବ ବୋଲି ଦାବୀ କରାଯାଇଛି । ସନ୍ଥ ରାମାନୁଜଙ୍କ ପରେ ବାବା ସୁରେଶଚନ୍ଦ୍ର ଦାସ ମଧ୍ୟ ଇହଲୀଳା ସମ୍ବରଣ କରିଛନ୍ତି । ଅଧୁନା ବାବାଜୀ ବିଷ୍ଣୁମୋହନ ଦାସ ପରିଚାଳନା କରଛନ୍ତି । ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ଏହି ପୀଠରେ ମେଳା ଲାଗିନଥିବା ବେଳେ ଚଳିତ ବର୍ଷ ନାହିଁନଥିବା ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ହେଲେ ଏହି ପୀଠକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ତା ଅତ୍ୟନ୍ତ୍ୟ ଶୋଚନୀୟ ହୋଇ ପଡିଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ଉତ୍ତରବାହା ଗ୍ରାମରେ ଗାଡି ମୋଟର ରଖି ଚାଲି ଚାଲି ଯାଉଥିବା ଦେଖା ଯାଇଛି । ଏପରି ଐତିହ୍ୟ ପରମ୍ପରା ସମ୍ପନ୍ନ ପୀଠକୁ ପ୍ରଶାସନ ନଜର ନଦେବାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଗଣେଶ ପ୍ରସାଦ ବିଶ୍ୱାଳ, ସମ୍ପାଦକ ଅକ୍ଷୟ ମଲ୍ଲିକ, ସରପଞ୍ଚ ପ୍ରେମଲତା ବିଶ୍ୱାଳ, ସମିତି ସଭ୍ୟ ମାଧବିଲତା ଭୋଇ, ସନ୍ତୋଷ ମଲ୍ଲିକ, ରବିନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର ମହାପାତ୍ର, କାଳନ୍ଦି ମଲ୍ଲିକ, ସଞ୍ଜୟ ମଲ୍ଲିକ, ଚକ୍ରଧର ପରିହାରୀ, ପ୍ରଶାନ୍ତ ସାହାଣି, ଧର୍ମପଦ ମହାରଣା, ପ୍ରଫୁଲ ମଲ୍ଲିକ, ଚିନ୍ତାମଣି ମଲ୍ଲିକ, ରବିନ୍ଦ୍ର ମଲ୍ଲିକ, କୈଳାସ ମଲ୍ଲିକ, ବିରେନ୍ଦ୍ର ମଲ୍ଲିକ, ଶଙ୍କର୍ଷଣ ଦଳେଇ, ରଞ୍ଜିତ ବାରିକ, କାଳନ୍ଦି ସାହାଣି ଓ ବିଜୟ ମଲ୍ଲିକ ପ୍ରମୁଖ ପରିଚାଳନା କରୁଛନ୍ତି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ କ୍ଷେତ୍ରୀୟ ତଦନ୍ତ କରିବା ସହ ହାତକୁ ନେବାକୁ ସାଧାରଣରେ ଦାବୀ ହେଉଅଛିି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।