କ୍ରାଇମବ୍ରାଞ୍ଚ ପଞ୍ଝାରେ ମୁଖ୍ୟ ଖଳନାୟିକା ଶର୍ମିଷ୍ଠା ଓ ସହଯୋଗି ଝୁନା ,ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ଅପହରଣ ଓ ହତ୍ୟାକାଣ୍ଡର ଖୋଲିବ ଗୁମର |

549

କଟକ(ଉତ୍କଳ ନିଉଜ)୨୮/୦୩/୨୦୨୨ : ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କ୍ୟାମେରାମେନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡର ଗୁମର ଖୋଲିବାକୁ ଯାଉଛି । ଅପହରଣର ଦେଢମାସ ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କିଙ୍ଗପିନ୍ ୱେବ୍ ପୋର୍ଟାଲର ମାଲିକାଣୀ ତଥା ବହୁ ଚର୍ଚ୍ଚିତ କାହାଣୀର ଖଳନାୟିକା ଶର୍ମିଷ୍ଠା ରାଉତଙ୍କୁ ଆଜି କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ନେଇଛି । ଏହି ଘଟଣା ସହିତ ଜଡିତ ଥିବା ଅନ୍ୟ ୬ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ୍ କରିଛି । ହେଲେ ଏହି କିଙ୍ଗପିନ୍‌ଙ୍କୁ ଠାବ କରିବା ଲାଗି ଉଭୟ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ନାକେଦମ୍ ହେବାକୁ ପଡିଛି । ପୋଲିସ ପକ୍ଷରୁ ୫ଟି ଓ କ୍ରାଇମବ୍ରାଞ୍ଚର ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଶର୍ମିଷ୍ଠାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ଖୋଜିବାକୁ ଡେରା ପକାଇଥିଲା । ର୍ମିଷ୍ଠା ରାଉତ ଜଣେ ଅଭ୍ୟାସଗତ ବା ପେଷାଦାର ଅପରାଧି ପରି ପୋଲିସକୁ ଚକମା ଦେଇ ଆସୁଥିଲା ।

ପୂର୍ବରୁ ସେ ଜଣେ କ୍ରାଇମ୍ ରିପୋର୍ଟର ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିବାରୁ ତାକୁ ଆୟୁଧ କରି ପୋଲିସକୁ ଭୁଆଁ ବୁଲେଇଥିଲା । ବ୍ୟବହାର କରୁଥିଲା ସମସ୍ତ ମୋବାଇଲ୍ ଏବଂ ସିମ୍‌କୁ ସେ ବନ୍ଦ କରି ଦେଇଥିଲା । ଯାହା ଫଳରେ ପୋଲିସ ଟ୍ରାକ୍ କରି ତାର ଗତିବିଧି ଜାଣିବା କଷ୍ଟକର ହୋଇଥିଲା । ତେବେ ବନ୍ଧୁବାନ୍ଧବ, ସମ୍ପର୍କୀୟ ଏବଂ ବ୍ୟବହାର କରୁଥିବା ଏଟିଏମ କାର୍ଡର କାରବାରକୁ ପୋଲିସ ନଜରରେ ରଖିଥିଲା । କୌଣସି ମତେ ସୂଚନା ପାଇ ସୋମବାର ଭୋରୁ ଶର୍ମିଷ୍ଠା ଏବଂ ତାର ସହଯୋଗି ଝୁନା ଏକ ଯାତ୍ରିବାହୀ ବସଯୋଗେ କୋଲକାତାରୁ ଭୁବନେଶ୍ଚର ଯାଉଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା । ସୂଚନା ମୁତାବକ, ଉକ୍ତ ବସକୁ ଭଦ୍ରକ ନଳାଙ୍ଗ ଠାରେ ପୋଲିସ ଠାବ କରିବା ସହ ବସ ଭିତରୁ ଦୁଇ ଜଣଙ୍କୁ ନିଜ ହେପାଜତକୁ ନେଇଥିଲା । ପରେ ଭଦ୍ରକ ପୋଲିସ ବ୍ୟାରେକ୍‌କୁ ନେଇ ପଚରା ଉଚୁରା କରିବା ପରେ ସୁରକ୍ଷା ଦୃଷ୍ଟି କୋଣରୁ ମଧ୍ୟାହ୍ନରେ ତିହିଡି ଥାନାକୁ ଅଣାଯାଇଥିଲା । ତିହିଡି ଡାକ୍ତରଖାନାରେ ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଥାନାରେ ୪ ଘଣ୍ଟାକାଳ ଜେରା କରାଯାଇଥିଲା । ତିହିଡି ଥାନା ମଧ୍ୟରେ ଉକ୍ତ ଅଭିଯୁକ୍ତମାନେ ଥିବା ଖବର ପାଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ସାଧାରଣ ଜନତାଙ୍କ ଅହେତୁକ ଭିଡି ଜମିଥିଲା । ଏହି ଭିଡକୁ ନିୟନ୍ତ୍ରଣ କରି ପୋଲିସ କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଥାନା ପରିସରରୁ ବାହାର କରିବାକୁ ବେଶ ଦହଗଞ୍ଜ ହେବାକୁ ପଡିଥିଲା ।

ତିହିଡିରୁ ଅଭିଯୁକ୍ତମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବା ସହ ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଧିନ ପଳାସପୁରରୁ ବହୁ ଚର୍ଚ୍ଚିତ କ୍ୟମେରାମେନ୍ ମାନସ ସ୍ୱାଇଁଙ୍କୁ ଗତ ଫେବ୍ରୁଆରୀ ମାସ ୭ ତାରିଖରେ ଅପହରଣ କରାଯାଇଥିଲା । ପରେ ୧୪ ତାରିଖରେ ମାନସଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଶର୍ମିଷ୍ଠାଙ୍କ ସମେତ ବହୁ ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ପରେ ମାନସଙ୍କ ମୃତଦେହ ନୟାଗଡ ପାହାଡ ତଳୁ ମିଳିବା ପରେ ଘଟଣା ଭିନ୍ନ ମୋଡ୍ ନେଇଥିଲା । ତେବେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବାପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପଦାକୁ ଆସିବ ଏବଂ ଏହି ଘଟଣାରେ ସାମିଲ ଥିବା ଅନେକଙ୍କ ମୁଖା ଖୋଲିବ ବୋଲି ଆଶା କରାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |