ଭଦ୍ରକ ପୌର ନିର୍ବାଚନ-ବ୍ୟକ୍ତିତ୍ୱ ଆଗରେ ଫିକା ପଡିପାରେ ଦଳୀୟ ପତିଆରା!

449

କଟକ(ଉତ୍କଳ ନିଉଜ)୦୭/୦୩/୨୦୨୨ : ନିର୍ବାଚନ ପରେ ପୌର ନିର୍ବାଚନରେ ମଧ୍ୟ ବିଜେଡି ପାଇଁ ଅଡୁଆ ବଢିଥିବା ଦେଖିବାକୁ ମିଳିଛି । ବିଜେଡି ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ୍ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ଦଳ ପାଇଁ ଏହି ଅଡୁଆ ସୃଷ୍ଟି କରିିଛି । ଦଳ ଯେଉଁ ପ୍ରାର୍ଥିଙ୍କୁ ଚୟନ କରୁଛି ସବୁଆଡେ ତାର ପ୍ରତିବାଦ ଦେଖିବାକୁ ମିଳୁଛି । କେଉଁଠି ଦଳୀୟ ପ୍ରାର୍ଥିଙ୍କୁ ବିରୋଧ କରାଯାଇ ବିଦ୍ରୋହୀ ପ୍ରାର୍ଥି ମୈଦାନକୁ ଆସିଛନ୍ତି ତ ଆଉ କେଉଁଠି ଦଳୀୟ ସମର୍ଥନ ନପାଇ ରାତିଅଧିଆ ଦଳଛାଡି ଅନ୍ୟ ଦଳକୁ ଡିଆଁ ମାରିଛନ୍ତି । ଏପରି ସ୍ଥିତିରେ ଏବେ ପୌର ନିର୍ବାଚନରେ ଭଦ୍ରକ ଜିଲ୍ଲାର ବିଭିନ୍ନ ୱାର୍ଡରେ ବିଜେଡିର ବିଦ୍ରୋହୀମାନେ ପ୍ରାର୍ଥି ହୋଇଥିବା ଦେଖାଦେଇଛି । ଚଳିତ ପଞ୍ଚାୟତ ନିର୍ବାଚନରେ କେତେକ ସ୍ଥାନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥିମାନେ ଦଳୀୟ ପ୍ରାର୍ଥିଙ୍କୁ ଧୂଳି ଚଟେଇ ବାଜିମାତ୍ କରିଥିବା ନଜରକୁ ଆସିଛି । ଠିକ୍ ସେହିପରି ଏହି ପୌର ନିର୍ବାଚନରେ ଏହାର ପ୍ରତିଫଳନ ହେବାର ସମ୍ଭାବନା ଦେଖା ଦେଇଛି । ଭଦ୍ରକ ପୌର ନିର୍ବାଚନରେ ଏହିପରି ବିବାଦୀୟ ସ୍ଥିତି ଦେଖାଦେଇଛି । ବିଜେଡିର ଟାଣୁଆ ସଂଗଠକ ତଥା ଏକ ବଡ ଗୋଷ୍ଠି ପୌର ଅଧ୍ୟକ୍ଷା ପ୍ରାର୍ଥିତ୍ୱରୁ ବଞ୍ôଚତ ହେବାପରେ ଖୁଲମଖୋଲା ଭାବେ ବିଜେଡିକୁ ବିରୋଧ କରି ବିଦ୍ରୋହୀ ପ୍ରାର୍ଥିଭାବେ ଉଭା ହୋଇଛନ୍ତି ।

ଏହି ଗୋଷ୍ଠି ଲଘୁସଂପ୍ରଦାୟର ବୋଲି ଜଣାଯାଇଛି । ବିଗତ ନିର୍ବାଚନଗୁଡିରେ ଏହି ଲଘୁସଂପ୍ରଦାୟର ଭୋଟ ଉପରେ ବିଜେଡି ବାଜିମାତ୍ କରିଥିବା ମଧ୍ୟ ଜଣାଯାଇଛି । ବିଜେଡି ଭୋଟ ବ୍ୟାଙ୍କ କୁହାଯାଉଥିବା ପ୍ରାୟ ୧୫ଟି ୱାର୍ଡରେ ଏହି ସଂପ୍ରଦାୟର ଭୋଟରମାନେ ତାଙ୍କର ଅଧ୍ୟକ୍ଷା ପ୍ରାର୍ଥିଙ୍କୁ ବିଜୟ ତିଲକ ପିନ୍ଧାଇବା ଲାଗି ଆରମ୍ଭ କରିଛନ୍ତି ରଣକୌଶଳ । ଯଦି ଏହି ସଂପ୍ରଦାୟ ସେମାନଙ୍କର ଭୋଟ ଅକ୍ତିଆର କରିପାରନ୍ତି ତାହା ବିଜେଡି ପାଇଁ କାଳ ହେବା ନିସନ୍ଦେହ । ଏଥିସହ ପୌରଞ୍ଚାଳରେ ଅନ୍ୟ ୧୫ଟି ୱାର୍ଡରେ ସେମାନେ ଦବଦବା ବଜାୟ ରଖିବାକୁ ପ୍ରୟାସ ଚଳାଇଛନ୍ତି । ଅନ୍ୟପଟେ ବିଜେଡିର ମହିଳା ନେତ୍ରୀ ଯିଏକି ପୌରାଞ୍ଚଳରେ ସାଧାରଣ ସମ୍ପାଦିକା ଥିଲେ ତାଙ୍କୁ ଟିକେଟ୍ ନମିଳିବାରୁ ରାତିଅଧିଆ କଂଗ୍ରେସ ଦଳରେ ସାମିଲ ଟିକେଟ୍ ହାତେଇଛନ୍ତି । ଦିର୍ଘ ବର୍ଷ ଧରି ବିଜେଡିରେ କାମ କରିଥିବାରୁ ତାଙ୍କ ପାଖରେ ଅନେକ କର୍ମୀ ଓ ସଂଗଠକ ଅଛନ୍ତି ଏବଂ ସେମାନଙ୍କ ବଳରେ ସେ ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି ଆଶା ବାନ୍ଧିଛନ୍ତି । ଏପରି ହେଲେ ବିଜେଡି ଭୋଟ ବ୍ୟାଙ୍କ ତିନି ଭାଗରେ ବିଭକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ବିଜେଡିକୁ ଅଡୁଆରେ ପକାଇବା ବେଳେ ବିରୋଧିଙ୍କୁ ଅଧିକ ମାତ୍ରାରେ ସୁହାଇବ ବୋଲି ରାଜନୈତିକ ସମିକ୍ଷକମାନେ ମତବ୍ୟକ୍ତ କରିଲେଣି । ତେବେ ଏହି ପୌରାଞ୍ଚଳରେ ବିରୋଧି ଶୂନ୍ୟ ହୋଇଥିବା ବିଜେଡି କହୁଥିବା ବେଳେ ଆମ୍ ଆଦମୀ ପାର୍ଟି ବିରୋଧିର ଭୂମିକା ନେବ ବୋଲି ରଣହୁଙ୍କାର ଦେଉଛି । ସେହିପରି ବିଜେପି ଓ ଅନ୍ୟ କେତେକ ସ୍ୱାଧିନ ପ୍ରାର୍ଥିମାନେ ମଧ୍ୟ ଏହି ନିର୍ବାଚନରେ କଡ୍ଡା ଟକ୍କର ଦେବାଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ପରି ଏହି ପୌର ନିର୍ବାଚନରେ ବିଜେଡି ତା’ର ସଫଳତାକୁ ଦୋହରାଇବ ନାଁ ଭଦ୍ରକରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ତାହା କେବଳ ସମୟ କହିବ ।

ସୂଚନା ମୁତାବକ, ପୌର ଅଧ୍ୟକ୍ଷା ପାଇଁ ବିଭିନ୍ନ ରାଜନୈତିକ ଦଳ ସମେତ ସ୍ୱାଧିନ ଭାବେ ୭ ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୩୦ଟି ୱାର୍ଡରେ ମୋଟ୍ ୧୪୫ ଜଣ ପ୍ରାର୍ଥି କାଉନସିଲରଭାବେ ନାମାଙ୍କନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ନମ୍ବର ୱାର୍ଡରେ ସର୍ବାଧିକ ୨୪ ଜଣ ଓ ୧୦ ନମ୍ବର ୱାର୍ଡରେ ସର୍ବନିମ୍ନ ୨ ଜଣ ପ୍ରାର୍ଥି ନାମାଙ୍କନ କରିଥିବା ପୌର ନିର୍ବାଚନ ନୋଡାଲ ଅଧିକାରୀ ତଥା ଉପଜିଲ୍ଲାପାଳ ମନୋଜ କୁମାର ପାତ୍ରଙ୍କ ଠାରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |