ଚର୍ଚ୍ଚାରେ ତିହିଡି ବ୍ଲକ ଅଧ୍ୟକ୍ଷ ପଦବୀ।ମ୍ୟାଜିକ୍ ସଂଖ୍ୟାକୁ ନେଇ ବିଜେଡି ଆଶାବାଦି, ବାଟ ଓଗାଳିବାକୁ ବିଜେପିର ସମରସଜ୍ଜା।

788

କଟକ(ଉତ୍କଳ ନିଉଜ)୦୩/୦୩/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟକ୍ଷ ପଦବୀ ଉପରେ ଏବେ ଉଭୟ ବିଜେଡି ଓ ବିଜେପିର ନଜର । ବ୍ଲକର ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦି ଦଳଭାବେ ବିଜେଡି ଓ ବିଜେପି ସମିତି ସଭ୍ୟ ସଂଖ୍ୟାକୁ ନେଇ ବେଶ ଆଶାବାଦି ଅଛନ୍ତି । ୩୧ ପଞ୍ଚାୟତକୁ ନେଇ ଗଠିତ ତିହିଡି ବ୍ଲକରେ ଅଧ୍ୟକ୍ଷ ପଦବୀ ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ୧୬ ହୋଇଥିବା ବେଳେ ଫଳାଫଳ ମୁତାବକ ବିଜେଡି ପାଖରେ ୧୬ ଜଣ ସମିତି ସଭ୍ୟଙ୍କ ସମର୍ଥନ ଥିବା ସ୍ପଷ୍ଟ ହୋଇଛି । ଅନ୍ୟପଟେ ବିଜେପି ଦଳୀୟ ସମର୍ôଥତ ସମିତି ସଭ୍ୟଭାବେ ୧୩ ଜଣଙ୍କୁ ନେଇ କଳ୍ପନା ଜଳ୍ପନା ଚଳାଇଥିବା ବେଳେ କଂଗ୍ରେସ ଖାତାରେ ଗୋଟିଏ ଓ ସ୍ୱାଧିନ ପ୍ରାର୍ଥି ଜଣେ ସଭ୍ୟ ମୈଦାନରେ ଅଛନ୍ତି । ଏହାକୁ ନେଇ ବିଜେପି ଅଙ୍କ କଷିବା ଆରମ୍ଭ କରିଥିବା ବେଳେ ବିଜେଡି ଆବଶ୍ୟକ ସଂଖ୍ୟାକୁ ନେଇ ଦୃଢ ଆଶାବାଦି ଥିବା ଜଣାଯାଇଛି । ତେବେ ସଂଖ୍ୟା ଖେଳକୁ ଛାଡିଦେଲେ ଯଦି ଅନ୍ୟ କିଛି ଅର୍ଥାତ୍ ଘୋଡା ବେପାର ହୁଏ ତାହାହେଲେ ଫଳାଫଳ ଓଲଟ ପାଲଟ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ନିର୍ବାଚନ ଫଳାଫଳ ପ୍ରକାଶ ପରେ ଉଭୟ ଦଳ ନିଜ ନିଜର ସମର୍ଥିତ ସଭ୍ୟମାନଙ୍କୁ ଅକ୍ତିଆର କରି ରଖିଛନ୍ତି । କେହି ଯେପରି କାହାକୁ ପ୍ରଲୋଭିତ କରିନପାରେ ସେଥିପାଇଁ କଡ୍ଡା ନଜର ମଧ୍ୟ ରଖାଯାଇଛି । ଚଳିତ ମାସ ୧୨ ତାରିଖରେ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ଚାଲିଛି ମୁଲଚାଲ । ଏହାରି ମଧ୍ୟରେ ଉଭୟ ଦଳର ତୀକ୍ଷ୍ଣ ନଜର ରହିଛି ବାରୋ ଓ ଗୋବିନ୍ଦପୁର ପଞ୍ଚାୟତ ଉପରେ । ଏମାନଙ୍କୁ ମନେଇବା ପାଇଁ ଉଭୟ ଦଳୟ ଆକର୍ଷଣୀୟ ପେକେଜ୍ ଘୋଷଣା ମଧ୍ୟ କରାଯାଉଛି । ତେବେ ଗଣିତ ଅନୁଯାଇ ଯଦି ଏହି ଦୁଇ ପଞ୍ଚାୟତର ସମିତି ସଭ୍ୟ ବିଜେପିକୁ ସମର୍ଥନ କରନ୍ତି ତାହାହେଲେ ବିଜେପିର ସଂଖ୍ୟା ମ୍ୟାଜିକ୍ ସଂଖ୍ୟା ଠାରୁ ଗୋଟିଏ କମ୍ ରହିବ । ଏହି ସଂଖ୍ୟା ଖେଳକୁ ବିଚାରକୁ ନେଲେ ବିଜେଡି ତାର ସଭ୍ୟମାନଙ୍କୁ ଯଦି ଏକଜୁଟ୍ କରି ରଖିପାରେ ତାହାହେଲେ ଅଧ୍ୟକ୍ଷ ପଦବୀ ହାତେଇବା ପ୍ରାୟ ସୁନିଶ୍ଚିତ । ଅନ୍ୟପଟେ ବିଜେପି ଏଥିରେ ବିଭାଜନ ସୃଷ୍ଟି କରିବାରେ ଯଦି ସଫଳ ହୁଏ ତେବେ ପଦବୀ ହାତେଇବାଟା ଅସମ୍ଭବ ହେବ ନାହିଁ ରାଜନୈତିକ ସମ୍ମିକ୍ଷକମାନେ ମତପୋଷଣ କରିଛନ୍ତି । ବିଜେଡି ପକ୍ଷରୁ ସାମ୍ଭାବ୍ୟ ଅଧ୍ୟକ୍ଷ ପ୍ରାର୍ଥିଭାବେ ବିଲଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନେତା ଭାଗିରଥି ମଳିକଙ୍କୁ ଫୋକସ୍ କରାଯାଉଥିବା ଏକ ବିଶେଷ ସୂତ୍ରରୁ ଜଣାଯାଇଛି । ଜଣେ ନିର୍ବିବିବାଦୀୟ ରାଜନେତା ଭାବେ ତାଙ୍କର କେବଳ ପଞ୍ଚାୟତରେ ନୁହେଁ ବରଂ ବ୍ଲକ ରାଜନୀତିରେ ବେଶ ପରିଚୟ ରହିଛି । ଅନ୍ୟପଟେ ତାଙ୍କୁ ଅଧ୍ୟକ୍ଷ କରାଇବା ପାଇଁ ଉଭୟ ଚାନ୍ଦବାଲି ଓ ବାସୁଦେବପୁର ବିଧାୟକଙ୍କ ସମେତ ପୂର୍ବତନ ବିଧାୟକ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଜିଲ୍ଲା ପରିଷଦ ସଭ୍ୟାଙ୍କ ସମର୍ଥନ ରହିଥିବା କୁହାଯାଉଛି । ଅନ୍ୟପଟେ ବିଜେପିରେ ଫୋକସରେ ରହିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ । ଜଣେ ଦକ୍ଷ ଓ ପାରଙ୍ଗମ ରାଜନେତା ଭାବେ ସେ ବେଶ ଚର୍ଚ୍ଚିତ । ଚଳିତ ନିର୍ବାଚନରେ ସେ ନିଜ ପଞ୍ଚାୟତ ଛାଡି ବାସୁଦେବପୁର ବିଧାୟକଙ୍କ ନିଜ ପଞ୍ଚାୟତ ମୁକୁନ୍ଦପୁରରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇ ନିଜର ପରାକାଷ୍ଠା ପ୍ରତିପାଦିତ କରି ପାରିଛନ୍ତି । ତାଙ୍କୁ ଅଧ୍ୟକ୍ଷ କରାଇବା ପାଇଁ ଧାମନଗର ବିଧାୟକଙ୍କ ସମେତ ବହୁ ପଞ୍ଚାୟତର ବିଜେପି ସମର୍ଥିତ ସଭ୍ୟଙ୍କ ସମର୍ଥନ ରହୁଥିବା ସଂପ୍ରତି ଚର୍ଚ୍ଚା ଚାଲିଛି । ରାଜନୈତିକ ଗୋଟି ଚାଳନାରେ ମାହିର ଶୁକଦେବ ସବୁ ପ୍ରତିକୂଳ ପରିସ୍ଥିତିରେ କିପରି କ୍ଷମତାକୁ ହାତେଇବେ ସେଥିପାଇଁ ରଣନୀତି ପ୍ରସ୍ତୁତ କରିସାରିଥିବା କୁହାଯାଉଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ହାତେଇବା ପାଇଁ କିଏ କେମିତି ରଣନୀତି ପ୍ରୟୋଗ କରି ସଫଳ ହେଉଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |