ମୃତ୍ୟୁଞ୍ଜୟ ଦଳ ଛାଡିବା ପରେ ପ୍ରଚାର ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲା ବିଜେପି |

391

କଟକ(ଉତ୍କଳ ନିଉଜ)୦୮/୦୨/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଦୌଲତପୁର ପଞଞ୍ଚାୟତ ରାଜନୀତି ଘଣ୍ଟାକେ ଘୋଡା ଛୁଟୁଛି । ଏନେଇ କେତେକ ରାଜନୈତିକ ସମୀକ୍ଷକମାନେ ମଧ୍ୟ ବେହାଲ ହୋଇ ପଡୁଛନ୍ତି ମତ ଦେବାକୁ । କେତେବେଳେ କେଉଁ ଦଳରୁ କିଏ ଅନ୍ୟ ଦଳକୁ ପଳେଇ ଯାଉଛି ତ ଆଉ କିଏ ଦଳଛାଡି ସାମ୍ମୁଖ୍ୟରେ ସାମିଲ ହେଉଛି । ଏପରି ଘଡିସନ୍ଧି ମୂହୁର୍ତ୍ତରେ ବଡନେତାଙ୍କ ଦଳ ବଦଳ ସମୀକ୍ଷକ ତଥା ଭୋଟରଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହେଉଛି । ଏହି ପଞ୍ଚାୟତରେ ମୁଖ୍ୟତଃ ୪ ଜଣ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦି ବିଜେଡି ଓ ବିଜେପି ଏଠାରେ ଦିଖଣ୍ଡ ହୋଇଥିବା ଦେଖା ଦେଇଛି । ଉଭୟ ଦଳରେ ବିଦ୍ରୋହୀମାନେ ଅଲଗା ପ୍ରାର୍ଥିଦେଇ ଦଳୀୟ ପ୍ରାର୍ଥିଙ୍କ ପାଇଁ କଣ୍ଟା ହୋଇଛନ୍ତି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥି ପ୍ରଭାତ କୁମାର ମିଶ୍ରଙ୍କୁ ବିରୋଧ କରି ବିଦ୍ରୋହୀ ଗୋଷ୍ଠି ଶଶିକାନ୍ତ ନାୟକଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥି କରିଛି । ଏହି ବିଦ୍ରୋହୀ ଗୋଷ୍ଠିର ନେତୃତ୍ୱ ନେଉଛନ୍ତି ଟାଣୁଆ ନେତା ଅଜୟ ରାଉତ, ହିମାଦ୍ରୀ ମିଶ୍ର, ନରେନ୍ଦ୍ର ମିଶ୍ର ପ୍ରମୁଖ । ସେହିପରି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ସନାତନ ମିଶ୍ରଙ୍କ ଦଳୀୟ ସମର୍ଥିନ ମିଳିଥିବା ବେଳେ ଏହାକୁ ବିରୋଧ କରି ଗୋଟିଏ ଗୋଷ୍ଠି ସୁବାଶ ମୁଦୁଲିଙ୍କୁ ବିଦ୍ରୋହୀ ପ୍ରାର୍ଥିଭାବେ ମୈଦାନରେ ଉଭା କରାଇଛି । ଉଭୟ ୪ ଜଣଯାକ ପ୍ରାର୍ଥି ପ୍ରଚାର ମୈଦାନରେ ସକ୍ରିୟ ରହିବା ସହ ଭୋଟରଙ୍କୁ ଆକୃଷ୍ଠ କରିବାରେ ଲାଗି ପଡିଛନ୍ତି ।

ଏତିକିବେଳେ ବିଜେପିର ଟାଣୁଆ ସଂଗଠକ ମୃତ୍ୟୁଞ୍ଜୟ ବଳ ଅଚାନକ ବିଜେଡି ବିଦ୍ରୋହୀ ଶିବିରରେ ଯୋଗଦାନ କରିବା ପରେ ରାଜନୈତିକ ପାଣିପାଗ ଗୋଳିଆ ହୋଇ ଯାଇଛି । ମୃତ୍ୟୁଞ୍ଜୟଙ୍କୁ ପାଇ ବିଜେଡି ବିଦ୍ରୋହୀ ଗୋଷ୍ଠି ତାଙ୍କର ଶକ୍ତି ଦ୍ୱିଗୁଣିତ ହେଲାବୋଲି ୨ ଦିନ ତଳେ ସମ୍ବାଦଦାତା ସମ୍ମିଳନୀରେ ଘୋଷଣା କରିଥିଲେ । ଏହାର ପାଲଟା ଜବାବ ଦେବାପାଇଁ ମଙ୍ଗଳବାର ବିଜେପି ସମର୍ଥିତ ପ୍ରାର୍ଥି ମାଲପୁର ଗାଁରେ ନିଜର ଶତାଧିକ ସମର୍ଥକଙ୍କୁ ଧରି ପ୍ରଚାର ଆଳରେ ଶକ୍ତି ପ୍ରଦର୍ଶନ କରିଛି । ସେମାନେ ଖୁଲମଖୋଲା ଦର୍ଶାଇ ଦେଇଛନ୍ତି ଯେ, ମୃତ୍ୟୁଞ୍ଜୟ ଗଲାପରେ ତାଙ୍କ ଦଳରେ କୌଣସି କ୍ଷତି ହୋଇନାହିଁ । ସେ ଜଣେ ବ୍ୟକ୍ତି ବିଶେଷ କେବଳ ନିଜ ବ୍ୟକ୍ତିଗତ କାରଣ କିମ୍ବା ଅନ୍ୟ କୌଣସି ସ୍ୱାର୍ଥ ଦୃଷ୍ଟିରୁ ବିଦ୍ରୋହୀ ଶିବିରରେ ଯୋଗ ଦେଇଥିବା କହିଛନ୍ତି । ତାଙ୍କ ଦଳର କୌଣସି ବି ଗୋଟିଏ କର୍ମୀ ତାଙ୍କ ସହ ଯାଇନଥିବା ସେମାନେ ସ୍ପଷ୍ଟ କରିଛନ୍ତି । ବିଶେଷକରି ବିଗତ ୫ ବର୍ଷରେ ପାଇଖାନା, ଆବାସ ଯୋଜନା, ମନରେଗା ଓ ରେସନ କାର୍ଡରେ ହୋଇଥିବା ଦୂର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ଭୋଟରଙ୍କ ନିକଟରେ ପହଁଞ୍ôଚବା ଲାଗି ପଥ ପରିଷ୍କାର କରିଥିବା କହିଛନ୍ତି । ବିଜେଡିର ବିଭାଜନ ସେମାନଙ୍କୁ ଭରପୁର ଫାଇଦା ଦେବ ଏବଂ ସରପଞ୍ଚ ପ୍ରାର୍ଥି ସନାତନ ମିଶ୍ର ଓ ସମିତି ସଭ୍ୟା ପ୍ରାର୍ଥିନୀ ମମତା ରଣା ବହୁ ଭୋଟରେ ବିଜୟୀ ହେବା ସହ ସମସ୍ତ ୱର୍ଡ ସଦସ୍ୟ ପ୍ରାର୍ଥି ବିଜୟୀ ହେବେ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗୀତାରାଣୀ ବେହେରା, ପୂର୍ଣ୍ଣିମା ମହାଳିକ, ରଜନୀ ମହାଳିକ, ଶାନ୍ତିଲତା ଜେନା, ସାବିତ୍ରୀ ଜେନା, ପ୍ରିତି ଗୋଚ୍ଛାୟତ, ସବିତା ଗୋଚ୍ଛାୟତ, ପୂର୍ବତନ ସରପଞ୍ଚ ଜୟବାଙ୍ଗଲା ବେହେରା, ବଳରାମ ଜେନା, ପରିକ୍ଷିତ ମହାନ୍ତି, ଦୟାନିଧି ସାହୁ, ପ୍ରଫୁଲ ବେହେରା, କମଳାକାନ୍ତ ପରିହାରୀ, ଭାଗବତ ବେହେରା, ଜଗଦୀଶ ବଳ, ସନାତନ ବେହେରା ଓ ମାଗୁଣି ପରିହାରୀ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି । ତେବେ ଦୌଲତପୁର ଗୋଳିଆ ରାଜନୀତିରୁ କିଏ କେତେ ଫାଇଦା ନେଉଛି ତାହା ଫଳାଫଳ ପରେ ସ୍ପଷ୍ଟ ହେବ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |