ବିଧାୟକଙ୍କ ପଞ୍ଚାୟତରେ ଜଳୁଛି ଅସନ୍ତୋଷର ବହ୍ନି, ବିଦ୍ରୋହୀ ପ୍ରାର୍ଥିଙ୍କୁ ଜିତାଇବାକୁ ପଣ କଲେ ସମର୍ଥକ |

406

କଟକ(ଉତ୍କଳ ନିଉଜ )୩୧/୦୧/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ମୁକୁନ୍ଦପୁର ପଞ୍ଚାୟତ ଯାହା ଓଡିଶା ରାଜନୀତିରେ ଏକ ଚର୍ଚ୍ଚିତ ପଞ୍ଚାୟତ । ଏହି ପଞ୍ଚାୟତରୁ ସ୍ୱର୍ଗତ ନୀଳମଣି ରାଉତରାୟ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପୁତ୍ର ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ମଧ୍ୟ ଓଡିଶା ରାଜନୀତିରେ ଜଣେ ଜଣେ ଚର୍ଚ୍ଚିତ ଚେହେରା ଥିଲେ । ତାଙ୍କ ପରେ ଏବେ ତାଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତରାୟ ମଧ୍ୟ ବାସୁଦେବପୁର ବିଧାୟକ ଭାବେ ଉକ୍ତ ନିର୍ବାଚନ ମଣ୍ଡଳୀରେ ପ୍ରତିନିଧିତ୍ୱ କରୁଛନ୍ତି । ୪ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରାଉତରାୟ ପରିବାରର ଦବଦବା ଓଡିଶା ରାଜନୀତିରେ ରହିଛି । ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଉକ୍ତ ପଞ୍ଚାୟତରେ ଦେଖାଦେଇଛି ଦଳୀୟ ବିଶୃଂଖଳା । ଦଳୀୟ ସମର୍ଥନରୁ ସରପଞ୍ଚ ପ୍ରାର୍ଥୀ ହେବା ପାଇଁ ୨ ଗୋଷ୍ଠି ମଧ୍ୟରେ ଟଣା ଓଟରା ହୋଇଥିଲା । ବିବାଦ ଏପରି ଉଗ୍ର ରୂପ ନେଇଥିଲା ଯେ ଉଭୟ ଗୋଷ୍ଠିଙ୍କୁ ସନ୍ତୁଷ୍ଟ କରିବା ଦଳୀୟ ନେତୃବୃନ୍ଦଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ଶେଷରେ ଯେଉଁ ଗୋଷ୍ଠିର ପ୍ରାର୍ଥୀଙ୍କୁ ଦଳୀୟ ସମର୍ଥନ ମିଳିଲା ତାଙ୍କୁ ଅନ୍ୟ ଗୋଷ୍ଠି ବିରୋଧ କରିବା ସହ ଜଣେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଏହି ବିଦ୍ରୋହୀ ଗୋଷ୍ଠି ଜଣେ ଉଚ୍ଚ ଶିକ୍ଷିତା ମହିଳା ସସ୍ମୀତା ମଲିକଙ୍କୁ ପ୍ରାର୍ଥୀ କରାଇଛନ୍ତି ।

ବେଆଇନ ଭାବେ ଦଳୀୟ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ପଞ୍ଚାୟତ ସ୍ତରୀୟ କୋର କମିଟିର ସଦସ୍ୟଙ୍କ ସମର୍ଥନ ବିନା ଯାହାଙ୍କୁ ଦଳୀୟ ପ୍ରାର୍ଥୀ ବୋଲି ଘୋଷଣା କରାଯାଇଛି ତାହା ବିରୋଧରେ ଏବେ ଅସନ୍ତୋଷର ବହ୍ନି ଜଳୁଥିବା ଏହି ବିଦ୍ରୋହୀ ଗୋଷ୍ଠିର ନେତୃବୃନ୍ଦମାନେ ମତ ରଖିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏପରି ଅବସ୍ତା ସୃଷ୍ଟି ହୋଇଥିଲା । ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଯେଉଁ ବିଦ୍ରୋହୀ ପ୍ରାର୍ଥୀଙ୍କୁ ବିଜୟୀ କରାଯାଇଥିଲା ସେ ଦଳରେ ସାମିଲ ହୋଇଥିଲେ ବି ୫ ବର୍ଷ କାଳ ଏକଛତ୍ରବାଦ ଚଳାଇ ସରକାରୀ ଯୋଜନାକୁ ନିଜ ଇଙ୍ଗିତରେ ପରିଚାଳନା କରିଥିଲେ । ପୂର୍ବରୁ ବାରମ୍ବାର ଏନେଇ ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ ଅସନ୍ତୋଷ ବୃଦ୍ଧିକୁ ରୋକିବା ପାଇଁ ନିରବ ରହିଯାଇଥିବା ଏବଂ ଏହି ପ୍ରାର୍ଥୀ ଚୟନରେ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାକୁ ନେଇ ଏକ ବଡ ଗୋଷ୍ଠି ଏପରି ନିଷ୍ପତ୍ତି ନେଇଛନ୍ତି । ଏହି ବିଦ୍ରୋହୀ ଗୋଷ୍ଠିରେ ପଞ୍ଚାୟତ ସ୍ତରୀୟ ବରିଷ୍ଠ ନେତାଙ୍କ ସହ ଯୁବ, ବୃଦ୍ଧ ଓ ମହିଳାମାନେ ସ୍ୱତ ପ୍ରବୃତ ଭାବେ ସାମିଲ ହୋଇ ଏକ ପ୍ରକାର ମେଳି ଆରମ୍ଭ କରିଦେଇଛନ୍ତି । ଏପରିକି ବିଦ୍ରୋହୀ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପଣ କରିନେଇଛନ୍ତି । ସବୁଠୁ ବଡ କଥା ହେଉଛି ବିଜେଡିର ମହିଳା ଓ ପୁରୁଷ ପଞ୍ଚାୟତ ସଭାପତିଙ୍କ ମଧ୍ୟରେ ଏହି ବିବାଦକୁ ନେଇ ଫାଟ ମଧ୍ୟ ଦେଖାଦେଇଛି । ସଭାପତି ଗଣେଶ ନାୟକ ବିଜେଡି ସମର୍ଥିତ ପ୍ରାର୍ଥୀନିଙ୍କ ସପକ୍ଷରେ ଥିବା ବେଳେ ମହିଳା ସଭାନେତ୍ରୀ ତଥା ପୂର୍ବତନ ସରପଞ୍ଚ ଜୟଶ୍ରୀ ନାୟକ ବିଦ୍ରୋହୀ ପ୍ରାର୍ଥୀନିଙ୍କୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ସମସ୍ତ ମହିଳା ଗୋଷ୍ଠିଙ୍କୁ ନେଇ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ବିଗତ ଦିନର ଫଳାଫଳକୁ ବିବେଚନା କଲେ ଜଣାଯାଏ ଯେ ମହିଳା ମାନଙ୍କ ସମର୍ଥନ ହିଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ । ଯଦି ଏହା ପ୍ରମାଣିତ ହୁଏ ମୁକୁନ୍ଦପୁରର ଫଳାଫଳ ପୂର୍ବ ନିର୍ବାଚନ ପରି ହେବରା ସମ୍ଭାବନା ଦେଖାଦେଇଛି । ଏହି ବିଦ୍ରୋହୀ ଗୋଷ୍ଠି ପଞ୍ଚାୟତର ୨୩ ୱାର୍ଡ ମଧ୍ୟରୁ ୨୧ ଟିରେ ପ୍ରାର୍ଥୀ ଦେଇଛି ଏବଂ ସେମାନଙ୍କ ମଧ୍ୟରୁ କେତେକ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ତାଙ୍କ ପ୍ରତି ବିପୁଳ ସମର୍ଥନ ଥିବା ଦାବି କରିଛନ୍ତି । ସୋମବାର ସଂଧ୍ୟାରେ କାଳିମେଘା ଗାଁରେ ବରିଷ୍ଠ ନେତା କମଳାମାନ୍ତ ସ୍ୱାଇଁ ପୌରାହିତ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମରେ ଅଜୟ ବେହେରା, ପଦ୍ମଲୋଚନ ପତି, ହେମନ୍ତ ମହାନ୍ତି, ବିଭୂତି ଭୂଷଣ ପାଟ, ବ୍ରଜକିଶୋର ବେହେରା, ଅନାମ ପାଟ, ରାଜେଶ ପାଇଲଟ, ଦେବ ପତି, ଶିବ ପାଟ, ଅଭିଷେକ ନାୟକ, ରଘୁନାଥ ସେଠୀ, ସୁଜିତ ପ୍ରଧାନ, ନରେନ୍ଦ୍ର ସାହୁ, ରତିକାନ୍ତ ସାହୁ, ପିତାମ୍ବର ମହଲା, କୈଳାସ ସାହୁ, ସୁଧାଂଶୁ ଶେଖର ମହାଳିକ, କାଶିନାଥ ସେଠୀ, ଧନେଶ୍ୱର ଦାସ, ପ୍ରକାଶ ସାହୁ, ବସନ୍ତ ପ୍ରଧାନ, ଚିନ୍ତାମଣୀ ମହଲା, ରୁଗା ସାହୁ, ବଟୁଳି ମହଲା, ପୂର୍ଣ୍ଣଚନ୍ଦ୍ର ନାୟକ, ଗୁଣ୍ଡୁରି ନାୟକ, ବାସନ୍ତୀ ଲତା ସାହୁ, ଉର୍ମିଳା ସେଠୀ, ଭାରତୀ ସାହୁ ପ୍ରମିଳା ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ରଣନୀତି ସଂପର୍କରେ କଆଲୋଚନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |