ମହରମପୁର ପଞ୍ଚାୟତରେ ବିଦ୍ରୋହୀ ବିଜେଡି ପ୍ରାର୍ଥି ନିର୍ଣ୍ଣାୟକ ଭୁମିକା ନେବ!

289

କଟକ (ଉତ୍କଳ ନିଉଜ )୨୫/୦୧/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତଥା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିଜ ପଞ୍ଚୟାତ ତିହିଡି ବ୍ଲକ ଅଧିନ ମୁକୁନ୍ଦପୁରରେ ବିଜେଡିର ଦଳୀୟ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡଗଡାଉଥିବା ବେଳେ ମହରମପୁରର ଏହି ବିବାଦ ଏବେ ଉଗ୍ରରୂପ ନେଇଛି । ଦଳୀୟ ସମର୍ଥନ ପାଇନଥିବାରୁ ବିଜେଡିର ଏକ ବଡ ଅସନ୍ତୁଷ୍ଟ ଗୋଷ୍ଠି ଦଳୀୟ ସମର୍ଥିତ ପ୍ରାର୍ଥିଙ୍କୁ ଜୋରଦାର ବିରୋଧ କରୁଛନ୍ତି । ଏହି ବିବାଦରେ ମହରମପୁର ପଞ୍ଚାୟତ ବିଜେଡି ଦୁଇଫାଳ ହୋଇଯାଇଛି । ଦଳୀୟ ସମର୍ଥିତ ପ୍ରାର୍ଥିଙ୍କୁ ଚାରିଆଡୁ ଷଣ୍ଢୁଆଶୀ ଆକ୍ରମଣ କରିବାର ପଣକରି ଭୋଟ ହାତେଇବା ଲାଗି ଏହି ଗୋଷ୍ଠି ଲାଗି ଖସଡା ପ୍ରସ୍ତୁତ କରୁଥିବା କୁହାଯାଉଛି ।

ବିଜେଡିର ଦଳୀୟ ପଞ୍ଚାୟତ କମିଟିକୁ ବିରୋଧ କରି ବ୍ଲକ ନେତୃବୃନ୍ଦ ରାତିଅଧିଆ ଏକ ଘଡିସନ୍ଧି ମୂହୁର୍ତ୍ତରେ ଟିକେଟ୍ ବିକିଲେ ସେଥିପାଇଁ ବିଦ୍ରୋହୀ ଗୋଷ୍ଠି କେବଳ ଦଳୀୟ ସରପଞ୍ଚ ଓ ସମିତି ପ୍ରାର୍ଥି ନୁହେଁ ବରଂ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କୁ ବିରୋଧ କରି ସମାନ୍ତରାଳଭାବେ ପ୍ରାର୍ଥି ଦେଇଛନ୍ତି । ଯେଉଁମାନେ ଦଳୀୟ ସଂଗଠନକୁ ଆଜିଯାଏଁ ମଜବୁତ କରି ରଖିଥିଲେ ସେମାନଙ୍କୁ କାହା ସ୍ୱାର୍ଥରେ ପ୍ରତ୍ୟାଖାନ କରାଯାଇ ଜଣ ନଳକୂପ ଖୋଳା ଠିକାଦାରଙ୍କୁ ଦଳୀୟ ସମର୍ଥିତ ପ୍ରାର୍ଥି କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏହାର ପରିଣାମ ବିଜେଡିକୁ ଭାରି ପଡିବ ବୋଲି ଅସନ୍ତୁଷ୍ଟ ଗୋଷ୍ଠି ଅକ୍ଷୟ ସେଠୀ, ଅଜୟ ବେହେରା, ସୁଧାଂଶୁ ବଳ, ପ୍ରଦୀପ ନାୟକ, କାଳନ୍ଦି ବେହେରା, ଶୁସାନ୍ତ ନାୟକ ଓ ରମାକାନ୍ତ ରାଉତ ପ୍ରମୁଖ ଚେତାବନି ଦେଇଛନ୍ତି । ବିଜେଡିର ଦଳୀୟ ସମର୍ଥନ ପାଇଥିବା ଗୌରୀଶଙ୍କର ବେହେରା ଓ ବିଦ୍ରୋହୀ ପ୍ରାର୍ଥିଭାବେ ତାପସ କୁମାର ବେହେରା ମଧ୍ୟରେ କଡ୍ଡା ଟକ୍କର ହେବ । ଉଭୟ ପ୍ରାର୍ଥି ଏବେ ବିଜେପି ଓ କଂଗ୍ରେସ ଭୋଟ୍ ବ୍ୟାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳୁଛି । ଅନ୍ୟପଟେ ବିଜେପି ସମର୍ଥିତ ପ୍ରାର୍ଥିଙ୍କ ବିରୋଧରେ ଏହି ଅସନ୍ତୁଷ୍ଟ ଗୋଷ୍ଠି ମୁହଁ ଖୋଲିଛନ୍ତି । କଂଗ୍ରେସ ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥିଭାବେ ଦେବେନ୍ଦ୍ର ନାଥ ମଳିକ ମୈଦାନରେ ଅବତିର୍ଣ୍ଣ ହୋଇଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଯୋଜନା ପ୍ରଣୟନ କରିବାରେ ବିଫଳ ହେବା ସହିତ ନାନାଦି ଦୂର୍ନୀତି ହୋଇଥିବାକୁ ମୁଦ୍ଦା କରି ନିର୍ବାଚନ ଲଢିବେ ବୋଲି କହିଛନ୍ତି ।

ସେହିପରି ଗତ ଥର ନିର୍ବାଚିତ ସରପଞ୍ଚଙ୍କ ଦିଅର ଶଶାଙ୍କ ଶେଖର ରାଉଳ ସରପଞ୍ଚ ଦୌଡରେ । ତାଙ୍କ ହାତରେ ରହିଛି ବିଜେପି ଦଳୀୟ ସମର୍ଥନ । ବିଗତ ୫ ବର୍ଷର ସଫଳତା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସେ ପୁଣି ଥରେ ତାଙ୍କ ପରିବାର ଭୋଟରଙ୍କ ଅନୁକମ୍ପା ପାଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୋଟାମୋଟି ଭାବେ ତିନି ଦଳୀୟ ସମର୍ଥିତ ପ୍ରାର୍ଥି ଏବଂ ବିଜେଡିର ବିଦ୍ରୋହୀ ପ୍ରାର୍ଥିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାକୁ ଥିବାବେଳେ ସମସ୍ତଙ୍କ ନଜର ରହିଛି ବିଦ୍ରୋହୀ ଗୋଷ୍ଠିଙ୍କ ଉପରେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |