ବିଜେଡିକୁ ଶକ୍ତ ଧକ୍କା, ବିଜେପିରେ ସାମିଲ ହେଲେ ଦେବେନ୍ଦ୍ର ପୁହାଣ |

356

କଟକ(ଉତ୍କଳ ନିଉଜ )୧୬/୦୧/୨୦୨୨ : ବିଜେଡିକୁ ଶକ୍ତ ଧକ୍କା ହୋଇଥିବା ବାରି ହୋଇଛି । ବିଜେଡିର ଦଳର ଟାଣୁଆ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ ଆଜି ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଳା ଧାମନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ତିହିଡି ବ୍ଳକର ୧୩ ପଞ୍ଚାୟତ ରାଜନୀତି ଏବେ ଗୋଳିଆ ହେବାରେ ଲାଗିଛି । ବିଗତ ଦିନରେ ବିଜେଡିର ଗଡ ଭାବେ ପରିଚତ ଥିବା ଏହି ୧୩ ପଞ୍ଚାୟତରେ ଦଳୀୟ କନ୍ଦଳ ଏବେ ବଷ୍ପୋରକ ରୂପ ନେବାକୁ ଲାଗିଲାଣି । ଦଳୀୟ ବିଶୃଂଖଳା ସହିତ ଏକାଧିକ ଆଶାୟୀଙ୍କ ଜିଦ୍ ପାଇଁ ଦଳରେ ବିଭାଜନ ଭଳି ପରିସ୍ଥିତି ସୃଷ୍ଟି ହେଲାଣି । ଏପରି ସ୍ଥଳେ ଜଣେ ବରିଷ୍ଠ ବିଜେଡି ନେତା ନିଜ ସମର୍ଥକଙ୍କ ସହ ଦଳ ଛାଡିବା ଓ ପରେ ବିଜେପିରେ ଯୋଗଦେବା ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏହି ୧୩ ପଞ୍ଚାୟତ ମଧ୍ୟରେ ବିଲଣା ପଞ୍ଚାୟତ ରାଜନୀତି ସଦାସର୍ବଦା ଚର୍ଚ୍ଚାରେ ରହିଥାଏ । ଏହି ପଞ୍ଚାୟତରୁ ପ୍ରତିନିଧିତ୍ୱ କରୁଥିବା ଜନପ୍ରତିନିଧିଙ୍କ ବ୍ଳକ ସ୍ତରରେ ଦବଦବା ଦେଖିବାକୁ ମିଳିଥାଏ । ମୁଖ୍ୟତଃ ନାୟକ ପରିବାର ଦବଦବା ଏହି ପଞ୍ଚାୟତ ଉପରେ ରହିଥାଏ । ଏହି ପଞ୍ଚାୟତରୁ ପୂର୍ବରୁ ଜିଲ୍ଳା ପରିଷଦ ସଦସ୍ୟ ଭାବେ ପ୍ରତିନିଧିତ୍ୱ କରୁଥିବା ତଥା ବିଲଣା ସମବାୟ ସମିତିର ୩ ଥର ସଭାପତି ହୋଇଥିବା ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ପୁହାଣ (ଭାକୁଲା)ଙ୍କ ଦବଦବା ମଧ୍ୟ ବେଶ ରହିଛି । ତାଙ୍କର କେବଳ ବିଲଣା ପଞ୍ଚାୟତରେ ନୁହେଁ ଧାମନଗର ୧୩ ପଞ୍ଚାୟତରେ ଭଲ ସାଂଗଠାନିକ ସ୍ଥିତି ରହିଛି । ଗତ ୨ ଦିନ ତଳେ ଶ୍ରୀ ପୁହାଣ ଦଳର ଦୂର୍ନୀତି ଓ ପରିବାରବାଦ ରାଜନୀତିକୁ ବିରୋଧ କରି ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ।

ରବିବାର ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦୃଢ଼ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରାରେ ପ୍ରଭାବିତ ହୋଇ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି । ମଣ୍ଡଳ ସଭାପତି ପ୍ରମୋଦ ଦାସଙ୍କ ପୌରାହିତ୍ୟରେ ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବରେ ବିଧାୟକ ବିଷ୍ଣୁ ସେଠୀ, ବୁଦ୍ଧଦେବ ଜେନା ପ୍ରମୁଖ ଯୋଗଦେଇ ଶ୍ରୀ ପୁହାଣ ଏବଂ ତାଙ୍କର ଶତାଧିକ ସମର୍ଥକଙ୍କୁ ଦଳରେ ସାମିଲ କରିବା ସହ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇଥିଲେ । ବୋଡକ, ତଳଗୋପବିନ୍ଧା, କୁବେରା ଓ ବିଲଣା ପଞ୍ଚାୟତର ସୂଚିସ୍ମିତା ପୁହାଣ, ପ୍ରଶାନ୍ତ ଖୁଣ୍ଟିଆ, ରାକେଶ ନାୟକ, ଶେଷଦେବ ପୁହାଣ, ନିତ୍ୟାନନ୍ଦ ମଳିକ, ପ୍ରସନ୍ନ ଜେନା, ବାବାଜୀ ମଳିକ, କରୁଣାକର ମଳିକ, ଶଶିକାନ୍ତ ଜେନା ଓ ନରେନ ସାମଲଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିବା ଜଣାଯାଇଛି । ତେବେ ଶ୍ରୀ ପୁହାଣଙ୍କ ଯୋଗଦାନରେ ଦଳ ଅଧିକ ସଶକ୍ତ ହେବା ସହିତ ବିଲଣା ପଞ୍ଚାୟତ ଓ ତିିହିଡି ବ୍ଳକ ଅଧ୍ୟକ୍ଷ ପଦ ହାସଲ କରିବା ଆହୁରି ସହଜ ହେବ ବୋଲି ବିଧାୟକ ଶ୍ରୀ ସେଠୀ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |