ପୂର୍ବ ଶତୃତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ |

351

କଟକ(ଉତ୍କଳ ନିଉଜ)୦୨/୦୧/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ଘଣ୍ଟେଶ୍ୱର ଖଦାଳପୋଖରୀ ଗ୍ରାମ ପଞ୍ଚାୟତ ଅଧିନ ରାଇପୁର ଗ୍ରାମରେ ରାଜନୈତିକ ଉଷ୍ମତାକୁ ନେଇ ସଂପ୍ରତି ଗୋଷ୍ଠି ସଂଘର୍ଷର ରୂପ ନେଉଛି । ଶାସକ ବିଜେଡି ଓ ବିଜେପି ମଧ୍ୟରେ ଏହିପରି ଗୋଷ୍ଠି ସଂଘର୍ଷରେ ସାଧାରଣ ଲୋକେ ଭୟଭିତ ହେଉଥିବା ମଧ୍ୟ ବାରି ହୋଇଛି । ଗତ ତା ୩୦.୧୨.୨୧ରିଖରେ ରାଇପୁର ହାଟରେ ଭିଁପୁର ଗ୍ରାମର ଦୁଇପକ୍ଷଙ୍କ ମଧ୍ୟରେ ହେଉଥିବା ଗଣ୍ଡଗୋଳ ସମୟରେ ରାଇପୁର ଗାଁର ଅଜୟ ପଣ୍ଡା ନାମକ ଜଣେ ବିଜେଡି କର୍ମୀ ସେମାନଙ୍କ ମଧ୍ୟ ବୁଝାବଣା କରାଇବା ସହିତ ଗଣ୍ଡଗୋଳରୁ ନିବୃତ କରାଇଥିଲେ । ମାତ୍ର ରାତି ପ୍ରାୟ ୮ଘଟିକାରେ ସେମାନଙ୍କ ଗୋଟିଏ ପକ୍ଷ ଭିଁପୁର ଗ୍ରାମର କେତେକ ଅସାମାଜିକ ବ୍ୟକ୍ତି ମିଳିତଭାବେ ଅଜୟ ପଣ୍ଡାଙ୍କୁ ଉକ୍ତ ହାଟରେ ଜଣକ ଦୋକାନରେ ବସିଥିବା ବେଳେ ଅତର୍କିତ ଆକ୍ରମଣ କରାଯାଇଥିଲା । ଯାହାକୁ ନେଇ ଅଜୟ ପଣ୍ଡା ଘଣ୍ଟେଶ୍ୱର ଫାଣ୍ଡିରେ ଏତଲା ଦେଇଥିଲେ । ଦିର୍ଘ ୨ ଦିନ ପୋଲିସ ନିରବ ରହିବା ପରେ ରବିବାର ପୂର୍ବାହ୍ନରେ ଅଜୟ ପଣ୍ଡାଙ୍କ ସମେତ ଅପରପକ୍ଷଙ୍କୁ ଫାଣ୍ଡିକୁ ଡକାଯାଇଥିଲା । ମାତ୍ର ଅପରପକ୍ଷ ଫାଣ୍ଡିକୁ ନଯିବାରୁ ଅଜୟ ପଣ୍ଡା ଘରକୁ ଫେରୁଥିବା ସମୟରେ କୋଳିଆଡିଆ ଛକ ନିକଟରେ ପୂର୍ବ ପ୍ରସ୍ତୁତି ଅନୁଯାଇ ପୂନଶ୍ଚ ଅଜୟ ପଣ୍ଡାଙ୍କୁ ଆକ୍ରମଣ କରାଯାଇଥିଲା । କୋଳିଆଡିଆ ଗାଁର ସତ୍ୟାନନନ୍ଦ ମହାଳିକ ଓରଫ୍ ଅଗଣି ଓ ଗୋପବନ୍ଧୁ ମହାଳିକଙ୍କ ସମେତ ଅନ୍ୟ କେତେକ ଅଚିହ୍ନା ଯୁବକ ତାଙ୍କୁ ଦିନ୍ ଦହାଡେ ଅତର୍କିତଭାବେ ଆକ୍ରମଣ କରାଯାଇଥିବା ନେଇ ଅଜୟ ପଣ୍ଡା ଫାଣ୍ଡି ଉପରେ ଭରଷା ନକରି ସିଧାସଳଖ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ସେଠାରେ ପୋଲିସର ନିରବତା ଏବଂ ବିଳମ୍ବତାକୁ ନେଇ ଅଜୟ ପଣ୍ଡାଙ୍କୁ ମର୍ମାହତ କରିଛି ।

ଏବଂ ତାଙ୍କୁ ସମର୍ଥନ କରି ଖଦାଳପୋଖରୀ ପଞ୍ଚାୟତର ପ୍ରକାଶ ବିଶ୍ୱାଳ, ରମେଶ ପଣ୍ଡା, ନଟବର ବିଳାସ, ନୃସିଂହ ରାଉତ, ଗୌରହରି ରାଉତ, ସନାତନ ବାରିକ, ଗଣେଷ ନାୟକ ପ୍ରମୁଖ ଶତାଧିକ ଲୋକେ ଥାନା ପରିସରରେ ନାରାବାଜି କରିଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆନଗଲେ ଆଗାମି ଦିନରେ ପୋଲିସ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନି ଦିଆଯାଇଥିଲା । ତେବେ ବିଳମ୍ବ ହେଲେ ମଧ୍ୟ ପୋଲିସ ପକ୍ଷରୁ ଥାନାରେ ଏକ ମାମଲା ୦୪/୨୨, ଦଫା ୩୪୧, ୨୯୪, ୩୨୩ ଓ ୫୦୬ ଏବଂ ୩୪ ଆଇପିସି ରୁଜୁ କରାଯାଇଛି ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନିଆଯିବ ବୋଲି ଭାରପ୍ରାପ୍ତ ଥାନାଧିକାରୀ ମହମ୍ମଦ ହାପିଜ୍ ପ୍ରତିଶୃତି ଦେବାପରେ ଏହି ପକ୍ଷରୁ ନିବୃତ ରହିଥିଲେ । ଏଠାରେ ସୂଚନା ଥାଉକି, କୋଳିଆଡିଆ ଗ୍ରାମଦେଇ ଖଦାଳପୋଖରୀକୁ ଏକମାତ୍ର ରାସ୍ତା ରହିଛି । ବିଭିନ୍ନ ସମୟରେ କୋଳିଆଡିଆ ଗାଁଦେଇ ଖଦାଳପୋଖରୀ ପଞ୍ଚାୟତବାସୀ ଘଣ୍ଟେଶ୍ୱରକୁ ଆସୁଥିବା ବେଳେ ଆକ୍ରମଣର ଶିକାର ହେଉଥିବା ନେଇ ବାରମ୍ବାର ଥାନାରେ ଏତଲା ହେବା ସହିତ ମାମଲା ମଧ୍ୟ ରୁଜୁ ହେଉଛି ତଥାପି ଏହା ଥମ୍ମିବାରେ ନାଁ ଧରୁନି । ଆଗକୁ ନିର୍ବାଚନ, ଏହି ଘଟଣାର ପୂର୍ଣ୍ଣଚ୍ଛେଦ ନପଡିଲେ ପରିସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଥିବା ବେଶ ବାରି ହେଉଛି । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ଦିକ୍ଷୀତ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |