ଗୋସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ, ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ

226

କଟକ(ଉତ୍କଳ ନିଉଜ) ୩୧/୧୨/୨୦୨୧ : ବେଆଇନ ଗୋଚାଲାଣ ବିରୋଧରେ ଆଇନ୍ ଆଣିବାରେ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୂରୀ ଏକ ବିଧେୟ ପାରିତ କରି ଯାହାକୁ ଆଇନ୍‌ରେ ପରିଣତ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଆଇନ୍‌କୁ ଅନୁସରଣ କରି ଗୋଚାଲାଣ ବିରୋଧରେ ସମାନ ଆଇନ୍ ପ୍ରଣୟନ କରାଯାଇଥିଲା । ହେଲେ ବିଡମ୍ବନାର ବିଷୟ ଅନ୍ୟ ରାଜ୍ୟ ଅପେକ୍ଷା ଆଜିର ଦିନରେ ଏହି ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ଓଡିଶା ଭାରତରେ ତଳଆଡୁ ଏକ ନମ୍ବର ଭାବେ ଉଭା ହୋଇଛି । ଯାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି ଓଡିଶାର ଭଦ୍ରକ ଜିଲ୍ଲାରେ । ବିଗତ କିଛି ବର୍ଷ ହେଲା ଗୋସୁରକ୍ଷାକୁ ନେଇ ଗୋସୁରକ୍ଷା ମଞ୍ଚ ସହିତ ବଜରଙ୍ଗ ଦଳ, ଆରଏସଏସ, କେତେକ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଉଛି । ମାତ୍ର ପ୍ରଶାସନିକ ସ୍ତରରେ ଏଯାଏଁ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଏପରିକି ଗୋରୁ ବୋଝେଇ ଗାଡି ଧରା ହେଉଥିବା ଏବଂ ଚାଲାଣକାରୀ ଅଟକ ହେଉଥିବା ବେଳେ ମଧ୍ୟ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉନଥିବାରୁ ଏହି ପ୍ରଥ ଥମ୍ମିବାରେ ନାଁ ଧରୁନି ।

ଯାହା ଫଳ ସ୍ୱରୁପ ଗୋଚାଲାଣକାରୀ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଥିବା ବାରି ହେଉଛି । ତେବେ ଏଇ ଦୁଇଦିନ ମଧ୍ୟରେ ଜିଲ୍ଲା ସଦର ମହକୁମାରେ ଏହି ଗୋସୁରକ୍ଷାକୁ କେନ୍ଦ୍ରକରି ଉଭୟ ସପକ୍ଷ ଓ ବିପକ୍ଷବାଦୀ ପ୍ରତିବାଦ ସାରା ରାଜ୍ୟରେ ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି । ଆସନ୍ତୁ ଦେଖିବା ଉଭୟଙ୍କ ପ୍ରତିବାଦ ଓ ପ୍ରତିକ୍ରିୟା । ଗୃହପାଳିତ ପଶୁ ଚାଷୀ ଓ ଗୋରୁ ବ୍ୟବସାୟୀମାନଙ୍କୁ ପୂର୍ବ ପରି ଆଇନ୍ ଅନୁଯାୟୀ ଗୋରୁ ପରିବହନରେ ସହଯୋଗ କରିବା ପାଇଁ ଦାବି କରାଯାଇଛି । ଏନେଇ ଅଲ୍ ଇଣ୍ଡିଆ ଜମିଆତୁଲ କୁରେସ, ଓଡ଼ିଶା ଶାଖା ରାଜ୍ୟ ସଭାପତି ସେଖ୍ ମୁଷାକିମ୍ ବକ୍ସ କୁରୈସିଙ୍କ ନେତୃତ୍ୱରେ ସିଆଇଟିୟୁର ଜିଲ୍ଲା ସଭାପତି ତଥା ଆଇନ୍‌ଜିବୀ ଦିବ୍ୟସିଂ ନାୟକଙ୍କ ସମେତ ପଶୁ ଚାଷୀ ଓ ଗୋରୁ ବ୍ୟବସାୟୀମନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି । ଗୃହପାଳିତ ପଶୁ ଚାଷୀ ଓ ପଶୁ ବ୍ୟବସାୟୀଙ୍କୁ ଗୋଟିଏ ହାଟରୁ ଅନ୍ୟ ହାଟକୁ ବିକ୍ରି କରିବା ପାଇଁ ଗୋରୁ ନେଇଯାଉଥିବା ସମୟରେ ବିଭିନ୍ନ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରଇ ଆକ୍ରମଣର ଶିକାର ହେଉଛନ୍ତି । ଯାହାଦ୍ୱାରା ବହୁ ଧନ ଜୀବନ ହାନି ହେଉଛି । ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ବିଭିନ୍ନ ସମୟରେ ଗୋରୁ ବ୍ୟବସାୟୀମାନଙ୍କଠାରୁ ବଟି ଆଦାୟ କରାଯାଉଛି । ଏଆଇଜେକ୍ୟୁ ଓ ହିନ୍ଦୁସ୍ତାନ ଏନିମାଲ ଟ୍ରାନ୍ସପୋର୍ଟଙ୍କ ଦ୍ୱାରା ପଶୁ ଚାଷୀ ଓ ଗୋରୁ ବ୍ୟବସାୟୀମାନଙ୍କୁ ପଶୁ ପରିବହନ ନିୟମ ୧୯୭୮ ଓ ୨୦୦୯ର ଆଇନ୍ ଅନୁଯାଇ ଗୋଚାଲାଣ କରିବା ଲାଗି ଦାବି କରାଯାଇଛି । ଯଦି କେନ୍ଦ୍ର ସରକାର ନୂତନ ଚାଷୀ ମାରଣା ନୀତି କେବଳ ଚାଷୀମାନଙ୍କର ହିତ ପାଇଁ ଫେରସ୍ତ ନେଇଗଲେ କିନ୍ତୁ ପଶୁପରିବହନ ନିୟମ ୧୯୭୮ ଓ ୨୦୦୯ ଆମେଣ୍ଡମେଣ୍ଟଆଇନ ଅନୁଯାୟୀ ଗୋରୁ ପରିବହନ କରିବାକୁ ଦିଆଯିବାକୁ ଦାବି କରାଯାଇଛି । ଯାହାଦ୍ୱାରା ପଶୁ ଚାଷୀ ଓ ଗୋରୁ ବ୍ୟବସାୟୀଙ୍କୁ ନିଜ ଜୀବିକା ବଂଚାଇବା ପାଇଁ ବେନିୟମ ଗୋରୁ ପରିବହନ କରିବା ପାଇଁ ବାଧ୍ୟ ହେବେନାହିଁ ବୋଲି ଯୁକ୍ତି ବାଢିଛନ୍ତି । ତେଣୁ ପଶୁ ପରିବହନ ନିୟମ ୧୯୭୮ ଆମେଣ୍ଡମେଣ୍ଟ୨୦୦୯ ଆଇନ୍‌କୁ ପାଳନ କରି ଆଇନ ଅନୁଯାୟୀ ଗୋରୁ ପରିବହନ କରିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପଶୁ ଚାଷୀ ଓ ଗୋରୁ ବ୍ୟବସାୟୀଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ଆଦେଶ ଦେବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କୁ ନିବେଦନ କରିଥିବା ଜଣାଯାଇଛି । ଅନ୍ୟପଟେ ଭଦ୍ରକ ଜିଲ୍ଲା ଗୋ ସୁରକ୍ଷା ସମିତି ଗୋଚାଲାଣକୁ ନେଇ ରାଜନୀତି କରିବା ଏକ ନିନ୍ଦନୀୟ ବୋଲି ଦାବି କରି ସପକ୍ଷବାଦୀଙ୍କ ବିରୋଧରେ ନାରାବାଜି କରାଯାଇଛି । ବିଶ୍ୱ ସୁରକ୍ଷା ମଞ୍ଚର ରାଜ୍ୟ ସଭାପତି ତଥା ହାଇକେର୍ଟର ଆଇନ୍‌ଜୀବି ସୁରେଶ କୁମାର ପଣ୍ଡା ଓ ଗୋସୁରକ୍ଷା ସମିତିର ଆବାହକ ସଭାପତି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ସମେତ ଅପୁର୍ବ ରଞ୍ଜନ ବେହେରା, ସୁରଜ ସୂର‌୍ୟ୍ୟବଂଶୀ, ମାନସ ମହାନ୍ତି ପ୍ରମୁଖ ଶତାଧିକ କର୍ମକର୍ତ୍ତାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ ଗୋ ଚାଲାଣ ଦିନକୁ ଦିନ ବଢ଼ି ଚାଲିଛି । ଯାହାକୁ ବନ୍ଦ କରିବାକୁ ନେଇଏହି ଗୋ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେଇଥିଲେ । ଜିଲ୍ଲାରେ ବେଆଇନ ଗୋଚାଲାଣ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଅନ୍ୟ ବିଭିନ୍ନ ଜିଲ୍ଲାରୁ ଭଦ୍ରକସ୍ଥିତ ଜାତୀୟ ରାଜପଥ ଦେଇ ଦୈନିକ ଲକ୍ଷଲକ୍ଷ ନିରୀହ ଗୋରୁଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଓ ଅମାନବୀୟ ଶୈଳୀରେ ବିଭିନ୍ନ ଗାଡ଼ିରେ ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ରାଜ୍ୟମାନଙ୍କୁ ବେଆଇନ ଚାଲାଣ କରାଯାଉଛି ଏପରିକି ଗାଡ଼ିର କ୍ଷମତା ବହିର୍ଭୁତ ଭାବେ ଲଦାଯାଇ ଚାଲାଣ କରାଯାଉଛି । ଗୋ ଚାଲାଣ ଆଇନ ନିୟମ ଅନୁଯାୟୀ ଯଦି ଚାଲାଣ କରାଯାଏ ତେବେ ଏହି ସଂଘ ତରଫରୁ କୌଣସି ବିରୋଧ କରାଯିବ ନାହିଁ । ତେବେ ଆଗାମୀ ଦିନରେ ଏହି ବେଆଇନ ଭାବେ ଗୋଚାଲାଣ କୁ ବନ୍ଦ କରା ନଯାଏ ତେବେ ଏହି ସମିତି ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନି ଦିଆଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |