ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ

308

କଟକ(ଉତ୍କଳ ନିଉଜ)୨୩/୧୨/୨୦୨୧ : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଂଟେଶ୍ୱର ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦାସ । ପଦବୀ ଓ କ୍ଷମତା ବଂଚାଇବା ପାଇଁ ଏପରି ମିଥ୍ୟା ତଥ୍ୟ ଦେଉଥିବା ମଧ୍ୟ କୁହାଯାଉଛି । ଅନ୍ୟପଟେ କୋର୍ଟରେ ମାମଲା ବିଚାରଧିନ ଥିବା ଦର୍ଶାଇ କଲେଜର ପରିଚାଳନା କମିଟିର ସଭାପତିଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ନିର୍ଦ୍ଦେଶ ମୁତାବକ ସଂପୃକ୍ତ ଅଧ୍ୟକ୍ଷ ତଥ୍ୟ ଦେଇନଥିବା ମଧ୍ୟ ଚର୍ଚ୍ଚାକୁ ଆସିଛି । ତାଙ୍କ ବିରୋଧରେ ଉଚ୍ଚ ଶିକ୍ଷା ବିଭାଗ ବିହିତ ପଦକ୍ଷେପ ନେବାଲାଗି କଲେଜର ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ସୁପାରିଶ କରିଥିବା ଜଣାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୦୮୯/ତା ୧୫-୧୨.୨୧ରିଖରୁ ଏହା ସ୍ପଷ୍ଟ ହୋଇଛି । ତେବେ ତାଙ୍କ ବିରୋଧରେ ବିଭାଗ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି ତାହା କେବଳ ଦେଖିବା ବାକି ରହିଲା । ସୂଚନା ମୁତାବକ, ଜନ୍ମ ତାରିଖ ମୁତାବକ ବରିଷ୍ଠତା ଭିତିରେ ଅଧ୍ୟକ୍ଷ ପଦବୀ ପ୍ରଦାନ କରାଯିବା ନେଇ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୭୯୬୪/ ତା ୩୧-୦୮-୨୧ରିଖରେ ନିର୍ଦ୍ଦେଶ ହୋଇଛି । ଯାହାକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାସ ଲୁଚାଇ ରଖି ରିପୋର୍ଟ ଦାଖଲ କରିିନଥିବା ଅଧ୍ୟାପକ ଅଚ୍ୟୁତାନନ୍ଦ ମହାନ୍ତି ଅଭିଯୋଗ କରିଛନ୍ତି । ଅଧ୍ୟକ୍ଷ ପଦବୀର ଦାବିଦାର ହେବାପାଇଁ ଅଧ୍ୟାପକ ଅଚ୍ୟୁତାନନ୍ଦ ମହାନ୍ତି ନିଜର ସମସ୍ତ ପ୍ରମାଣ ପତ୍ର ସହିତ ଗତ ତା ୦୧-୧୧-୨୧ରିଖରେ ବିଭାଗୀୟ ଅତିରିକ୍ତ ସଚିବଙ୍କ ନିକଟରେ ଦାଖଲ କରିଥିଲେ । ତାଙ୍କର ପ୍ରମାଣ ପତ୍ର ଓ ଯଥାର୍ଥତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୪୭୧୩୨/ତା ୨୬-୧୧-୨୧ ରିଖରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯିବା ଲାଗି କଲେଜ ପରିଚାଳନା କମିଟିର ସଭାପତି ତଥା ଭଦ୍ରକ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କରାଯାଇଥିଲା ।

ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୯୧୭/ତା ୦୪-୧୨-୨୧ ରିଖରେ ଏବଂ ପତ୍ର ସଂଖ୍ୟା ୩୦୩୨/ତା ୧୦-୧୨-୨୧ରିଖରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦାସଙ୍କୁ ସରକାରଙ୍କ ଗାଇଡ୍ ଲାଇନ୍ ମୁତାବକ ଅଚ୍ୟୁତାନନ୍ଦ ମହାନ୍ତିଙ୍କ ପ୍ରସ୍ତାବ ଅନୁଯାଇ ତାଙ୍କର ଜନ୍ମ ତାରିଖ ସମ୍ପର୍କରେ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ କରାଯାଇଥିଲା । ମାତ୍ର ଶ୍ରୀ ଦାସ ଉକ୍ତ ଆଦେଶ ମୁତାବକ ରିପୋର୍ଟର୍ ଦାଖଲ କରିନଥିବାରୁ ଉପଜିଲ୍ଲାପାଳଙ୍କ ପକ୍ଷରୁ ତାଙ୍କ ବିରୋଧରେ ଏପରି ସୁପାରିଶ କରାଯାଇଥିବା ଜଣାଯାଇଛି । ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ତାହା ସରକାରଙ୍କ ନିର୍ଦ୍ଦେଶ ବାହାରେ ବୋଲି ମଧ୍ୟ ଜଣାଯାଇଛି । ଅଧ୍ୟକ୍ଷ ପଦବୀକୁ ନେଇ ଚାଲିଥିବା ଟଣାଓଟରାରେ ଗତ ୯ ତାରିଖରେ କଲେଜରେ ହଟଗୋଳ ପରିସ୍ଥିିତି ସୃଷ୍ଟି ହୋଇଥିଲା । ପରେ ଉପଜିଲ୍ଲାପାଳ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନା ମୁତାବକ, ଏହି କଲେଜର ଅଧ୍ୟକ୍ଷ ପଦବୀ ହାତେଇବାକୁ ନେଇ ବିବାଦ ଦେଖା ଦେଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦାସଙ୍କ ବିରୋଧରେ ଅନ୍ୟ ଅଧ୍ୟାପକ/ଅଧ୍ୟାପକ ମାନଙ୍କର ତୁମ୍ଭି ତୋଫାନ ଚାଲ ୁରହିଛି । ଏଠାରେ ସୂଚନା ଥାଉକି, ପୂର୍ବରୁ କଲେଜରେ ଅଧ୍ୟାପକମାନଙ୍କ ମଧ୍ୟରେ ନିଯୁକ୍ତି ତାରିଖରେ ବରିଷ୍ଠତା ଭିତ୍ତିରେ ଭାରପ୍ରାପ୍ତ ଅଧ୍ୟକ୍ଷ ପଦବୀ ପ୍ରଦାନ କରାଯାଉଥିଲା । ଏହି ପରିପ୍ରେକ୍ଷିରେ ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ବିଜୟ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଥିଲେ । ମାତ୍ର ସରକାରଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି ଏବଂ ଅଧ୍ୟାପକମାନଙ୍କ ଜନ୍ମ ତାରିଖ ଅନୁଯାଇ ବରିଷ୍ଠତା ନିଆଯାଇ ଭାରପ୍ରାପ୍ତ ଅଧ୍ୟକ୍ଷ ପଦବୀ ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |