ମଙ୍ଗଳପୁର ସରପଞ୍ଚ ସାବିତ୍ରୀ ମଲିକଙ୍କୁ ପଦବୀରୁ ବହିଷ୍କୃତ କଲେ ରାଜ୍ୟ ସରକାର, ମହଙ୍ଗା ପଡିଲା କ୍ଷମତାର ଅପବ୍ୟବହାର ଓ ସରକାରୀ ଅର୍ଥ ଆତ୍ମସାତ୍‌।

726

କଟକ(ଉତ୍କଳ ନିଉଜ)୨୨/୧୨/୨୦୨୧ : କ୍ଷମତାର ଅପବ୍ୟବହାର ମହଙ୍ଗା ପଡିଛି ତଥା ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ପୂର୍ବରୁ ନିଲମ୍ବିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ମଳିକଙ୍କୁ ପଦବୀରୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି । ଏନେଇ ଓଡିଶା ସରକାରଙ୍କ ପଞ୍ଚାୟତରାଜ ପାନୀୟ ଜଳ ବିଭାଗ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୧୬୪୧/ ତା ୦୯.୧୨.୨୦୨୧ରିଖରେ ଏପରି ଆଦେଶ ପ୍ରକାଶ ପାଇଛି । ପୂର୍ବରୁଓଡିଶା ସରକାରଙ୍କ ପଞ୍ଚାୟତରାଜ ପାନୀୟ ଜଳ ବିଭାଗ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୮୧୨୫/ତା ୦୭.୦୫.୨୦ରିଖରେ ଶ୍ରୀମତୀ ମଳିକ ନିଲମ୍ବିତ ହୋଇଥିବା ଆଦେଶ ପ୍ରକାଶ ପାଇଥିଲା । ଉକ୍ତ ଆଦେଶରେ ଗ୍ରାମ ପଞ୍ଚାୟତ ଏକ୍ଟ ୧୯୬୪କୁ ଇଛାକୃତଭାବେ ଅବମାନନା କରିଥିବା ଉଲ୍ଲେଖ ହୋଇଥିଲା । ତେବେ ଶ୍ରୀମତୀ ମଳିକ ଏହାକୁ ଚେଲେଞ୍ଚ କରି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଏନେଇ ଏକ ମାମଲା ଡବ୍ଲୁପି(ସି) ନଂ. ୧୩୨୨୩/୨୦୨୦ ରୁଜୁ ହୋଇଥିଲା । ଗତ ତା ୦୮.୦୪.୨୧ରିଖରେ ଶ୍ରୀମତୀ ମଳିକଙ୍କୁ ବ୍ୟକ୍ତିଗତ ଭାବେ ପକ୍ଷ ରଖି କାରଣ ଦର୍ଶାଅର ଉତ୍ତର ରଖିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା । ଯାହାକୁ ନେଇ ଗତ ତା ୩୦.୧୧.୨୧ ରିଖରେ ସରକାରଙ୍କ ପକ୍ଷରୁ ଶୁଣାଣୀ ହୋଇଥିଲା । ସେଥିରେ ସରପଞ୍ଚ ଶ୍ରୀମତୀ ମଳିକଙ୍କ ସମେତ ଡିପିଓ, ଜିପିଇଓ ଓ ପଞ୍ଚାୟତର ପିଇଓ ଉପସ୍ଥିତ ଥିଲେ । ତେବେ ଶ୍ରୀମତୀ ମଳିକ ତାଙ୍କ ବିରୋଧରେ ଆଗତ ଅଭିଯୋଗରେ ସନ୍ତୋଷ ଜନକ ଉତ୍ତର ଦେଇନଥିବାରୁ ତାଙ୍କ ବିରୋଧରେ ଏପରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ଏହି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ସରକାରୀ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରାଯାଇଥିଲା । ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ମୂଳେ ପୂର୍ବରୁ ତଦନ୍ତକାରୀ କମିଟି ପକ୍ଷରୁ ରିପୋର୍ଟ ଦାଖଲ ହୋଇଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମାକାନ୍ତ ପାଢୀଙ୍କୁ ନିଲମ୍ବନ କରାଯିବା ସହିତ ସରପଞ୍ଚ ସାବିତ୍ରୀ ମଳିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ମିଶି ଏହି ସରପଞ୍ଚ ସରକାରୀ ଟଙ୍କା ଆତ୍ମସାତ କରିଥିବା ଜିଲ୍ଲା ପ୍ରଶାସନ ଜାଣିବାକୁ ମିଳିଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ ଗନ୍ଧର୍ବପୋଖରୀ ଗାଁରେ ୨ ଲକ୍ଷ ୨୦ ହଜାର ଟଙ୍କାରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ସହିତ ସନ୍ଥପୁରା, କନାଟିଆ ଓ କମାରିଆ ଆଦି ସ୍ଥାନରେ ୨ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି ଯାହା ଆନୁଆଲ୍ ଆକ୍ସନ୍ ପ୍ଲାନରେ ଉଲ୍ଲେଖ ହୋଇନାହିଁ । ଏଥିସହ ପଲ୍ଲିସଭା ବା ଗ୍ରାମସଭା ଆଧାରରେ ପଞ୍ଚାୟତ ଅଧିବେଶନ ହୋଇନଥିବା ମଧ୍ୟ ଜଣାଯାଇଛି । ବ୍ୟୟ ବରାଦ ପୂର୍ବରୁ ବ୍ଲକ ପ୍ରଶାସନର କୌଣସି ସୁପାରିଶ ହୋଇନଥିବା ଜଣାଯାଇଛି । ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ପାଇଁ ଟେଣ୍ଡର କୋଟେସନ ହୋଇନଥିବା ଏବଂ ଉଭୟଙ୍କ ଦସ୍ତଖତ ନଥିବା ଜଣାଯାଇଛି । କନିଷ୍ଠ ଯନ୍ତ୍ରୀଙ୍କ ପ୍ରମାଣ ପତ୍ର ପାଇନଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଠିକାଦାରଙ୍କୁ ଯଥାକ୍ରମେ ୨ ଲକ୍ଷ ୧୩ ହଜାର ୩ ଶହ ଟଙ୍କା ଓ ୨ ଲକ୍ଷ ୪ ହଜାର ୭ ଶହ ଟଙ୍କା ପ୍ରଦାନ କରାଯାଇଛି । ଠିକାଦାରଙ୍କୁ ଉକ୍ତ ଟଙ୍କା ପ୍ରଦାନରେ ପଞ୍ଚାୟତ ପକ୍ଷରୁ କୌଣସି ଚେକ୍ ବା ଏକାଉଣ୍ଟ ଟ୍ରାନ୍ସଫର କରାନଯାଇ ଉଭୟଙ୍କ ଯୁଗ୍ମ ଦସ୍ତଖତରେ ନଗଦ୍ ଟଙ୍କା ଉଠାଣ ହୋଇଥିବା ଜଣାଯାଇଛି । ସରପଞ୍ଚ ଗତ ତା ୨୩.୦୮.୧୮ରିଖ ଠାରୁ ପଞ୍ଚାୟତ ବୈଠକ କରିନଥିବା ବିଡିଓଙ୍କ ଠାରୁ ରିପୋର୍ଟ ହସ୍ତଗତ ହୋଇଥିଲା । ପଞ୍ଚାୟତରାଜ ଆଇନ୍‌କୁ ଅବମାନନା କରି ପଞ୍ଚାୟତ ପୋଖରୀ ନିଲାମ କରାଯାଇଛି । ଏଥିସହିତ ପଞ୍ଚାୟତରାଜ ଆଇନ୍‌କୁ ସମ୍ପୂର୍ଣ୍ଣ ଅବମାନନା ତଥା ଅଣଦେଖା କରି ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୋଟ୍ ୪ ଲକ୍ଷ ୧୮ ହଜାର ଟଙ୍କା ଆତ୍ମସାତ୍ କରିଥିବା ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଥିଲା । ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବା ସହିତ ସରପଞ୍ଚ କ୍ଷମତାର ଅପବ୍ୟପହାର କରି ଏହିସବୁ କାର୍ଯ୍ୟ କରିଥିବା ଘଟଣାରେ ତାଙ୍କ ପ୍ରତି ବିହିତ ପଦକ୍ଷେପ ନେବାଲାଗି ଜିଲ୍ଲାପାଳ ରଜ୍ୟ ସରକାରଙ୍କୁ ଅବଗତ କରିଥିଲେ। ଶେଷରେ ସରକାରଙ୍କ ପକ୍ଷରୁ ତାଙ୍କ ବିରୋଧରେ ଏପରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |