ଜବର ଦଖଲ ଉଚ୍ଛେଦ ଦାବି କରିବାରୁ ମରଣାନ୍ତକ ଆକ୍ରମଣ ଘଟଣା।ଜୀବନ ସହ ସଂଗ୍ରାମ କରୁଥିବା କେଶବ ପ୍ରଶାସନ ବିରୋଧରେ ଖୋଲିଲେ ମୁହଁ।

298

କଟକ(ଉତ୍କଳ ନିଉଜ)୧୯/୧୨/୨୦୨୧ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଗୁଆମାଳ ପଞ୍ଚାୟତ ଅଧିନ ଗଣେଶ୍ୱରପୁର-ଗଣ୍ଡପଡା ଗ୍ରାମ୍ୟ ରାସ୍ତା ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିବା ଏବଂ ବର୍ଷା ଜଳ ଜମାଟ ବାନ୍ଧି ଗାଁରେ ପାଣି ବୁଡି ରହିବା ଘଟଣାରେ ଅଭିଯୋଗ କରିବା ପରେ କେଶବ ସେନାପତିଙ୍କୁ ଜବର ଦଖଲକାରୀ ପକ୍ଷଙ୍କ ସମେତ ଦୋଳସାହି ଅତିରିକ୍ତ ଆରଆଇ ପ୍ରମୁଖ ଆକ୍ରୋଶ ମୂଳକଭାବେ ସଂଘବଦ୍ଧ ଆକ୍ରମଣ ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି । ଦିର୍ଘଦିନ ମେକିକାଲରେ ଚିକିତ୍ସା ହେବା ପରେ କିଛିଦିନ ହେବ ଘରକୁ ଫେରି ଚିକିତ୍ସିତ ହେଉଛନ୍ତି କେଶବ । ମରଣାନ୍ତକ ଆକ୍ରମଣର ଶିକାର ହେବାପରେ ସେ ଚେତାଶୂନ୍ୟ ହୋଇ ଯାଇଥିଲେ । ପରଦିନ ତାଙ୍କ ପୁଅଙ୍କ ଅଭିଯୋଗ ମୂଳେ ଥାନାରେ ଏକ ମାମଲା ରୁଜୁ ହୋଇଛି ହେଲେ ମୁଖ୍ୟ ଅଭିଯୁକ୍ତ ଏଯାଏଁ ଗିରଫ୍ ହୋଇନଥିବା ନେଇ ତିବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେଶବ । ଏଥିସହ ଉକ୍ତ ମାମଲାରେ ଦର୍ଶାଯାଇଥିବା ଅଭିଯୁକ୍ତମାନଙ୍କ ବ୍ୟତିତ ଅନ୍ୟମାନେ ସାମିଲ ରହିଥିବା ନେଇ ସେ ତିହିଡି ଆଇଆଇସିଙ୍କୁ ଫୋନ୍‌ଯୋଗେ ଅବଗତ କରି ତାଙ୍କର ପ୍ରତିକ୍ରିୟା ମୁତାବକ ମାମଲା ଆଗକୁ ନେବାକୁ ଗୁହାରୀ କରିଥିଲେ ହେଁ ଏଯାଏଁ କୌଣସି ସୁଫଳ ମିଳିନଥିବା କ୍ଷୋଭର ସହିତ ପ୍ରକାଶ କରିଛନ୍ତି କେଶବ । ଉକ୍ତ ଆକ୍ରମଣରେ କେଶବଙ୍କ ବାମ ଗୋଡ ଓ ହାତ ଭାଙ୍ଗୁ ଟୁକୁରା ଟୁକୁରା ହୋଇଛି । ବିଭିନ୍ନ ଅସ୍ତ୍ରୋପ୍ରଚାର କରାଯାଇଛି ଏବଂ ରଡ୍ ମଧ୍ୟ ଖଞ୍ଜା ଯାଇଛି । ଯାହାକୁ ନେଇ ସେ ଦୈନିକ ଏକସରସାଇଜ୍ କରୁଛନ୍ତି । ବିଛଣାରେ ପଡିବା ବ୍ୟତିତ ତାଙ୍କର ଅନ୍ୟ ଉପାୟ ନାହିଁ । ଛାତି ଓ ବେକରେ ଗଭୀର ଆଘାତ ମଧ୍ୟ ହୋଇଛି । ବୟସର ଅପରାହ୍ନରେ ତାଙ୍କ ପ୍ରତି ପ୍ରଶାସନ ଏପରି ଅବିଚାର କରିବା କେତେଦୂର ସମ୍ମିଚୀନ ବୋଲି ପ୍ରଶ୍ନ କରିଛନ୍ତି କେଶବ । ଜବର ଦଖଲ ହୋଇଥିବା ଗ୍ରାମ୍ୟ ରାସ୍ତାକୁ ଉଚ୍ଛେଦ କରିବା ଲାଗି ଦିର୍ଘ ୫ ବର୍ଷ ହେଲା କେଶବ ସେନାପତିଙ୍କ ସମେତ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ, ପ୍ରତିବାଦ ଏପରିକି ଗଣଧାରଣା ଦିଆଯାଇଛି । ମାତ୍ର କୋର୍ଟ ବିଚରାଧିନ ରହିଥିବା ଆଳ ଦେଖାଇ ପ୍ରଶାସନିକ ସ୍ତରରେ ଏଡେଇ ଦିଆଯାଉଛି । ତଥାପି ସଂଗ୍ରାମରୁ ଓହରିନଥିଲେ ଗ୍ରାମବାସୀ । ମାତ୍ର ଅଭିଯୋଗକାରୀ ପକ୍ଷ କେଶବକୁ ମୁଖ୍ୟ ଦାୟୀ କରି ତାଙ୍କୁ ଏପରି ମରଣାନ୍ତକ ଆକ୍ରମଣ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି କେଶବ । ସେଦିନ ଥିଲା ସେପ୍ଟେମ୍ବର ମାସ ୧୬ ତାରିଖ । ଗ୍ରାମର ନୃସିଂହ ବେହେରା ନାମକ ଜଣେ ବ୍ୟକ୍ତି ସରକାରୀ ରାସ୍ତାକୁ ଜବର ଦଖଲ କରିଥିବା ନେଇ ବର୍ଷା ଜଳ ଜମାଟ ବାନ୍ଧିିଥିଲା ଯାହା ଫଳରେ ତାଙ୍କ ଘର ସମେତ ଗାଁର ଅନ୍ୟମାନଙ୍କ ଘରୁ ପାଣି ନିଷ୍କାସନ ହୋଇପାରୁନଥିବା ନେଇ କେଶବ ସେନାପତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ସ୍ଥାନୀୟ ଅତିରିକ୍ତ ଆରଆଇ ଇତିଶ୍ରୀ ଖଟୁଆଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଏହି ମର୍ମରେ ଶ୍ରୀମତୀ ଖଟୁଆ ଉକ୍ତ ସ୍ଥାନକୁ ଯାଇ କେଶବ ସେନାପତିଙ୍କୁ ଭେଟିଥିଲେ ।

କେଶବ ସେନାପତିଙ୍କ ଘର ପଛପାଖ ହେଉଛି ଜବର ଦଖଲ କରିଥିବା ପକ୍ଷଙ୍କ ଘର । ଏହି ସମୟରେ ଜବର ଦଖଲକାରୀଙ୍କ ପୁଅ ଦୌଡି ଆସି ତାଙ୍କ ସାର୍ଟ କଲରକୁ ଧରି ଘୋଷାରି ଘୋଷାରି ନାଳ ପାଖକୁ ନେଇ ଯାଇଥିଲେ ଏବଂ ଅତିରିକ୍ତ ଆରଆଇ କେଶବଙ୍କୁ ନାନାଦି ଭର୍ଷନା କରିବା ସହିତ ଧକ୍କା ମାରି ନାଳରେ ପକାଇ ଦେଇଥିଲେ । ସେହି ସମୟରେ ପୂର୍ବ ପ୍ରସ୍ତୁତିଥିବା ଜବର ଦଖଲକାରୀ ପକ୍ଷ ତଥା ଅଭିଯୁକ୍ତମାନେ ବାଡି, ଠେଙ୍ଗା ଓ ଶାବଳରେ ପ୍ରହାର ପ୍ରହାର କରି ଚାଲିଥିଲେ । କେଶବଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡି ଆସିଥିଲେ ଏବଂ ସେହି ସମୟରେ ସେ ଚେତାଶୂନ୍ୟ ହୋଇ ଯାଇଥିବା କେଶବଙ୍କ ଠାରୁ ସୂଚନା ମିଳିଛି । ଉକ୍ତ ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ୍ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ନୃସିଂହ ବେହେରାଙ୍କ ସମେତ ଅନ୍ୟମାନେ ଗିରଫ୍ ହୋଇନଥିବା ଓ ଅତିରିକ୍ତ ଆରଆଇଙ୍କ ବିରୋଧରେ ଆଇନ୍‌ଗତ ପଦକ୍ଷେପ ଗ୍ରହଣ କରାଯାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି କେଶବ । ଏଠାରେ ସୂଚନା ଥାଉକି, ସେଦିନ କେଶବଙ୍କୁ ଆକ୍ରମଣ କରାଯିବା ପରେ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ତେବେ ଗ୍ରାମବାସୀଙ୍କ ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୂପ ନେଇଥିଲା । ଜବର ଦଖଲକାରୀଙ୍କ ପରିବାର ସହିତ ଅତିରିକ୍ତ ଆରଆଇଙ୍କ ମଧ୍ୟରେ ସୁସମ୍ପର୍କ ରହିଥିବା ଏବଂ ଉଚ୍ଛେଦ ପ୍ରକ୍ରିୟାରେ ସେ ଟାଳଟୁଳୁ ନୀତି ଅବଲମ୍ବନ କରୁଥିବା ନେଇ ଉତ୍ୟକ୍ତ ମହିଳାମାନେ ପ୍ରଥମେ ତାଙ୍କୁ ଏକ ଗଛରେ ବାନ୍ଧି ପକାଇଥିଲେ ।

ଖବର ପାଇ ତହସିଲଦାର ଓ ଆଇଆଇସିଙ୍କ ସମେତ ପୋଲିସ ଫୋର୍ସ ମଧ୍ୟ ପହଞ୍ôଚ ଅତିରିକ୍ତ ଆରଆଇଙ୍କଙ୍କୁ ଉଦ୍ଧାର କରିବା ଚେଷ୍ଟାକରି ବିଫଳ ହୋଇଥିଲେ । ପରେ ଅତିରିକ୍ତ ଆରଆଇଙ୍କୁ ସ୍ଥାନୀୟ ଅଷ୍ଟମ ପ୍ରହରୀ ମଣ୍ଡପରେ ଦିର୍ଘ ଘଣ୍ଟାକାଳ ଅଟକ ରଖିଥିଲେ ଗ୍ରାମବାସୀ । ଏହି ଘଟଣାକୁ ନେଇ କେଶବ ସେନାପତିଙ୍କ ପୁଅ ଓ ଅତିରିକ୍ତ ଆରଆଇଙ୍କ ଏତଲାକ୍ରମେ ଥାନାରେ ୨ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି କେଶବ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |