ସିନ୍ଦୋଳ ଓ କନାଟିଆରେ ଲକ୍ଷ୍ମୀନାରାୟଣ ପୂଜାରମ୍ଭ, ଦିଅଁ ଦର୍ଶନ, ନେତ୍ରପଣା ଓ ଭୋଗ ଉପରେ କରୋନା କଟକଣା |

279

କଟକ(ଉତ୍କଳ ନିଉଜ)୧୮/୧୦/୨୦୨୧ ବିଗତ ଦେଢ ବର୍ଷ ହେଲା କରୋନାର କାୟା ସାରା ବିଶ୍ୱକୁ ବ୍ୟାପି ସାରିଛି । ତଥାପି ମାନବ ଜାତି ପୂଜା ବିଧି ବନ୍ଦ କରିନାହିଁ । ଯଦିଓ କଟକଣା ବଳବତ୍ତର ରହିଛି ହେଲେ ତିଥି ଅନୁଯାଇ ପରମ୍ପରା ଓ ଶାସ୍ତ୍ରମତେ ଦେବାଦେବୀଙ୍କ ପୂଜା ପାଳନ କରାଯାଉଛି । ପାରମ୍ପରିକ ବିଧି ଅନୁସାରେ ମଙ୍ଗଳବାର ଲକ୍ଷ୍ମୀନାରାୟଣଙ୍କ ପୂଜାବିଧି ଅନୁଷ୍ଠିତ ହେବ । ଏହି ଦିନରେ ଲକ୍ଷ୍ମୀନାରାୟଣଙ୍କ ପୂଜା ପାଳିତ ହୋଇଥାଏ । ଓଡ଼ିଶାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀରେ ଗଜଲକ୍ଷ୍ମୀ ପୂଜା ପାଇ ଆସୁଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡିି ବ୍ଲକର ଅବିଭକ୍ତ ସିନ୍ଦୋଳ ପଞ୍ଚାୟତରେ ୩ଟି ସ୍ଥାନରେ ଲକ୍ଷ୍ମୀନାରାୟଣ ପୂଜା ପାଳନ କରାଯାଇଥାଏ । ପ୍ରଥମଟି ସିନ୍ଦୋଳ ନୂଆପାଟଣାରେ ୧୯୨୨ ମସିହା ଠାରୁ ପାଳିତ ହୋଇ ଆସୁଥିବା ବେଳେ ୨ୟଟି ଭଦ୍ରକ-ଚାନ୍ଦବାଲି ସିନ୍ଦୋଳ ରାସ୍ତା ପାଶ୍ୱର୍ରେ ୧୯୭୪ ମସିହାରୁ ପୂଜା ପାଇ ଆସୁଛନ୍ତି । ସେହିପରି ମଙ୍ଗଳପୁର ପଞ୍ଚାୟତ ଅଧିନ କନାଟିଆ ଗାଁରେ ୧୯୭୭ ମସିହାରୁ ସ୍ୱର୍ଗତ ଗୋଲକ ଲେଙ୍କାଙ୍କ ପରିବାର ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ହୋଇ ଆସୁଅଛି । ନୂଆପାଟଣାରେ ପାଳିତ ହୋଇ ଆସୁଥିବା ଲକ୍ଷ୍ମୀନାରାୟଣ ପୂଜାତ୍ସୋବ ଚଳିତ ବର୍ଷ ଶହେ ବର୍ଷରେ ପଦାର୍ପଣ କରିଛି ।

ନାରାୟଣ ପୂଜା ନାମରେ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଗଣ ପର୍ବ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଛି । ମାନପଣ୍ଡା ପୋଖରୀ ଠାରୁ ନୂଆପାଟଣା ଗ୍ରାମ ରାସ୍ତାରେ ଚାଲେ ଛେରା ପହଁରାରେ । ଏହି ପୀଠରେ ନେତ୍ରପଣା ପାଇଁ ପୂର୍ବରୁ ହଜାର ହଜାର ଭକ୍ତ ଓ ଉଷେଇତିମାନେ ଲମ୍ବା ଧାଡ଼ିରେ ରହି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇବା ଘଟଣା ଅଧିକ ଚର୍ଚ୍ଚିତ ହୋଇଥାଏ । ଏଠାରେ ପାଷାଣ ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜିତ ହୋଇଛନ୍ତି । ପୂଜକ ନରେନ୍ଦ୍ର ପାଣି, ମନ୍ଦିର ଟ୍ରଷ୍ଟ ବୋର୍ଡର ମେନେଜିଂ ଟ୍ରଷ୍ଟି କପିଳେନ୍ଦ୍ର ବାରିକ, କର୍ତ୍ତାଭାବେ ଭ୍ରମରବର ଦାସ, ସଭାପତି କାଳନ୍ଦି ଦାସ, ଜଗବନ୍ଧୁ ବାରିକ, ନନ୍ଦକିଶୋର ବାରିକ, ରଘୁନାଥ ବାରିକ, ରବିନ୍ଦ୍ର ଲେଙ୍କା, ସୁଧାକର ବାରିକ, ଘନଶ୍ୟାମ ପରିଡା, କପିଳେନ୍ଦ୍ର ଲେଙ୍କା ଓ ପ୍ରଦିପ ଦାସ ପ୍ରମୁଖ ଗ୍ରାମବାସୀ ପରିଚାଳନା କରୁଥିବା ବେଳେ ଲକ୍ଷ୍ମୀନାରାୟଣ ଯୁବକ ସଂଘ ପରିଚାଳନାରେ ସହଯୋଗ କରିଥାନ୍ତି । ପୂର୍ଣ୍ଣିମୀରେ ଲକ୍ଷ୍ମୀନାରାୟଣଙ୍କ ଜଳଯାତ୍ରା ସହ ଛେରା ପହଁରା, ଷୋଡଶ ପୂଜା, ନେତ୍ରପଣା ଏବଂ ଭୋଗ କରାଯାଏ । କରୋନା କଟକଣାରେ ସ୍ୱଳ୍ପ ଭକ୍ତଙ୍କ ଗହଣରେ ଜଳଯାତ୍ରା ସହ ଛେରା ପହଁରା କରାଯିବ ଏବଂ ଦିଅଁ ଦର୍ଶନ, ନେତ୍ରପଣା ଓ ଭୋଗ କଟକଣା କରାଯାଇଛି । ସିନ୍ଦୋଳ ରାସ୍ତା ପାଶ୍ୱର୍ରେ ୧୯୭୪ ମସିହାରେ ଏକ ନୂତନ ଲକ୍ଷ୍ମୀନାରାୟଣଙ୍କର ପୂଜାରମ୍ଭ କରାଯାଇଥିଲା । ଚଳିତ ବର୍ଷ ଏହା ୪୭ ବର୍ଷରେ ପଦାର୍ପଣ କରିଛି । ୨୦୧୫ ମସିହାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଛି ଏବଂ ମାର୍ବଲ ପଥରର ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜମାନ ହୋଇଛନ୍ତି । ପୂଜକ ସୀତାକାନ୍ତ ପାଣି, କର୍ତ୍ତାଭାବେ ଭାଷ୍କର ଚନ୍ଦ୍ର ଦାସ, ସଭାପତି ଭାଗିରଥି ବେହେରା, ସମ୍ପାଦକ ହରିହର ସେନାପତି, କୋଷାଧ୍ୟକ୍ଷ ଅନିରୁଦ୍ଧ ବାରିକ, ଗୋଲକଚନ୍ଦ୍ର ମଲ୍ଲିକ, ବଳରାମ ମଲ୍ଲିକ, ମୁରଲୀଧର ଦାସ, ପରମାନନ୍ଦ ନାୟକ, କମଳାକାନ୍ତ ଦାସ, ମୁରଲୀଧର ବାରିକ, ରାମକୃଷ୍ଣ ନାୟକ ଓ ଚକ୍ରଧର ଦାସ ପ୍ରମୁଖ ସମସ୍ତ ଗ୍ରାମବାସୀ ପରିଚାଳନା କରୁଥିବା ଜଣାଯାଇଛି । ସେହିପରି କନାଟିଆ ଗାଁର ସ୍ୱର୍ଗତ ଗୋଲକଚନ୍ଦ୍ର ଲେଙ୍କା ପରିବାର ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ପାଳନ କରାଯାଉଛି । ପ୍ରଥମେ କଳସ ପୂଜା ଓ ପରେ ମୃଣ୍ମୟୀ ମୂର୍ତ୍ତୀ ପୂଜାର୍ଚ୍ଚନା କରାଯାଉଥିଲା ।

୧୯୯୭ ମସିହାରେ ଏଠାରେ ଏକ ଭବ୍ୟ ମନ୍ଦିରରେ ପାଷାଣ ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ପୂଜା ପାଉଛନ୍ତି । ସ୍ୱୟଂ ଲକ୍ଷ୍ମୀଙ୍କ ବାହାନ ବହୁ ରାଜପେଚାଙ୍କ ଆବିର୍ଭାବ ମନ୍ଦିରର ଶୋଭାବର୍ଦ୍ଧନ କରିଛି । ପୂଜକ ଗୋପାଳ ପାଣି, କର୍ତ୍ତାଭାବେ ହରିହର ଲେଙ୍କା ଏବଂ ନାରାୟଣ ଲେଙ୍କା, ମୁକୁନ୍ଦ ମୁରାରୀ ଲେଙ୍କା, ମଧୁସୂଦନ ଲେଙ୍କା, କମଳାକାନ୍ତ ଲେଙ୍କା ପ୍ରମୁଖ ପରିଚାଳନା କରୁଥିବା ଜଣାଯାଇଛି । ଏହି ସବୁ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ରାତିରେ ଚକ୍ଷୂଦାନ ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ମାନସିକଧାରୀମାନେ ନେତ୍ରପଣା ସେବନ କରି ବ୍ରତ ଭାଙ୍ଗିଥାନ୍ତି । ହଜାର ହଜାର ନେତ୍ରପଣା ଆଟିକା ଭୋଗ ଲାଗିଥାଏ । କିଏ ବିବାହିତ ବା କିଏ ଅବିବାହିତ ସମସ୍ତେ ଏହି ପୂଜାରେ ମାନସିକ ରଖିବା ସହ ଉପବାସ କରି ସାନିଧ୍ୟଲାଭ କରିଥାନ୍ତି । ଏକ ସପ୍ତାହ ବ୍ୟାପୀ ଏହି ଅଞ୍ଚଳର ଏହା ଏକ ଡାକୁଆ ପର୍ବ ଭାବେ ବେଶ ପରିଚିତ ହୋଇଆସୁଅଛି । ମାତ୍ର କରୋନା କଟକଣାରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ନଥିବା ବେଳେ ପୂଜାବିଧିକୁ ସମ୍ମାନ ଜଣାଉଛନ୍ତି ଅଞ୍ଚଳବାସୀ । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |