ଲଞ୍ଜାତାରା ଯୁବକଙ୍କୁ ତାମିଲନାଡୁରେ ଯୋଜନାବଦ୍ଧ ଭାବେ ହତ୍ୟା

1737

କଟକ(ଉତ୍କଳ ନିଉଜ) ୧୨/୦୯/୨୦୨୧ ଭଦ୍ରକ ଜିଲ୍ଲା ତିହିଡି ଥାନା ବିଲଣା ଲଞ୍ଜାତାରା ଗ୍ରାମର ସୁଧାକର ମଳିକଙ୍କ ପୁଅ ଅମର ମଳିକ(୧୮)ଙ୍କୁ ଯୋଜନାବଦ୍ଧ ଭାବେ ତାମିଲାନାଡୁ ତିରିପୁର ଜିଲ୍ଲା ଭେଲେମେଲମ ଥାନାଧିନ ସତ୍ୟନଗରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମାତ୍ର ହତ୍ୟାକାରୀମାନେ ସ୍ଥାନୀୟ ପୋଲିସକୁ ହାତକରି ଘଟଣାକୁ ଏଡେଇ ଦେବାଲାଗି ଏକ ଅପମୃତ୍ୟୁ ମାମଲାର ରୂପ ଦେଇଥିବା ନେଇ ମୃତକ ପରିବାର ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମୃତକ ପରିବାର ପକ୍ଷରୁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅମର ମଳିକର ମୃତ୍ୟୁର ସାନି ତଦନ୍ତ କରିବା ଲାଗି ଦାବି କରିଛନ୍ତି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ମୃତକ ପରିବାର ପକ୍ଷରୁ ତିହିଡି ଥାନାରେ ଏକ ଏତଲା ଦାଏର ହୋଇଥିବା ଜଣାଯାଇଛି । ସୂଚନା ମୁତାବକ, ଲଞ୍ଜାତାରା ଅମର ମଳିକ ଦିର୍ଘ ଅଢେଇ ବର୍ଷ ହେଲା ତାମିଲନାଡୁ ସତ୍ୟନଗରସ୍ଥିତ ଏସ ଏନ ଏକ୍ସପୋର୍ଟ ନାମକ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଅମରଙ୍କ ନିଜ ଗାଁର ଦୁଇ ଜଣ ଯୁବକ ଅଞ୍ଚଳ ମଳିକ ଓ କଳିଙ୍ଗ ମଳିକ ଏବଂ ଆନନ୍ଦପୁର ଜିଲ୍ଲା ନନ୍ଦିପଦା ଅଞ୍ଚଳର ଆବୁଆ ମଳିକ ଓ ପପୁ ମଳିକଙ୍କ ସହିତ ସୁସମ୍ପର୍କ ରହିଥିଲା । ୫ ମାସ ତଳେ ଅମର ମଳିକଙ୍କ ଠାରୁ ଆବୁଆ ମଳିକ ୧୫ ହଜାର ଟଙ୍କା, ଅଞ୍ଚଳ ମଳିକ ୮ ହଜାର ଟଙ୍କା ଓ କଳିଙ୍ଗ ମଳିକ ୫ ହଜାର ଟଙ୍କା ଧାର ନେଇଥିଲେ । ମାତ୍ର ଉକ୍ତ ଧାର ଟଙ୍କା ଫେରସ୍ଥ କରିବାରେ ବିଳମ୍ବ ହେବାରୁ ଅମର ମଳିକଙ୍କ ସହିତ ସେମାନଙ୍କ ବାକ୍ ବିତଣ୍ଡା ହୋଇଥିଲା । ଅଭିଯୁକ୍ତମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅମର ମଳିକ ତାଙ୍କ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଅବଗତ କରିଥିଲା ।

ଇତି ମଧ୍ୟରେ ମଧ୍ୟପ୍ରଦେଶ ଅଞ୍ଚଳର ଜଣେ ଝିଅକୁ ଆବୁଆ ଏକତରଫା ପ୍ରେମ କରୁଥିଲା ମାତ୍ର ଉକ୍ତ ଝିଅଟି ମୃତକ ଅମର ସହିତ ଭଲ ସମ୍ପର୍କ ରଖି ଆସୁଥିଲା ଏବଂ ମାସେ ତଳେ ଅମରକୁ ସେହି ଝିଅଟି ପ୍ରେମ ପାଇଁ ପ୍ରସ୍ତାବ ଦେବାରୁ ଅପରପକ୍ଷ ଆବୁଆ ମଳିକ ପ୍ରତିକ୍ରିୟାଶୀଳ ହୋଇଥିଲା । ଗତ ତା ୦୮.୦୯.୨୧ରିଖରେ ଅଭିଯୁକ୍ତ ଅଞ୍ଚଳ ମଳିକ, ଓ ପପୁ ମଳିକ ଉଭୟ ମୃତକ ଅମରଙ୍କ ମାଆକୁ ଫୋନକରି ତାକୁ ଘରକୁ ଫେରେଇ ନନେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଯାହାର ଅଡିଓ ରେକର୍ଡ ମଧ୍ୟ ରହିଛି । ପରଦିନ ଅର୍ଥାତ୍ ତା ୦୯.୦୯.୨୧ରିଖରେ ଅମର ମଳିକଙ୍କ ଶୋଇବା ଘରର ବାହାର ପଟୁ ତାଲା ପଡିଥିବା ଘର ମାଲିକ ଜାଣିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତାଲା ଭାଙ୍ଗିବା ପରେ ପରେ ଅମର ବେକରେ ରଶି ଲାଗିଥିବା ଏବଂ ତଳେ ମୂମୁର୍ଷ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଆମ୍ବୁଲାନ୍ସ ଯୋଗେ ସ୍ତାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ମାତ୍ର ସେଠାର ଅମରଙ୍କ ସ୍ୱାସ୍ଥ୍ୟବସ୍ତା ଉଦ୍‌ବେଗ୍ ଜନକ ହେବାରୁ ତାଙ୍କ ଅନ୍ୟ ଏକ ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଉପରୋକ୍ତ ଅଭିଯୁକ୍ତମାନେ ଏକ ସୁପରିକଳ୍ପିତ ଏବଂ ଯୋଜନାବଦ୍ଧଭାବେ ହତ୍ୟା କରିଥିବା ମୃତକର ଭାଇ ଶ୍ରୀକାନ୍ତ ମଳିକ ଥାନାରେ ଏତଲା ଦେଇଛନ୍ତି । ଏ ସମ୍ପର୍କରେ ଆଇଆଇସି ତପନ କୁମାର ପ୍ରଧାନଙ୍କୁ ପଚାରିବାରୁ ଘଟଣା ଘଟିଥିବା ଥାନାକୁ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇଛି ଏବଂ ମୃତକ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |