ନନ୍ଦକନ୍ଦର୍ପ ସ୍କୁଲ ପରିସରର ଜମି ଜବର ଦଖଲକୁ ନେଇ ବିବାଦ

317

କଟକ(ଉତ୍କଳ ନିଉଜ)୧୦/୦୭/୨୦୨୧ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତ ଅଧିନ ନନ୍ଦକନ୍ଦର୍ପ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲ ଜମି ଜବର ଦଖଲକୁ ନେଇ ବିବାଦ ଦେଖା ଦେଇଛି । ଏହି ପରିସରରେ ଗୋଟିଏ ନିର୍ଦ୍ଦିଷ୍ଟ ପରିବାର ବଳ ପୂର୍ବକ ଜମି ଜବର ଦଖଲ କରିବା ସହିତ ମୁଖ୍ୟ ଫାଟକ ଦେଇ ବର୍ଷ ବର୍ଷ ହେଲା ଯାତାୟତ କରୁଥିବା ଅଭିଯୋଗ ହୋଇଛି । ଏହି ପରିବାର ଲୋକେ ଦୈନିକ ଯାଆଆସ ସହିତ ଟ୍ରାକ୍ଟର ଓ ଧାନପିଟା ମେସିନ୍ ନେବା ଆଣିବା କରାଯାଉଛି । ସ୍କୁଲର ପୁରୁଣା ଗୃହରେ ଘସି ରଖିବା ସହିତ ପୋଖରୀ ହୁଡା ତଥା ସ୍କୁଲ ପରିସରରକୁ ଲାଗି ରହିଥିବା ଏକ ଜଙ୍ଗଲ କିସମର ଜମିକୁ ବଳ ପୂର୍ବକ ଜବର ଦଖଲ କରାଯାଇଛି । କେବଳ ସେତିକି ନୁହେଁ ଉକ୍ତ ଜାଗାକୁ ବାଡ ପୋତି ଆବଦ୍ଧ କରି ଖଳା କରିବା, ଟ୍ରାକ୍ଟର ଓ ଧାନ ପିଟା ମେସିନ୍ ରଖିବା ଓ ବାଡି ଭାବେ ବ୍ୟବହାର କରାଯାଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସ୍କୁଲର ପାଚେରୀ ନିର୍ମାଣ ପାଇଁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ବ୍ୟୟବରାଦ କରାଯାଇଥିବା ପ୍ରକଳ୍ପ ଅଧାରେ ଅଟକି ଯାଇଛି । ସଂପୃକ୍ତ ଜବର ଦଖଲକାରୀ ପାଚେରୀ ନିର୍ମାଣ କରିବା ସମୟରେ ସମ୍ପୂର୍ଣ୍ଣ ବିରୋଧ କରିବା ସହିତ ଉକ୍ତ ଜଙ୍ଗଲ କିସମର ଜମି ସ୍କୁଲର ନୁହେଁ ଏବଂ ସେମାନେ ଦୀର୍ଘ ବର୍ଷ ଧରି ଦଖଲ କରିଆସୁଥିବା ଯୁକ୍ତି ବାଢିଥିଲେ । ପରେ ଯଦିଓ ଆରଆଇ ପକ୍ଷରୁ ସର୍ଜମିନ୍ ତଦନ୍ତ ହୋଇଥିଲା ମାତ୍ର ସଂପୃକ୍ତ ଜବର ଦଖଲକାରୀ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରାଇ ପାଚେରୀ ନିର୍ମାଣ ବନ୍ଦ କରିଥିବା ମଧ୍ୟ କୁହାଯାଉଛି । ଅନ୍ୟପଟେ ସ୍କୁଲ ପରିସରରେ ଏକ ପୋଖରୀକୁ ସଂପୃକ୍ତ ଜବର ଦଖଲକାରୀ ପକ୍ଷ ଏକଛତ୍ରଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ବର୍ଷାର ଅଭାବ ନେଇ ଧାନ ତଳିକୁ ପାଣି ନେବାକୁ ଉଦ୍ୟମ କରିଥିବା ସରୋଜ ବେହେରା ନାମକ ଜଣେ ଭାଗଚାଷୀଙ୍କ ଉକ୍ତ ପରିବାରର ପୁରୁଷ ଓ ମହିଳା ପ୍ରମୁଖ ୭ ଜଣ ମିଳିତ ଭାବେ ଗାଳିଗୁଲଜ କରିବା ସହିତ ମାରଧର କରିଥିବା ଏବଂ ପାଣି ନେବାରୁ ନିବୃତ ନହେଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବା ଘଟଣାରେ ଥାନାରେ ଏତଲା ହେବା ସହିତ ଜବର ଦଖଲ ଉଚ୍ଛେଦ କରିବା ଲାଗି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରଶାସନ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ପ୍ରେମଚାନ୍ଦ ରଞ୍ଜନ ବେହେରା ଓ ଅଶୋକ କୁମାର ଧଳ ପ୍ରମୁଖ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସ୍କୁଲ ପରିସରରେ ଜମି ଜବର ଦଖଲ ନେଇ ଦୈନିକ ବିବାଦ ଦେଖା ଦେଉଛି ଏବଂ ଶୈକ୍ଷିକ ବାତାବରଣ ନଷ୍ଟ ମଧ୍ୟ ହେଉଛି ଖୁବ୍ ଶିଘ୍ର ତହସିଲଦାରଙ୍କୁ ଆବେଦନ କରି ଉଚ୍ଛେଦ କରିବା ଲାଗି ଦାବି କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଖୋଦ୍ ସରପଞ୍ଚ ବିପିନ ବେହେରା ସଂପୃକ୍ତ ଜବର ଦଖଲକାରୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ୧୯୪୮ ମସିହା ଠାରୁ ଅବସ୍ଥାପିତ ଉକ୍ତ ସ୍କୁଲର ଜମିକୁ ଜବର ଦଖଲ କରିଥିବା ବ୍ୟକ୍ତିମାନେ ନିଜର ପୈତୃକ ସମ୍ପତ୍ତି ଭାବେ ବ୍ୟବହାର କରୁଥିବା ସେ ଜାଣିବାକୁ ପାଇଛନ୍ତି । ସ୍କୁଲର ମୁଖ୍ୟ ଫାଟକ ଦେଇ ଉକ୍ତ ପରିବାରର ଅବାଧ ପ୍ରବେଶ ପରିସରକୁ ନଷ୍ଟ କରୁଛି । ବିଳମ୍ବ ହେଲେ ମଧ୍ୟ ସେମାନଙ୍କ ବିରୋଧରେ ପ୍ରଶାସନିକ ସ୍ତରରେ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟ ଭିଡିବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |