ରାଜଧାନୀ ରେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

147

କଟକ (ଉତ୍କଳ ନ୍ୟୁଜ) ୪-୦୨-୨୦୨୧ : ରାଜଧାନୀ ରେ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିନି । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି । ମୃତଦେହ ପାଖରୁ ଛୁରୀ, ଗ୍ଲୋବସ୍‌, କିଛି ଭଙ୍ଗା ଚୁଡି ଓ ମଦ ବୋତଲ ମିଳିଛି । ଏ ସବୁକୁ ଫୋରେନସିକ୍ ଟିମ୍ ସଂଗ୍ରହ କରିଛି । ସେହିପରି ମୃତଦେହ ଠାରୁ କିଛିଦୂରରେ ଏକ ଚାରିଚକିଆ ଗାଡିର ଚକା ଚିହ୍ନ ଦେଖିବାକୁ ମିଳିଛି । ପୁଲିସ ଏସବୁକୁ ତର୍ଜମା କରିବା ସହ ବିଭିନ୍ନ ଦିଗକୁ ଆଧାର କରି ଛାନଭିନ ଚଳାଇଛି । ସନ୍ଦେହ କରାଯାଉଛି, ମହିଳାଙ୍କୁ ଅନ୍ୟ କେଉଁଠି ହତ୍ୟା କରି ସେଠାରେ ଗଣ୍ଡିକୁ ଫିଙ୍ଗି ଦିଆଯାଇଛି । ମୁଣ୍ଡକୁ ଆଉ କେଉଁଠି ପକା ଯାଇଥିବା ସନ୍ଦେହ କରାଯାଉଛି । କାରଣ ଶବ ମିଳିଥିବା ସ୍ଥାନରେ ବିଶେଷ ରକ୍ତ ପଡିନାହିଁ । ଯଦି ସେଠାରେ ହତ୍ୟା କରାଯାଇଥାନ୍ତା, ତେବେ ମାତ୍ରାଧିକ ରକ୍ତଶ୍ରାବ ହୋଇଥାନ୍ତି । ଯାହା ସେଠାରେ ଦେଖିବାକୁ ମିଳିନି । ଭଙ୍ଗା ଚୁଡିକୁ ଅନୁଧ୍ୟାନ କଲେ ହତ୍ୟାକାଣ୍ଡ ପୂର୍ବରୁ ମହିଳାଙ୍କ ସହ ଧସ୍ତାଧସ୍ତି କରାଯାଇଛି । ତେବେ ଦୁଷ୍କର୍ମ କରାଯାଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ । ପୁଲିସ ସାଇଂଟିଫିକ ଟିମ, ଡକ ସ୍କ୍ୱାର୍ଡ ସହିତ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଖୁବଶୀଘ୍ର ରହସ୍ୟ ଖୋଲିବ ବୋଲି ପୁଲିସ ଆଶାବାଦୀ ଅଛି ।