ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷିଦ୍ଧାଞ୍ଚଳ ଘୋଷଣା ଭିଡିଓ ଭାଇରାଲ।

149

ଖୋର୍ଦ୍ଧା ସହର ଅନତି ଦୂରରେ ଥିବା ତାପଙ୍ଗର ହାତିଆ ମୁଣ୍ଡିଆ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡ଼ିଆ, ଫେସବୁକ, ୟୁ-ଟିୟୁବ ରେ ହାତିଆ ମୁଣ୍ଡିଆ ସମ୍ପର୍କରେ ବହୁଳ ଭାବରେ ପ୍ରଚାର ଓ ପ୍ରସାର ହେବା ଦ୍ୱାରା ଏଠାକୁ ଏବେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ସୁଅ ଛୁଟୁଛି । ଏହାକୁ କେହି କେହି ଲଦାଖ ର ଅନୁରୂପ ମଧ୍ୟ କହୁଛନ୍ତି । କିନ୍ତୁ ପ୍ରକୃତ କଥା, କହିବାକୁ ଗଲେ ଏହି ସ୍ଥାନଟିର ଉତ୍ପତ୍ତି କିଛି ଖଣି ମାଫିଆଙ୍କ ବେଆଇନ ପଥର ଖନନ ଯୋଗୁଁ ହୋଇଛି। ବିନା ସରକାରୀ ନିର୍ଦେଶନାମା ରେ ବହୁବର୍ଷ ଧରି ଏହି ଜାଗାରୁ ଖଣି ମାଫିଆ ମାନେ ଜିଲ୍ଲା ପ୍ରଶାସନ ର କିଛି ଦୁର୍ନୀତିଖୋର ଅଧିକାରୀଙ୍କ ପୃଷ୍ଠପୋଷକତାରେ ବେଧଡକ କଳା ମୁଗୁନି ପଥର ଖନନ ଓ ତାହାର ରପ୍ତାନୀ ମଧ୍ୟ କରି ଆସୁଥିଲେ। କିନ୍ତୁ ଏବେ କିଛି ମାସ ଧରି ସ୍ପେଶାଲ ଟାସ୍କଫୋର୍ସ ର ବାରମ୍ବାର ଚଢ଼ାଉ ଜାରି ରହିବା ଦ୍ୱାରା ବେଆଇନ ଖଣି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା | ଯାହା ଫଳରେ ଖୋର୍ଦ୍ଧା ନିକଟବର୍ତ୍ତୀ ସମସ୍ତ ପାହାଡ଼ ରୁ ପ୍ରାୟତଃ ବେଆଇନ ଭାବେ ପଥର ଖନନ ବନ୍ଦ ରହିଛି । ତେଣୁ ତାପଙ୍ଗର ଏହି ହାତିଆ ମୁଣ୍ଡିଆର ସମସ୍ତ ଖାଲୁଆ ସ୍ଥାନରେ ବର୍ଷା ପାଣି ଜମିବା ଦ୍ୱାରା ଏହା କୃତ୍ରିମ ଲଦାଖର ଭ୍ରମ ସୃଷ୍ଟି କରିଛି, ଯାହା ଫଳରେ ଏହାକୁ କେତେକ ଗଣମାଧ୍ୟମ ସୋସିଆଲ ମିଡିଆରେ ଲଦାଖର ରୂପ ଦେଇଛନ୍ତି। କିନ୍ତୁ ଲୋକମାନଙ୍କଙ୍କ ଭିଡର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ସେମାନଙ୍କର ଦୌରାତ୍ମ୍ୟ ଆରମ୍ଭ କରିଦେଇଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଠାରୁ ଗାଡ଼ି ପାର୍କିଂ ନାମରେ ବେଆଇନ ଭାବେ ଜବରଦସ୍ତ ଚାନ୍ଦା ଆଦାୟ କରିବା, ଆପତ୍ତି କଲେ ସେମାନଙ୍କ ଠାରୁ ମୋବାଇଲ ଓ କ୍ୟାମେରା ଆଦି ଛଡ଼ାଇବା ସହିତ ଏକୁଟିଆ ଯୁବତୀଙ୍କୁ ଦେଖି ଅଶ୍ଳୀଳ ଇଙ୍ଗିତ କରିବା ଭଳି ଏହା ଦ୍ୱାରା ଅସାମାଜିକ ଯୁବକମାନଙ୍କ ମଧ୍ୟରେ ସାହସ ବଢ଼ିବାରେ ଲାଗିଛି । ମୁଣ୍ଡିଆର ବହୁତ ସ୍ଥାନରେ ଏବେ ମଧ୍ୟ କିଛି ଅଫୁଟା ଡିନାମାଇଟ ମାନ କେତେବେଳେ କେଉଁ ଦୁର୍ଘଟଣା ଘଟିବ, ତାହାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ। ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧଞ୍ଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି ନଆସିବାକୁ ମାଇକ୍ ଯୋଗେ ଜିଲ୍ଲା ପ୍ରଶାସନ ଘୋଷଣା କରିଥିବା ଏକ ଭିଡିଓ ଭାଇରାଲ ହୋଇଛି।ଏ ସଂପର୍କରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଜାଣିନଥିବା କହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ କ୍ୟାମେରା ଆଗରେ କିଛି ନକହି ପରୋକ୍ଷରେ କହିଛନ୍ତି ଯେହେତୁ ସେଠାକୁ ଅଧିକ ଲୋକ ଯାଉଥିଲେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏନଫୋର୍ସମେଣ୍ଟ ଫୋର୍ସ ଲୋକମାନଙ୍କୁ ସେହି ସ୍ଥାନକୁ ନଯିବା ଲାଗି ମାଇକ ଲଗାଇ କହିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |