ମଦ ବିକ୍ରିକୁ ବିରୋଧ କରିବାରୁ ଘଟିଗଲା ହତ୍ୟାକାଣ୍ଡ

342

କଟକ (ଉତ୍କଳ ନିଉଜ଼) କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ବାଣିପଦା ଗ୍ରାମର ସାମଲ ସାହିରେ ଦେଶୀ ମଦ ବିକ୍ରିକୁ ନେଇ ଘଟିଛି ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ର ଶିକାର ହେଲେ ସାମଲ ସାହିର ସରୋଜ ସାମଲ । ଘଟଣାରୁ ପ୍ରକାଶ ଚୌଦ୍ଵାର ଟିପିଏମ ଫାଣ୍ଡି ଅନ୍ତର୍ଗତ ବାଣିପଦା ଗ୍ରାମର ସାମଲ ସାହିରେ ଚୋରା ଦେଶୀ ମଦ କାରବାର ବହୁ ଦିନରୁ ଚାଲିଛି । କରୋନା ମହାମାରୀ ସମୟରେ କାମ ପାଇଁ ବାହାରକୁ ବାହାରିପାରୁନଥିବା ଏହି ସହି ର ଲୋକ ମାନେ ଦୁର୍ଦ୍ଧିନ ରେ ଦିନ କାଟୁଛନ୍ତି | ତେବେ ଏପରି ସମୟରେ ଉକ୍ତ ସାହି ର କିଛି ମାଫିଆ ଗୁଣ୍ଡା ଶ୍ରେଣୀ ର ବ୍ୟକ୍ତି ଚୋରା ମଦ ବିକି ମାଲାମାଲ ହେଉଛନ୍ତି | ଯାହାକୁ ନେଇ ସାହି ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଘଟିଛି । ଏ ନେଇ ସାହିର ମହିଳାମାନେ ଟିପିଏମ ଫାଣ୍ଡିରେ ମଦ ବିକ୍ରିକୁ ବିରୋଧ କରି ବର୍ଷ ବର୍ଷ ଧରି ଅନେକ ଲିଖିତ ଅଭିଯୋଗ କରିଆସିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଫାଣ୍ଡି ଅଧିକାରୀ ବିହିତ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଘଟଣା କ୍ରମରେ ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ହରିଜନ ସାହିର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ମହିଳା ମଦ ବିକ୍ରିକୁ ବିରୋଧ କରି ଟିପିଏମ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିଲେ । ମହିଳାମାନେ ଅଭିଯୋଗ କରି ଆସିବା ପରେ ମଦ ବିକ୍ରି କରୁଥିବା କିଛି ପୁରୁଷ ଓ ମହିଳା ଏକତ୍ରିତ ଭାବେ ଅଭିଯୋଗ କରିଥିବା ସେହି ସାହିର ସରୋଜ ସାମଲକୁ ରାତିରେ ଗ୍ରାମ ଦାଣ୍ଡ ମନ୍ଦିର ସମ୍ମୁଖରେ ହାଣି ମାରିଥିବାର ମୃତ ସରୋଜର ସ୍ତ୍ରୀ ଅଭିଯୋଗ କରିଛନ୍ତି । ଖବର ପାଇ ଚୌଦ୍ଵାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରୋଜକୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ପଠାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅଧିକ ଗଣ୍ଡଗୋଳର ଆଶଙ୍କା କରି ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।