ଋଣ କରାଇଦେବା ନାଁରେ ୧୮,୫୦୦ ଟଙ୍କା ଠକେଇ ଅଭିଯୋଗ , ଅଭିଯୁକ୍ତ ଗିରଫ !

9

କଟକ ( ଉତ୍କଳ ନ୍ୟୁଜ ) ୨୩-୧୧-୨୬ : ଟାଙ୍ଗି ପୋଲିସ କୁ ସଫଳତା , ବ୍ୟାଙ୍କରୁ ଋଣ କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୧୮,୫୦୦ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଟାଙ୍ଗୀ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ବିକ୍ରମ କେଶରୀ ମହାପାତ୍ର। ପୋଲିସ ସୂତ୍ରରୁ ପ୍ରକାଶ ଯେ, ବାଙ୍କୀ ଥାନା ଅନ୍ତର୍ଗତ ବାଟପାଟଣା ଗ୍ରାମର ଧୀରେନ୍ଦ୍ର ପ୍ରଧାନ (୪୬) ଜଗତପୁରସ୍ଥିତ ଏକ ଫ୍ୟାବ୍ରିକେସନ୍ କମ୍ପାନୀରେ କାମ କରୁଥିବା ସମୟରେ ଅଭିଯୁକ୍ତଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଅଭିଯୁକ୍ତ ନିଜର ବ୍ୟାଙ୍କ ଅଧିକାରୀଙ୍କ ସହ ଭଲ ସମ୍ପର୍କ ଥିବା କହି ତାଙ୍କୁ ବ୍ୟାଙ୍କ ଋଣ କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତିରେ ବିଶ୍ୱାସ କରି ଧୀରେନ୍ଦ୍ର ଟାଙ୍ଗୀସ୍ଥିତ ହାପି ହୋଟେଲ ନିକଟରେ ଅଭିଯୁକ୍ତଙ୍କୁ ଫୋନ୍ ପେ ମାଧ୍ୟମରେ ଦୁଇଟି କିସ୍ତିରେ ମୋଟ ୧୮,୫୦୦ ଟଙ୍କା ପଠାଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯିବା ପରେ ମଧ୍ୟ ଅଭିଯୁକ୍ତ ଋଣ କରାଇ ନଥିଲେ କି ଟଙ୍କା ଫେରସ୍ତ କରିନଥିଲେ। ଏ ସମ୍ପର୍କରେ ଧୀରେନ୍ଦ୍ର ଗତ ୨୨ ତାରିଖ ରାତିରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଟାଙ୍ଗୀ ଥାନା କେସ୍ ନଂ ୬୩୯/୨୦୨୬, ଧାରା ୪୨୦ ଆଇପିସି ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତଙ୍କର ଏଭଳି ଠକେଇରେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମ୍ପୃକ୍ତି ଥିବା ନେଇ ପୋଲିସକୁ ତଥ୍ୟ ମିଳିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ନିଜକୁ କୃଷି ଅଧିକାରୀ ବୋଲି ପରିଚୟ ଦେଇ କିମ୍ବା ବ୍ୟାଙ୍କ ଅଧିକାରୀଙ୍କ ସହ ନିଜର ପ୍ରଭାବଶାଳୀ ସମ୍ପର୍କ ଥିବା କହି ସାଧାରଣ ଲୋକଙ୍କୁ କୃଷି ଋଣ କରାଇଦେବା, ଚାଷ ଜମିରେ କୃଷି ପ୍ରଦର୍ଶନୀ କରାଇବା, ବିହନ ଓ କୃଷି ଯନ୍ତ୍ରପାତି ଯୋଗାଇଦେବାର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରୁଥିଲେ। ଟାଙ୍ଗୀ ଥାନା ଅଞ୍ଚଳର ମଗୁରା ଓ ବାଇଞ୍ଚୁଆ, ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଗୋପପୁର ଓ ଶଙ୍କିଲୋ ସମେତ ଯାଜପୁର ଟାଉନ ଓ କୁଆଖିଆ ଅଞ୍ଚଳରେ ମଧ୍ୟ ଏଭଳି ଠକେଇ କରିଥିବା ସମ୍ପର୍କରେ ତଦନ୍ତରୁ ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ୨୩ ନଭେମ୍ବର ସକାଳେ ଗିରଫ କରାଯାଇ ଆଇନ ଅନୁଯାୟୀ ଅଦାଲତକୁ ଚାଲାଣ କରାଯାଇଛି। ତାଙ୍କର ଅନ୍ୟାନ୍ୟ ଠକେଇ ମାମଲାରେ ସମ୍ପୃକ୍ତି, ଅନ୍ୟ ପୀଡ଼ିତଙ୍କ ଚିହ୍ନଟ ଏବଂ ଠକେଇ ଟଙ୍କାର ଗତିବିଧି ସମ୍ପର୍କରେ ଟାଙ୍ଗୀ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।