କଟକ (ଉତ୍କଳ ନ୍ୟୁଜ) ୨୩/୧୧/୨୦୨୬ : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏହି ମହାନ ଜନସମାଗମରେ ଯୋଗଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହାକୁ ନଜରରେ ରଖି ମେଳା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରିଛି କମିସନରେଟ୍ ପୁଲିସ। ଉଭୟ ଉପର ଓ ତଳ ପଡ଼ିଆରେ ସୁରକ୍ଷା ନିମନ୍ତେ ୧୨୦୦ଟି ଏଆଇ କ୍ୟାମେରା ଲଗାଯାଇଛି। ଏଥିସହ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୪୦୦ ଅଧିକାରୀ ମେଳା ପରିଚାଳନା ଦାୟିତ୍ୱରେ ରହିବେ।ସମଗ୍ର ବାଲିଯାତ୍ରା ପଡ଼ିଆ ଉପରେ ନଜର ରଖିବାକୁ ୩୮ଟି ପୁଲିସ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଏହି ଟାୱାରଗୁଡ଼ିକରେ ବନ୍ଧୁକଧାରୀ ପୁଲିସ ମୁତୟନ ରହି ଭିଡ଼ ଓ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବେ। ରବିବାର କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଉଭୟ ପଡ଼ିଆ ବୁଲି ସୁରକ୍ଷା ପ୍ରସ୍ତୁତିର ସ୍ଥିତି ଯାଞ୍ଚ କରିଛନ୍ତି। ମେଳାକୁ ଆସୁଥିବା ଲୋକଙ୍କ ସୁରକ୍ଷା ଓ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ୧୮ଟି ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ। ମୋବାଇଲ୍, ସୁନାଚେନ୍ ଓ ମନିପର୍ସ ଚୋରି, ଛିନ୍ତାଇ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଉତ୍ପାତ ରୋକିବା ଏହି କେନ୍ଦ୍ରଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ଅଭିଯୋଗକାରୀଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଯିବାକୁ ପଡ଼ିବ ନାହିଁ। ସେମାନେ ସିଧାସଳଖ ନିକଟସ୍ଥ ସହାୟତା କେନ୍ଦ୍ରରେ ନିଜ ଅଭିଯୋଗ ଜଣାଇପାରିବେ। ସେହିପରି ଭିଡ଼ ନିୟନ୍ତ୍ରଣ ସହ ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଏହାର ଦାୟିତ୍ୱରେ ଅତିରିକ୍ତ ଟ୍ରାଫିକ୍ ଡିସିପି ରହିବେ। ତାଙ୍କ ଅଧୀନରେ ଜଣେ ଟ୍ରାଫିକ୍ ଏସିପି, ଦୁଇଜଣ ଇନ୍ସପେକ୍ଟର, ୪ ଜଣ ଏସ୍ଆଇ, ୧୦ ଜଣ ଏଏସ୍ଆଇ ଏବଂ ୧୦୦ ଜଣ ଟ୍ରାଫିକ୍ କନଷ୍ଟେବଳ ନିୟୋଜିତ ହେବେ।ଅନ୍ୟପକ୍ଷରେ ବାଲିଯାତ୍ରାର ସାମଗ୍ରିକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା। ଏହି ଅବସରରେ ସେ ଜିଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ବୈଠକ କରି ସୁରକ୍ଷା, ଭିଡ଼ ପରିଚାଳନା ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ଓ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ବ୍ୟୁରୋ ନ୍ୟୁଜ