ଡାକ୍ତର ଦୀନବନ୍ଧୁ ବେହେରାଙ୍କ ପରଲୋକ |

58

କଟକ ( ଉତ୍କଳ ନ୍ୟୁଜ ) ୨୩-୧୧-୨୬ : ବିଶିଷ୍ଟ ଚିକିତ୍ସକ, ସମାଜ ସଂସ୍କାରକ ତଥା ସାହିତ୍ୟିକ ଡାକ୍ତର ଦୀନବନ୍ଧୁ ବେହେରାଙ୍କର ୯୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ସେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମର ବାସିନ୍ଦା ଥିଲେ। ଚିକିତ୍ସା ପାଇଁ ତାଙ୍କୁ କଟକ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା। ଆଜି ସନ୍ଧ୍ୟାରେ ତାଙ୍କ ମରଶରୀର ତିହିଡ଼ିରେ ପହଞ୍ଚିବା ପରେ ଶେଷକୃତ ସମ୍ପନ୍ନ କରା ଯାଇଛୀ। ତାଙ୍କ ବିୟୋଗରେ ଅଞ୍ଚଳର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଡାକ୍ତର ବେହେରା କେବଳ ଜଣେ ଚିକିତ୍ସକ ନଥିଲେ, ସେ ଥିଲେ ଜଣେ ନିଃସ୍ୱାର୍ଥପର ଜନସେବକ ଓ ସମାଜ ସଂସ୍କାରକ। ନିଜ ପ୍ରତିଷ୍ଠିତ ଜନଗଣ ସେବା ପରିଷଦ ମାଧ୍ୟମରେ ଦୀର୍ଘବର୍ଷ ଧରି ସେ ଜନସାଧାରଣଙ୍କ ସେବା କରିଆସୁଥିଲେ। ଗରିବ ଓ ଅସହାୟ ଲୋକଙ୍କ ଦୁଃଖରେ ସହଭାଗୀ ହେବା, ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ଏବଂ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବା ଥିଲା ତାଙ୍କ ଜୀବନର ମୂଳ ଲକ୍ଷ୍ୟ। ଚିକିତ୍ସା କ୍ଷେତ୍ର ସହିତ ସାହିତ୍ୟ ସାଧନାରେ ମଧ୍ୟ ତାଙ୍କର ରୁଚି ଓ ଅବଦାନ ରହିଥିଲା। ସେ ଜଣେ ସୁସାହିତ୍ୟିକ ଭାବେ ମଧ୍ୟ ପରିଚିତ ଥିଲେ। ତାଙ୍କ ବିୟୋଗରେ ତିହିଡ଼ି ଅଞ୍ଚଳ ଜଣେ ଦରଦୀ ଚିକିତ୍ସକ, ସମାଜସେବୀ ଓ ସାହିତ୍ୟପ୍ରେମୀ ବ୍ୟକ୍ତିତ୍ୱଙ୍କୁ ହରାଇଛି। ମୃତ୍ୟୁ ବେଳକୁ ସେ ଦୁଇ ପୁତ୍ର ଓ ଚାରି କନ୍ୟାଙ୍କ ସମେତ ପରିବାରବର୍ଗ ଓ ଅସଂଖ୍ୟ ଶୁଭେଚ୍ଛୁଙ୍କୁ ଛାଡ଼ି ଯାଇଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |