ପୂଜାରାଣୀର ନିଖୋଜକୁ ୧୬ ଦିନ ବିତିଲା, ସନ୍ଧାନ ପାଇଁ ଏସପିଙ୍କୁ ଗୁହାରୀ. |

65

କଟକ ( ଉତ୍କଳ ନ୍ୟୁଜ ) ୧୩-୧୧-୨୬ : ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ହରିପୁର ଗାଁର ପୂଜାରାଣୀର ନିଖୋଜକୁ ୧୬ ଦିନ ବିତିଲାଣି । ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ । ପୋଲିସ ଏକ ମିସିଂ ମାମଲା ରୁଜୁ କରିଥିଲେ ହେଁ ଏଯାବତ କୌଣସି ସନ୍ଧାନ ପାଉନି । ମନ୍ତେଇ ନଈରେ ଶବ ଭାସୁଥିବାର ପୋଲିସ ଜାଣିବା ପରେ ତତ୍କାଳ ଭିତ୍ତିରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଶବଟି କେଉଁଆଡକୁ ଭାସି ଯାଇଛି । ଉଭୟ ପୀରହାଟ ଓ ଘଣ୍ଟେଶ୍ୱର ପୋଲିସର ଅବହେଳା ପାଇଁ ତାଙ୍କ ଝିଅ ମୃତ କି ଜୀବିତ ସ୍ପଷ୍ଟ ହୋଇ ପାରୁ ନାହାଁନ୍ତି । ଆଇଆଇସିଙ୍କୁ ବାରମ୍ବାର ଭେଟି ଆସୁଥିଲେ ମଧ୍ୟ ତାଙ୍କର ଦାୟିତ୍ୱହୀନ ମନ୍ତବ୍ୟ ବୋଝ ଉପରେ ନଳିତା ବିଡା ସଦୃଶ ହେଉଥିବାରୁ ନିରୁପାୟ ହୋଇ ଶେଷରେ ଗୁରୁବାର ପୂର୍ବାହ୍ନରେ ନିଖୋଜ ପୂଜାରାଣୀ ବାପା ଓ ପିଉସୀ ଏସପିଙ୍କୁ ଭେଟି ଗୁହାରୀ କରିଛନ୍ତି । ପୂଜାରାଣୀ ମୋବାଇଲ୍‌ର କଲ ରେକର୍ଡ ଯାଞ୍ଚ କରିବା ପରେ ଏବଂ ଆସନ୍ତା ସୋମବାର ମଧ୍ୟରେ ପୋଲିସ କୌଣସି ନିଷ୍ପତିରେ ପହଂଚି ପାରିବ ବୋଲି ଏସପି ସେମାନଙ୍କୁ ପ୍ରତିଶୃତି ଦେଇଥିବା ଏତଲାକାରୀ ଭୁବନ ମୋହନ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଏହି ଥାନାଧିନ ଗୋକୁଳପୁର ଗାଁର ଭୁବନମୋହନ ବାରିକଙ୍କ ଝିଅ ପୂଜାରାଣି ବିଗତ ୧୧ ବର୍ଷ ହେଲା ହରିପୁର ଗାଁର ନିଜ ପିଉସୀ ବାସନ୍ତୀ ମହାନ୍ତିଙ୍କ ଘରେ ରହି ପାଠ ପଢୁଥିଲେ । ଚଳିତ ବର୍ଷ ସେ ବିଏସି ନସିଂର ଛାତ୍ରୀ । ଗତ ୨୭.୧୦.୨୬ରିଖ ରାତିରେ ବାସନ୍ତୀ ଓ ପୂଜାରାଣୀ ଖାଇ ସାରିବା ପରେ ଶୋଇଥିଲେ । ରାତି ପ୍ରାୟ ୧ ଘଟିକା ସମୟରେ ବାସନ୍ତୀ ଦେଖନ୍ତି ତ ପୂଜାରାଣି ସେଠାରେ ନାହିଁ । ବାଡିଘର ସମେତ ଗାଁ ସାରା ଖୋଜିବା ପରେ କୌଣସି ସନ୍ଧାନ ମିଳି ନଥିଲା । ଏନେଇ ଗତ ୨୮ ତାରିଖ ସଂଧ୍ୟାରେ ସେ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏକ ମିସିଂ କେସ ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ତେବେ ଗତ ୩୦ ତାରିଖ ସକାଳ ପ୍ରାୟ ୧ ଘଟିକା ସମୟରେ ମନ୍ତେଇ ନଈ ବାଲିଆପାଳ ଫେରିଘାଟ ନିକଟରେ ଜଣେ ଯୁବତୀଙ୍କ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ଘଣ୍ଟେଶ୍ୱର ଫାଣ୍ଡିକୁ ଜଣାଇଥିଲେ । ସେତେବେଳେ ପୋଲିସ କର୍ଣ୍ଣପାତ କରିନଥିଲା । ତେବେ ସୁଟିଂ ହୋଇଥିବା ଶବର ଭିଡିଓରୁ ପୂଜାରାଣୀ ବୋଲି ୩୦ ତାରିଖ ସକାଳେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଅବଗତ ହୋଇଥିଲେ ଏବଂ ତତ୍‌କ୍ଷଣାତ ସେମାନେ ପୋଲିସ ସହାୟତା ୧୧୨କୁ ଜଣାଇଥିଲେ । ପରେ ଗଦି ଦମକଳ ବାହିନୀ ସମେତ ପୀରହାଟ ଓ ଘଣ୍ଟେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଖୋଜାଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳିନଥିଲା । ପରେ ଓଡ୍ରାପ୍ଟ ଟିମ୍ ମଧ୍ୟ ଖୋଜାଖୋଜି କରି ବିଫଳ ମଧ୍ୟ ହୋଇଥିଲା । ଏହାପରେ ଚାରିବାଟିଆ ଫେରିଘାଟ ନିକଟରେ ପୂଜାରାଣି ପିନ୍ଧିଥିବା ଚପଲ ଉଦ୍ଧାର ହୋଇଥିଲା । ଏହାକୁ ନେଇ ସମସ୍ତଙ୍କ ମନରେ ନାନାଦି ସନ୍ଦେହ ଦେଖା ଦେଇଥିଲା । ଅନ୍ୟପଟେ ବାହାର ରାଜ୍ୟରେ କାମଧନ୍ଦା କରୁଥିବା ପୂଜାରାଣିଙ୍କ ବାପା ଘରକୁ ଆସି ଝିଅର ଏପରି କଥା ଶୁଣି ଭାଙ୍ଗି ପଡିଛନ୍ତି । ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ତାଙ୍କ ଝିଅକୁ ବିଭିନ୍ନ ସମୟରେ ମୋବାଇଲରେ ମେସେଜ୍ ଦେଇ ହଇରାଣ ହରକତ କରି ଆସୁଥିଲେ ଏବଂ ନିଖୋଜ ହୋଇଥିବା ରାତିରେ ସେ ଅପହରଣ କରି ଜୀବନରୁ ମାରିଦେଇ ମନ୍ତେଇ ନଈରେ ଫିଙ୍ଗି ଦେଇଥିବା ସନ୍ଦେହ କରିଛନ୍ତି ଏବଂ ଏନେଇ ସେ ଥାନାରେ ଗତ ତା ୩୧.୧୦.୨୬ରିଖରେ ଆଉ ଏକ ଏତଲା ମଧ୍ୟ ଦାଏର କରିଛନ୍ତି । ଏନେଇ ପୋଲିସ କୌଣସି ମାମଲା ରୁଜୁ କରି ନଥିବାରୁ ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |