ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା, ଯାତ୍ରୀଙ୍କ ପକେଟ୍‌କୁ ଝଟକା

37

କଟକ (ଉତ୍କଳ ନ୍ୟୁଜ) ୧୩/୧୧/୨୦୨୬ : ରାଜ୍ୟରେ ଘରୋଇ ବସ୍‌ରେ ଯାତ୍ରା କରିବା ଏଣିକି ମହଙ୍ଗା ହେବ। ସରକାର ବିଭିନ୍ନ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଥିବାରୁ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଦୂରଯାତ୍ରା କରୁଥିବା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ବାଣିଜ୍ୟ ଓ ପରିବହନ ବିଭାଗର ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ସାଧାରଣ ବସ୍‌ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ଭଡ଼ା ବଢ଼ାଯାଇଛି। ନୂଆ ଦର ଅନୁସାରେ, ସାଧାରଣ ବସ୍‌ରେ କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୧୮ ପଇସା ହୋଇଛି। ଅର୍ଥାତ୍ ପ୍ରତି କିଲୋମିଟରରେ ଯାତ୍ରୀଙ୍କୁ ଅଧିକ ୨୬ ପଇସା ଦେବାକୁ ହେବ। ସେହିପରି ଏକ୍ସପ୍ରେସ୍ ବସ୍‌ ଭଡ଼ା ୯୬ ପଇସାରୁ ବଢ଼ି ୧ ଟଙ୍କା ୨୪ ପଇସା ହୋଇଛି। ଅନ୍ୟପଟେ ସେମି ଡିଲକ୍ସ ବସ୍ ପାଇଁ କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି। ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୫ ପଇସାରୁ ବଢ଼ି ୧ ଟଙ୍କା ୪୧ ପଇସା ହୋଇଥିବାବେଳେ , ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୯୯ ପଇସାକୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ଉଚ୍ଚମାନର ବସ୍ ଯାତ୍ରୀଙ୍କ ଉପରେ। ସୁପର ଡିଲକ୍ସ ବଦଳରେ ଏବେ ସୁପର ପ୍ରିମିୟମ୍ ବର୍ଗରେ କିଲୋମିଟର ପିଛା ଭଡ଼ା ୨ ଟଙ୍କା ୫୩ ପଇସାରୁ ବଢ଼ି ୩ ଟଙ୍କା ୨୧ ପଇସା ହୋଇଛି। ସେହିପରି ସୁପର ପ୍ରିମିୟମ୍ ଫୁଲି ସ୍ଲିପର୍ ଏସି କୋଚ୍‌ର ଭଡ଼ା ୩ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୪ ଟଙ୍କା ୬୧ ପଇସାରେ ପହଞ୍ଚିଛି। ତେବେ ଟାଉନ୍ ବସ୍ ଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହାସହ କିଛି ବର୍ଗର ଦିବ୍ୟାଙ୍ଗ ଓ ଅନ୍ୟ ଯୋଗ୍ୟ ଯାତ୍ରୀଙ୍କ ପାଇଁ ଭଡ଼ା ଛାଡ଼ ବ୍ୟବସ୍ଥା ଜାରି ରହିଛି। ୪୦ରୁ ୪୯ ପ୍ରତିଶତ ଶାରୀରିକ ଅକ୍ଷମତା ଥିବା ଯାତ୍ରୀଙ୍କୁ ଅଧା ଭଡ଼ା ଦେବାକୁ ପଡ଼ିବ। ଯାତ୍ରୀଙ୍କ ପିଛା ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ମାଗଣା ରହିବ। ଏହାଠାରୁ ଅଧିକ ଲଗେଜ୍ ପାଇଁ ନିର୍ଦ୍ଧାରିତ ଦରରେ ଶୁଳ୍କ ଦେବାକୁ ହେବ। ଲଗାତାର ବସ୍ ଭଡ଼ା ବୃଦ୍ଧି ଯୋଗୁଁ ଦୈନନ୍ଦିନ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ମାସିକ ଖର୍ଚ୍ଚ ବଢ଼ିବା ନିଶ୍ଚିତ। ବିଶେଷକରି ଛାତ୍ରଛାତ୍ରୀ, ଚାକିରିଜୀବୀ ଓ ଦୂରଦୂରାନ୍ତରୁ ଯାତାୟାତ କରୁଥିବା ଯାତ୍ରୀଙ୍କ ଉପରେ ଏହାର ଆର୍ଥିକ ବୋଝ ପଡ଼ିବ। ଉତ୍କଳ ନ୍ୟୁଜ