କଟକ ( ଉତ୍କଳ ନ୍ୟୁଜ ).୧୧-୧୧-୨୬ : ତମାଖୁମୁକ୍ତ ଯୁବ ସମାଜ ଗଠନ ତଥା ତମାଖୁ ସେବନର କୁପରିଣାମ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ତମାଖୁମୁକ୍ତ ଯୁବସମାଜ ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କଟକ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ସ୍ଵାଇଁ ଅଧ୍ୟକ୍ଷତା କରି ତମାଖୁ ସେବନ ନକରିବା ପାଇଁ ଶପଥପାଠ କରାଇଥିଲେ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ତମାଖୁ ସେବନଠାରୁ ଦୂରେଇ ରଖିବା ଏବଂ ତମାଖୁଜନିତ ରୋଗ ଓ ଏହାର ଭୟାବହ ପରିଣାମ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା । ଏଥିସହ ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଓ ଯୁବପିଢ଼ିଙ୍କ ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ତମାଖୁ ନିୟନ୍ତ୍ରଣ ସମ୍ପର୍କିତ ନିୟମାବଳୀର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ ଦେବା ବୋଲି ସେ ମତବ୍ୟକ୍ତ କରିଥିଲେ ।

ବୈଠକରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗଗନ ବିହାରୀ ପତି, ଅବକାରୀ ଅଧିକ୍ଷକ ,କଟକ ଶ୍ରୀ କରୁଣାଶଙ୍କର ତିୱାରୀ,ଡ଼ିଏସପି,ଗ୍ରାମାଞ୍ଚଳ ,ପ୍ରତିମା ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ଅଶୋକ କୁମାର ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ତମାଖୁ ନିୟନ୍ତ୍ରଣ ଅଭିଯାନକୁ ଜିଲ୍ଲାରେ ଅଧିକ ପ୍ରଭାବଶାଳୀ କରିବା, ଯୁବପିଢ଼ିଙ୍କୁ ଏହି ଅଭିଯାନରେ ସାମିଲ କରିବା ଏବଂ ସମସ୍ତ ବିଭାଗର ସମନ୍ୱୟରେ ସଚେତନତାମୂଳକ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ଜିଲ୍ଲାରେ ଏହି ଅଭିଯାନ ୨୮ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଶିକ୍ଷାନୁଷ୍ଠାନ ଗୁଡିକରେ ସାଇକେଲ ରାଲି, ମାରାଥନ ମାଧ୍ୟମରେ ଯୁବପିଢିକୁ ସଚେତନ କରାଯିବ ।