କଟକ ( ଉତ୍କଳ ନ୍ୟୁଜ ) ୧୦-୧୧-୨୬ : . ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଆଜି ପୂର୍ବାହ୍ନରେ ମାନ୍ୟବର ବିଧାୟିକା ଇଂ ସୋଫିଆ ଫିରଦୋସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବ ଅନୁମୋଦିତ ସହରାଂଚଳରେ ଆବଶ୍ୟକ ଥିବା ଭିତ୍ତିଭୂମିର ବିକାଶ, ରାସ୍ତା ଘାଟ ନିର୍ମାଣ,ଜଳନିଷ୍କାସନ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ବ୍ୟବସ୍ଥା ସମ୍ପର୍କିତ ସମସ୍ତ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ ପେଟାନାଳ ଓ ବିଭିନ୍ନ ରାସ୍ତାକୁ ସଂଯୋଗ କରୁଥିବା ଚୌରହ ଓ ଛକମାନଙ୍କର ସୌନ୍ଦର୍ଯ୍ୟକରଣ, ପୋଖରୀଗୁଡ଼ିକର ପୁନରୁଦ୍ଧାର, ନୂତନ ଭେଣ୍ଡିଂ ଜୋନ୍ ଆଦି ଚାଲୁରହିଥିବା ନିର୍ମାଣଧିନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ନୂତନ ଭେଣ୍ଡିଂ ଜୋନ୍ ନିୟମ ଅନୁଯାୟୀ ଉପଯୁକ୍ତ, ଆବଶ୍ୟକତା ଥିବା ସ୍ଥାନୀୟ ଦୋକାନୀମାନଙ୍କୁ ଏହାର ସୁବିଧା ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ । ସେହିପରି ମହାନଦୀ ୱାଟରଫ୍ରଣ୍ଟ ବିକାଶ ପ୍ରକଳ୍ପ, ନୂତନ ଅଡିଟୋରିୟମ୍ ନିର୍ମାଣ, ବକ୍ସିବଜାରସ୍ଥିତ ମାର୍କେଟ୍ କମ୍ପ୍ଲେକ୍ସର ନବୀକରଣ ଏବଂ ସ୍ୱେରେଜ୍ ବ୍ୟବସ୍ଥାର ଉନ୍ନତୀକରଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ପର୍ଯ୍ୟଟନ କ୍ଷେତ୍ରରେ ବିକାଶ, ଗଡଖାଇର ଉନ୍ନତିକରଣ, ନିୟମିତ ରକ୍ଷଣାବେକ୍ଷଣ, ରୂପା ତାରକସି ହବ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯିବ ସହ ଶିଶୁଭବନର ଉନ୍ନତିକରଣ , ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଯନ୍ତ୍ରପାତି ସ୍ଥାପନ, ରୋଗୀ ଶଯ୍ୟା ବ୍ୟବସ୍ଥା ,ଭିତ୍ତିଭୂମି ରକ୍ଷଣାବେକ୍ଷଣ ଆଦି ସମ୍ପର୍କରେ ବିସ୍ତୃତ ସମୀକ୍ଷା ହୋଇଥିଲା । ଆଵଶ୍ୟକ ହେଉଥିବା ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ବିଦ୍ୟୁତ୍ ସଂଯୋଗୀକରଣ ଓ ନିରବଚ୍ଛିନ ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ଟିପିସିଓଡିଏଲ୍ ଅଧିକାରୀଙ୍କୁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ ।ଏଥି ସହ ବାରବାଟୀ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ କିଓସ୍କ ସ୍ଥାପନ ନିମନ୍ତେ ୱାଟକୋ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ମିୟାୱାକି ପଦ୍ଧତିରେ ବୃକ୍ଷରୋପଣ କରିବା ନିମନ୍ତେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସମୀକ୍ଷା ପୂର୍ବକ ବୈଠକରେ ସମସ୍ତ ସ୍ଥିତି ସମ୍ପର୍କରେ ଅବଗତ ହୋଇ ବିଶେଷକରି ଆଲୋଚନା ମାଧ୍ଯମରେ ବାରବାଟୀ ନିର୍ବାଚନ ମଣ୍ଡଳୀର ଡ୍ରେନେଜ ନବୀକରଣ ଓ ଡ୍ରେନ୍ ସଫେଇ, ସ୍ଲୁଇସ୍ ଗେଟ୍ର ରକ୍ଷଣାବେକ୍ଷଣ ଓ ମରାମତି, ଖେଳପଡ଼ିଆର ନବୀକରଣ, ବିଦ୍ୟାଳୟଗୁଡ଼ିକର ଉନ୍ନତୀକରଣ, ମହାପୁରୁଷମାନଙ୍କ ନୂତନ ପ୍ରତିମୂର୍ତ୍ତି ସ୍ଥାପନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ତଥା ଅନ୍ୟାନ୍ୟ ସମସ୍ୟାଗୁଡିକର ତ୍ଵରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ନିର୍ଦ୍ଦେଶିକା,ଶ୍ରୀମତୀ ସଂଗୀତା ସାହୁ ଏବଂ ଉପନିର୍ଦେଶକ, ଶ୍ରୀ ବିଶ୍ଵରଞ୍ଜନ ଦାଶଙ୍କ ସମେତ ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।