ପିପିଲିରେ ବଡ଼ ଧରଣର କଇଁଛ ଚୋରାଚାଲାଣ ଧରାପଡ଼ିଲା, ୨୩୦ ଜୀବନ୍ତ କଇଁଛ ଉଦ୍ଧାର |

86

କଟକ (ଉତ୍କଳ ନ୍ୟୁଜ), ୯/୧୧/୨୦୨୬: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲିଥିଲା ଜୀବନ୍ତ କଇଁଛ ଚୋରାଚାଲାଣ। ହେଲେ ପିପିଲି ଟୋଲ୍ ଗେଟ୍ ନିକଟରେ ପୋଲିସର ଚଢ଼ାଉ ପରେ ଏହି କାରବାରର ପର୍ଦ୍ଦାଫାସ ହୋଇଛି। ଏକ କାରରୁ ୮ଟି ବସ୍ତାରେ ଭର୍ତ୍ତି ୨୩୦ଟି ଜୀବନ୍ତ ଫ୍ଲାପ୍ ସେଲ୍ ପ୍ରଜାତିର କଇଁଛ ଜବତ ହୋଇଛି। ଏହି ଘଟଣାରେ ପଶ୍ଚିମବଙ୍ଗର ଦୁଇ ଜଣଙ୍କୁ ପୋଲିସ ଗିରଫ କରିବା ସହ କାରଟିକୁ ମଧ୍ୟ ଜବତ କରିଛି। ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ବାଥୁଆରୀ ଗ୍ରାମର ମଦନ କୁମାର ମାଇତି ଏବଂ ଗଙ୍ଗାଧରବାଦ ଗ୍ରାମର ଗୌତମ ଜେନା। ଉଭୟ ଦୀର୍ଘଦିନ ଧରି ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ବେଆଇନ କାରବାରରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଚଢ଼େଇ, ଗୋଧି ଓ କଇଁଛ ଭଳି ବନ୍ୟଜନ୍ତୁଙ୍କୁ ନେଇ ସେମାନେ ବ୍ୟବସାୟ କରୁଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ ଉଭୟ ଏକ କାର୍‌ରେ ୨୩୦ଟି କଇଁଛକୁ ୮ଟି ବସ୍ତାରେ ଭର୍ତ୍ତି କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପିପିଲି ଥାନା ପୋଲିସ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲ୍ ଗେଟ୍ ନିକଟରେ ଗାଡ଼ିଟିକୁ ଅଟକାଇଥିଲା। ଯାଞ୍ଚ ବେଳେ କାର୍‌ରୁ ବସ୍ତା ଭର୍ତ୍ତି କଇଁଛ ମିଳିବା ପରେ ଚୋରାଚାଲାଣ ଘଟଣା ସାମ୍ନାକୁ ଆସିଥିଲା। ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଧରିବା ସହ ଡବ୍ଲୁବି-୩୧-ଏଏ-୮୫୩୧ ନମ୍ବର ବିଶିଷ୍ଟ କାର୍‌କୁ ଜବତ କରିଥିଲା। ଉଦ୍ଧାର ହୋଇଥିବା କଇଁଛଗୁଡ଼ିକୁ ପିପିଲି ପୋଲିସ ବାଲିପାଟଣା ବନ ବିଭାଗକୁ ହସ୍ତାନ୍ତର କରିଛି।ଏହି ଘଟଣା ପରେ ବନ୍ୟଜନ୍ତୁ ଚୋରାଚାଲାଣ ପଛରେ ଥିବା ବଡ଼ ରାକେଟ୍‌ର ସମ୍ପୃକ୍ତି ନେଇ ଆଶଙ୍କା ବଢ଼ିଛି। ଏହି କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ କଇଁଛଗୁଡ଼ିକୁ କେଉଁଠାରୁ ସଂଗ୍ରହ କରାଯାଇଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଉତ୍କଳ ନ୍ୟୁଜ