କଟକ ( ଉତ୍କଳ ନ୍ୟୁଜ ) ୯/୧୧/୨୦୨୬ : ବାୟୁ ପ୍ରଦୂଷଣରେ ଦିଲ୍ଲୀଠୁ ଟପିଗଲା ଭୁବନେଶ୍ବର |ଦୀପାବଳିର ଆଲୋକ ଓ ଆତସବାଜି ଭିତରେ ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢ଼ାଇଛି ବାୟୁ ପ୍ରଦୂଷଣ। ବାଣ ଫୁଟାଇବା ପରେ ବାୟୁର ମାନ ଏପରି ଖରାପ ହୋଇଥିଲା ଯେ, AQI ୧୪୦୦ ଅତିକ୍ରମ କରିଥିଲା। AQI.inର ତଥ୍ୟ ଅନୁସାରେ, ରବିବାର ରାତି ୧୧ଟାରେ ଭୁବନେଶ୍ୱରର AQI ୧୪୪୪ରେ ପହଞ୍ଚିଥିଲା। ଏହି ସମୟରେ ଦିଲ୍ଲୀର AQI ୭୨୦ ଥିବା ଦର୍ଶାଯାଇଛି। ସନ୍ଧ୍ୟା ହେବା ସହ ରାଜଧାନୀରେ ବଢ଼ିଥିଲା ପ୍ରଦୂଷଣର ମାତ୍ରା। ସନ୍ଧ୍ୟା ୭ଟାରେ AQI ୨୫୮ ଥିବାବେଳେ ସାଢ଼େ ୮ଟାରେ ଏହା ୮୫୯କୁ ବୃଦ୍ଧି ପାଇଥିଲା। ରାତି ୯ଟାରେ ୧୦୯୧ ଏବଂ ରାତି ୧୧ଟାରେ ସର୍ବୋଚ୍ଚ ୧୪୪୪ ରେକର୍ଡ ହୋଇଥିଲା। କେବଳ AQI ନୁହେଁ, ବାୟୁରେ ଥିବା ଧୂଳିକଣାର ମାତ୍ରା ମଧ୍ୟ ଚିନ୍ତାଜନକ ରହିଥିଲା। ରାତି ୯ଟାରେ PM2.5ର ପରିମାଣ ଘନମିଟର ପ୍ରତି ୬୨୨ ମାଇକ୍ରୋଗ୍ରାମ୍ ଏବଂ PM10ର ପରିମାଣ ୭୫୦ ମାଇକ୍ରୋଗ୍ରାମ୍ ରେକର୍ଡ ହୋଇଥିଲା। ତେବେ ରାତି ବଢ଼ିବା ସହ ପ୍ରଦୂଷଣର ମାତ୍ରା ଧୀରେ ଧୀରେ କମିଥିଲା। ସାଢ଼େ ୧୧ଟାରେ AQI ୧୩୪୫, ମଧ୍ୟରାତ୍ରିରେ ୧୦୮୦ ଏବଂ ରାତି ୧ଟାରେ ୯୦୮କୁ ଖସିଥିଲା। ରାତି ସାଢ଼େ ୩ଟା ବେଳକୁ ଏହା ୩୦୫ରେ ପହଞ୍ଚିଥିଲା। ତଥ୍ୟ ଅନୁସାରେ, ପ୍ରାୟ ୮ ଘଣ୍ଟା ଧରି ରାଜଧାନୀର ବାୟୁ ଗୁଣବତ୍ତା ଅତ୍ୟଧିକ ପ୍ରଦୂଷିତ ରହିଥିଲା। ବାଣ ଫୁଟାଇବା ଯୋଗୁଁ ବାୟୁରେ ଧୂଳିକଣା ଓ ଅନ୍ୟ ପ୍ରଦୂଷକର ମାତ୍ରା ବଢ଼ିଥିବା କୁହାଯାଉଛି। ବର୍ତ୍ତମାନ ଭୁବନେଶ୍ୱରର AQI ୨୧୫ ରହିଥିବା ଉଲ୍ଲେଖ କରାଯାଇଛି। ଦୀପାବଳିର ଉତ୍ସବ ପରେ ରାଜଧାନୀରେ ବାୟୁ ପ୍ରଦୂଷଣର ଏହି ଚିତ୍ର ପରିବେଶ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ନୂଆ ଚିନ୍ତା ସୃଷ୍ଟି କରିଛି। ଉତ୍କଳ ନ୍ୟୁଜ