କାଳୀପୂଜା ଓ ଦୀପାବଳିକୁ ନେଇ ପୋଲିସର କଡ଼ା ପ୍ରସ୍ତୁତି, ସୁରକ୍ଷା ବଳୟରେ ରହିବ ସହର |

37

କଟକ ( ଉତ୍କଳ ନ୍ୟୁଜ ) ୭/୧୧/୨୬ : ଆଲୋକର ପର୍ବ ଦୀପାବଳି ଓ କାଳୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ କମର କଷିଛି କମିଶନରେଟ୍ ପୋଲିସ। ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଟ୍ରାଫିକ୍ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ଉପରେ ରହିବ ପୋଲିସର ତୀକ୍ଷ୍ଣ ନଜର। ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଉପରେ କଟକଣା । ପୂଜା ଓ ଉତ୍ସବ ସମୟରେ ଚୋରି, ଲୁଟ୍ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ଟିମ୍ ସଜାଗ ରହିବେ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ। ସେହିପରି ବାଣ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ରହିଛି କଡ଼ା ନିୟମ। କେବଳ ଅନୁମତିପ୍ରାପ୍ତ ବ୍ୟବସାୟୀ ହିଁ ବାଣ ବିକ୍ରି କରିପାରିବେ। ବାଣ ଗଚ୍ଛିତ ରଖିବା ସମୟରେ ସମସ୍ତ ସୁରକ୍ଷା ନିୟମ ମାନିବାକୁ ପଡ଼ିବ। ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ରହିଛି କଟକଣା। ବିଶେଷକରି ଛୋଟ ପିଲାଙ୍କୁ ବାଣଠାରୁ ଦୂରେଇ ରଖିବା ସହ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି ସିପି। ବୟସ୍କ ବ୍ୟକ୍ତି, ଶିଶୁ ଓ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ମଧ୍ୟ ସମସ୍ତେ ସଚେତନ ରହିବା ଆବଶ୍ୟକ। ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତି ଭଙ୍ଗ କରୁଥିବା କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି। ତେବେ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଦୀପାବଳି ପାଳନ ପାଇଁ ପୋଲିସ ପକ୍ଷରୁ ସମସ୍ତ ନାଗରିକଙ୍କ ସହଯୋଗ କାମନା କରାଯାଇଛି। ଉତ୍କଳ ନ୍ୟୁଜ ଉତ୍କଳ ନ୍ୟୁଜ