କଟକ ( ଉତ୍କଳ ନ୍ୟୁଜ ) ୭/୧୧/୨୬ : ଅଟକ ରଖିବାର ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଇବା ବାଧ୍ୟତାମୂଳକ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଗୁରୁବାର ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ ଅତୁଲ ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନର ଧାରା ୨୨(୨) ଅନୁଯାୟୀ "ଗିରଫ" ଓ "ଅଟକ" ମଧ୍ୟରେ କୌଣସି କୃତ୍ରିମ ପାର୍ଥକ୍ୟ କରାଯାଇପାରିବ ନାହିଁ। ଜଣେ ବ୍ୟକ୍ତିଙ୍କୁ ପୁଲିସ ହେପାଜତକୁ ନେବା ମୁହୂର୍ତ୍ତରୁ ହିଁ ୨୪ ଘଣ୍ଟିଆ ସାମ୍ବିଧାନିକ ସମୟସୀମା ଆରମ୍ଭ ହେବ। କାଗଜପତ୍ରରେ ଗିରଫ ଦର୍ଶାଇବାରେ ବିଳମ୍ବ କରି ଏହି ସମୟସୀମାକୁ ଏଡ଼ାଇବା ପାଇଁ ପୁଲିସକୁ ଅନୁମତି ନାହିଁ। ଖଣ୍ଡପୀଠ କହିଛନ୍ତି ଯେ, ଅଟକ ରଖିବା ପରେ ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଧରି ଗିରଫ ନକରି ହେପାଜତରେ ରଖିବା ତାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ। ଏହାଦ୍ୱାରା ପୁଲିସର ମନମୁଖୀ କାର୍ଯ୍ୟକଳାପ ଓ କ୍ଷମତାର ଅପବ୍ୟବହାର ଆଶଙ୍କା ବଢ଼ିଥାଏ। ତେଣୁ କୋର୍ଟକୁ ଯିବା ଆସିବା ପାଇଁ ଆବଶ୍ୟକ ସମୟକୁ ବାଦ୍ ଦେଇ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବାକୁ ପଡ଼ିବ। ଏହା ସହିତ ମାଜିଷ୍ଟ୍ରେଟ୍ ନିଜେ ଯାଞ୍ଚ କରିବେ ଯେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ କେଉଁ ସମୟରେ ହେପାଜତକୁ ନିଆଯାଇଥିଲା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କୁ ହାଜର କରାଯାଇଛି କି ନାହିଁ। ଏଥିପାଇଁ ହେପାଜତକୁ ନେବାର ତାରିଖ ଓ ସଠିକ୍ ସମୟ ସରକାରୀ ରେକର୍ଡରେ ଲିପିବଦ୍ଧ କରିବା ମଧ୍ୟ ଜରୁରୀ। ବିଏନ୍ଏସ୍ର ଧାରା ୫୮ ଅନୁଯାୟୀ, ୨୪ ଘଣ୍ଟାରୁ ଅଧିକ ସମୟ ହେପାଜତରେ ରଖିବା ପାଇଁ ଆଇନଗତ ଆଧାର ଓ ଉପଯୁକ୍ତ କାରଣ ରହିବା ଆବଶ୍ୟକ। ଏପରିକି ଏନ୍ଡିପିଏସ୍ ଭଳି କଠୋର ଆଇନ ମଧ୍ୟ ଜଣେ ବ୍ୟକ୍ତିଙ୍କର ଏହି ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇପାରିବ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ନକରି ଅଟକ ରଖାଯାଏ, ତେବେ ତାଙ୍କୁ ମୁକ୍ତ କରିବାର ଆଇନଗତ ପ୍ରଶ୍ନ ଉଠିବ। ସେହିପରି ଅଟକ ରଖିବାର ଯଥାର୍ଥ କାରଣ ନଥିଲେ ମାଜିଷ୍ଟ୍ରେଟ୍ ରିମାଣ୍ଡ ଦେବାକୁ ମଧ୍ୟ ମନା କରିପାରିବେ। ତ୍ରିପୁରାରୁ ଗିରଫ ହୋଇଥିବା ଚାରିଜଣ ବ୍ୟକ୍ତିଙ୍କ ପିଟିସନ୍ ସହ ଜଡ଼ିତ ଏହି ରାୟକୁ ଆଇନଜୀବୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ପଦକ୍ଷେପ ବୋଲି ମତ ଦେଇଛନ୍ତି। ଏହା ହାଜତ ନିର୍ଯାତନା, ବେଆଇନ ଅଟକ ଓ ପୁଲିସର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ନାଗରିକଙ୍କ ସାମ୍ବିଧାନିକ ସୁରକ୍ଷାକୁ ଆହୁରି ମଜଭୁତ କରିବ। ଉତ୍କଳ ନ୍ୟୁଜ