ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ନିର୍ବାଚନ ଲଢ଼ିବା ନିୟମକୁ ନେଇ ଦ୍ୱନ୍ଦ୍ୱ !

42

କଟକ(ଉତ୍କଳ ନ୍ୟୁଜ) ୫/୧୧/୨୬ : ନଭେମ୍ବର ୪ରେ ସୁପ୍ରିମକୋର୍ଟ ଦୁଇ ସନ୍ତାନ ନୀତିର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇଥିଲେ। ଦେଶରେ ଜନ୍ମହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ଏହି ଆଇନର ଯଥାର୍ଥତା ନେଇ ଅଦାଲତ ମତ ରଖିଥିଲେ। ଏଥିସହ ୨୦୦୩ ମସିହାର ଜାଭେଦ୍ ବନାମ ହରିୟାଣା ରାଜ୍ୟ ମାମଲାର ରାୟର ପୁନଃ ସମୀକ୍ଷା ପାଇଁ ମାମଲାଟିକୁ ବୃହତ୍ତର ଖଣ୍ଡପୀଠକୁ ପଠାଇଛନ୍ତି। ଅନ୍ୟପକ୍ଷରେ, ଓଡ଼ିଶାରେ ଏବେ ମଧ୍ୟ ଏହି କଟକଣା ବଳବତ୍ତର ରହିଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ର ଧାରା ୨୫(୧)(ଭି) ଅନୁସାରେ, ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ସରପଞ୍ଚ କିମ୍ବା ଗ୍ରାମ ପଞ୍ଚାୟତ ସଦସ୍ୟ ପଦ ପାଇଁ ଅଯୋଗ୍ୟ ବିବେଚିତ ହୁଅନ୍ତି। ୧୯୯୪ ମସିହାରେ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା। ତେବେ ଆଇନ ଲାଗୁ ହେବା ପୂର୍ବରୁ ଦୁଇରୁ ଅଧିକ ସନ୍ତାନ ଥିବା କେତେକ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ରିହାତି ମିଳିଛି। ତେବେ ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟକୁ ଆଇନ ଉଚ୍ଛେଦର ନିଷ୍ପତ୍ତି ବୋଲି ଧରିନେବା ଠିକ୍ ହେବ ନାହିଁ। କାରଣ ଓଡ଼ିଶାରେ ଏହି ନିୟମ ବାତିଲ ହୋଇନାହିଁ। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନ ଲଢ଼ିବାର ସୁଯୋଗ ପାଇବେ କି ନାହିଁ, ତାହା ଆଗାମୀ ଆଇନଗତ ରାୟ ଏବଂ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନିର୍ଭର କରୁଛି। ଉତ୍କଳ ନ୍ୟୁଜ