ଲେହ ରେ ଶିକ୍ଷାନୁଷ୍ଠାନ କୁ ପ୍ରଶାସନ ର ଝଟକା , କାର୍ଯ୍ୟକଳାପ ଉପରେ ଲାଗିଲା ରୋକ୍ |

36

କଟକ (ଉତ୍କଳ ନ୍ୟୁଜ) ୪/୧୧/୨୬ : ସୋନମ ୱାଙ୍ଗଚୁକ୍‌ଙ୍କ ଶିକ୍ଷାନୁଷ୍ଠାନକୁ ନେଇ ବଢ଼ିଲା ବିବାଦ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହିମାଳୟାନ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲ୍ଟରନେଟିଭ୍ସ (HIAL) ଅଧୀନରେ ପରିଚାଳିତ ଡେଜର୍ଟ ଫ୍ଲାୱାର ସ୍କୁଲ୍‌ର ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବାକୁ ନୋଟିସ୍ ଜାରି କରିଛି ଲଦାଖ ପ୍ରଶାସନ। ଲେହର ଫିୟାଙ୍ଗ ଅଞ୍ଚଳରେ ଥିବା ଏହି ସ୍କୁଲ୍‌କୁ ନେଇ ନଭେମ୍ବର ୧ ତାରିଖରେ ଲେହ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି ହୋଇଛି। HIALର ସହ-ପ୍ରତିଷ୍ଠାତା ତଥା ସିଇଓ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କୁ ଏହି ନୋଟିସ୍ ପଠାଯାଇଛି। ସେ ସୋନମ ୱାଙ୍ଗଚୁକ୍‌ଙ୍କ ପତ୍ନୀ। ପ୍ରଶାସନର ଅଭିଯୋଗ ଅନୁଯାୟୀ, ଆବଶ୍ୟକୀୟ ଅନୁମତି, ଏନ୍‌ଓସି ଓ ସରକାରୀ ମଞ୍ଜୁରୀ ନନେଇ ସ୍କୁଲ୍‌ରେ ପାଠପଢ଼ା ସମେତ ଅନ୍ୟାନ୍ୟ କାର୍ଯ୍ୟକଳାପ ଚାଲୁଥିଲା। ଏହାକୁ ନେଇ ପ୍ରଶାସନ ପକ୍ଷରୁ ଆପତ୍ତି ଉଠାଯାଇଛି। ତେବେ ଏହି ବିବାଦର ମୂଳ କାରଣ ହେଉଛି ଜମି ଆବଣ୍ଟନ। HIALକୁ ଆବଣ୍ଟନ କରାଯାଇଥିବା ୧୦୭୬ କନାଲ, ଅର୍ଥାତ୍ ପ୍ରାୟ ୧୩୪.୫ ଏକର ଜମିର ଆବଣ୍ଟନକୁ ଲଦାଖ ପ୍ରଶାସନ ବାତିଲ କରିଥିଲା। ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ଦାୟର ହୋଇଛି। ମାମଲାଟି ବର୍ତ୍ତମାନ ବିଚାରାଧୀନ ରହିଛି। ଏହି ନୋଟିସ୍ ପରେ HIAL ଓ ଲଦାଖ ପ୍ରଶାସନ ମଧ୍ୟରେ ଚାଲିଥିବା ବିବାଦ ପୁଣି ଚର୍ଚ୍ଚାକୁ ଆସିଛି। ଉତ୍କଳ ନ୍ୟୁଜ