କଟକ (ଉତ୍କଳ ନ୍ୟୁଜ ) ୨୨-୦୪-୨୦୨୫ : ବାଲି ବୋଝେଇ ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ। ମୃତକ ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଂଚାୟତ ଅଧିନ କଣ୍ଡରଗଡିଆ ଗାଁର ଉତ୍ତମ ଶଙ୍ଖୁଆ ବୋଲି ଜଣା ଯାଇଛି। ଭଦ୍ରକ ଚାନ୍ଦବାଲି ରାସ୍ତା ବିନ୍ଧା ଛକ ନିକଟରେ ଦୁର୍ଘଟଣାରେ ଜୀବନ ଯାଇଥିବା ଜଣା ଯାଇଛି। ଆଜି ସକାଳେ ବାଲି ବୋଝେଇ ହାଇୱାଟି ପୀରହାଟ ଅଭିମୁଖେ ଯାଉଥିବା ବେଳେ ଉତ୍ତମ ନିଜ ଉଉଣୀକୁ କଲେଜରେ ଛାଡି ତିହିଡିରୁ ବାଇକରେ ଗାଁକୁ ଯାଉଥିଲେ। ହାଇୱାକୁ ଓଭରଟେକ୍ କରୁଥିବା ବେଳେ କୌଣସି ପରିସ୍ଥିତିରେ ବିନ୍ଧା ଛକ ନିକଟରେ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ହାଇୱା ଚକା ତଳେ ପଡି ଯାଇଥିଲେ। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ଯୁ ହୋଇଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିକରି ରାସ୍ତାରୋକ କରା ଯାଇଥିଲା। ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି। ପୋଲିସ ହାଇୱା ଗାଡିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ଭଦ୍ରକ ପଠା ଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |