କଟକ, ( ଉତ୍କଳ ନ୍ୟୁଜ ) ୨୩-୦୫-୨୦୨୬: ଜନ ଜାତୀୟ ଗରିମା ଉତ୍ସବ ଅବସରରେ ଦେଶବ୍ୟାପୀ ଚାଲିଥିବା ଜନ ଭାଗୀଦାରୀ – ସବସେ ଦୂର ସବସେ ପେହଲେ ବା ସବୁଠାରୁ ଦୂରରେ ସର୍ବପ୍ରଥମେ ଅଭିଯାନ ଅନ୍ତର୍ଗତ ଆଜି କଟକ ଜିଲ୍ଲାର ଆଠଗଡ ବ୍ଲକ ରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ, ଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ । ଗ୍ରାମର ରାସ୍ତାଘାଟ, ସାର୍ବଜନୀନ ସ୍ଥାନ ଓ ପରିବେଶ ପରିଷ୍କାର ରଖିବା ସହ ସ୍ୱାସ୍ଥ୍ୟକର ଜୀବନଯାପନ ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା । ସେହିପରି ବାରଙ୍ଗ ଓ ଟାଙ୍ଗୀ-ଚୌଦ୍ଵାର ବ୍ଲକରେ ଜନଶୁଣାଣି, ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା ।

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଇଥିଲେ । ଏହା ସହ ରୋଗୀମାନଙ୍କୁ ବିନା ମୂଲ୍ୟରେ ଔଷଧ ବଣ୍ଟନ କରାଯାଇଥିଲା । ଜନ ଶୁଣାଣିରେ ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗ ହସ୍ତଗତ ହୋଇଥିଲା । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବ୍ଲକର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଗ୍ରାମାଞ୍ଚଳରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ପହଞ୍ଚାଇବା ଜନଭାଗୀଦାରୀ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।