କଟକ (ଉତ୍କଳ ନ୍ୟୁଜ ) ୬-୦୪-୨୦୨୬ : ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ କରାଯାଉଛି ଓଡ଼ିଆ ପକ୍ଷ । ଏହି ଭବ୍ୟ ଓ ଦିବ୍ୟ ସମାରୋହକୁ ଲୋକଙ୍କ ସହଭାଗିତାରେ ପାଳନ କରିବା ପାଇଁ, ବ୍ଲକଠୁ ନେଇ ରାଜ୍ୟସ୍ତରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷିରେ ଆଜି କଟକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଧବଳେଶ୍ୱର ମନ୍ଦିରରେ ସଫେଇ ଅଭିଯାନ କରାଯାଇଛି। ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ, ଦେବୋତ୍ତର, ଧବଳେଶ୍ୱର ମନ୍ଦିରର କର୍ମଚାରୀ ଏବଂ ଅଞ୍ଚଳର ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଏହି ସଫେଇ ଅଭିଯାନ କରାଯାଇଥିଲା । ଅନ୍ୟପକ୍ଷରେ କଟକ ମହହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ , କମିଶନର ସୁଶ୍ରୀ କିରନଦୀପ କୌର ସହୋତା, କଟକ ମହାନଗର ନିଗମର ବିଭିନ୍ନ ଅଧିକାରୀ , ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ଆଜି ବାରବାଟୀ ଦୁର୍ଗ, ଗଡ଼ଖାଇ ମନ୍ଦିର ଆଦି ଐତିହ୍ୟ ସ୍ଥଳୀ ଗୁଡିକରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି।

ଏଥିସହ ଚଣ୍ଡୀ ମନ୍ଦିର, ନେତାଜୀ ଜନ୍ମସ୍ଥାନ ଏବଂ ସଂଗ୍ରହାଳୟ, ସ୍ୱରାଜ ଆଶ୍ରମ, ସାମୁଦ୍ରିକ ସଂଗ୍ରହାଳୟ, ଦୋଳମୁଣ୍ଡାଇସ୍ଥିତ ଜଗନ୍ନାଥ ମନ୍ଦିର, ଧାକୁଲେଇ ପିଠ ପ୍ରତାପ ନଗରୀ ଏବଂ ଗାନ୍ଧୀ ସ୍ମୃତି ପିଠ ଭଳି ସ୍ଥାନଗୁଡ଼ିକରେ ମଧ୍ୟ ସ୍ବଚ୍ଛତା ଅଭିଯାନ କରାଯାଇଛି। ଏହି ଅବସରରେ ସ୍ଵଚ୍ଛତାକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ଵାନ ଦିଆଯାଇଛି ।