ଶୁଖିଲା ପଡିଛି ଦଶମୌଜା କେନାଲ, ପାଣି ଅଭାବରୁ ବାହାରି ପାରୁନି ଧାନ ଗଛରୁ ଥୋଡ଼।

4

କଟକ ( ଉତ୍କଳ ନ୍ୟୁଜ ) ୨୩-୧୦-୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ମାସେ ହେଲା ବର୍ଷା ନାହିଁ l ପାଣି ଅଭାବରୁ ଧାନ ଗଛରୁ ଥୋଡ ବାହାରି ପାରୁନାହିଁ । ଅକ୍ଟୋବର ମାସରେ ବି ପ୍ରବଳ ଖରା ହେତୁ ଧାନ କ୍ଷେତ ଶୁଖି ଫାଟି ଗଲାଣି l ଧାନ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଅପରପକ୍ଷେ ତିହିଡି଼ ବ୍ଲକର ୭ ପଞ୍ଚାୟତକୁ ଜଳ ସେଚିତ କରୁଥିବା ଦଶମୌଜା କେନାଲ ଶୁଖିଲା ପଡ଼ିଛି l ପାଣି ଅଭାବରୁ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୮ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ପ୍ରଭାବିତ ହେବା ନିଶ୍ଚିତ ହୋଇଛି l ବନ୍ୟା ଯୋଗୁ ୬ ପଞ୍ଚାୟତରେ ଖରିଫ ଧାନଚାଷ ସମ୍ପୂର୍ଣ୍ଣ ରୂପେ ଉଜୁଡ଼ି ଯାଇଥିବା ବେଳେ ଅନ୍ୟ ୬ ପଞ୍ଚାୟତରେ ଆଂଶିକ କ୍ଷତି ହୋଇଛି l ଏବେ ମରୁଡ଼ି ପରିସ୍ଥିତି ଉପୁଜିବା ନେଇ ଚାଷୀମାନଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି ହୋଇଛି।l ଗର୍ଭଣା ସଂକ୍ରାନ୍ତିକୁ କିଛି ଧାନରୁ ଥୋଡ଼ ବାହାରି ସାରିଥିବା ବେଳେ ଅନ୍ୟକିଛି ଧାନରୁ ଥୋଡ଼ ବାହାରିବା ଅପେକ୍ଷାରେ ଅଛି l ତେବେ ପାଖାପାଖି ମାସେ ହେଲା ବର୍ଷା ସମ୍ପୂର୍ଣ୍ଣରୂପେ ଛାଡ଼ି ଯାଇ ଟାଣ ଖରା ହେଉଛି। ଫଳରେ ଉଚ୍ଚା ଜମିସବୁ ଶୁଖିଯାଇ ଫାଟିଲାଣି l ସେହିସବୁ ଜମିରେ ଧାନଗଛରୁ ଥୋଡ଼ ବାହାରିବା ଅଥବା ବାହାରିଥିବା ଥୋଡ଼ରେ ଧାନ ପାକଳ ହେବା ନେଇ ସନ୍ଦେହ ଦେଖାଦେଇଛି l ଏହି ପରି ପ୍ରେକ୍ଷୀରେ କେତେକ ଚାଷୀ ଖର୍ଚ୍ଚାନ୍ତ ହୋଇ ପାଣିପମ୍ପ ସହାୟତାରେ ଚାଷଜମିକୁ ଜଳସେଚିତ କରି ଧାନକୁ ବଞ୍ଚାଇବାକୁ ଉଦ୍ୟମ ଚଳାଇଛନ୍ତି l ଅପରପକ୍ଷେ ବ୍ଲକର ତାଳପଦା, ମୁକୁନ୍ଦପୁର, ଭାଟପଡ଼ା, ଫତେପୁର, କୋହ୍ଲ, ମଙ୍ଗଳପୁର ଓ ସିନ୍ଦୋଳ ପଞ୍ଚାୟତର ଚାଷ ଜମିକୁ ଦଶମୌଜା କେନାଲ ପାଣି ଜଳସେଚିତ କରିଥାଏ l ମାତ୍ର ଠିକଣା ସମୟରେ କେନାଲ ମଧ୍ୟ ଶୁଖିଲା ପଡିଥିବାରୁ ଚାଷଜମିରେ ପାଣି ମାଡ଼ିବାର କୌଣସି ସମ୍ଭାବନା ନଥିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି l କେନାଲ କର୍ତ୍ତୃପକ୍ଷ କେନାଲରେ ପାଣି ଛାଡୁଥିଲେ ମଧ୍ୟ ତଦାରଖ ଅଭାବରୁ ଏହା ତଳ ମୁଣ୍ଡରେ ଥିବା ଧାନ କ୍ଷେତରେ ପହଞ୍ଚି ପାରୁନାହିଁ l ଏହି ପରିପ୍ରେକ୍ଷୀରେ କେନାଲରେ ଅଧିକ ପରିମାଣରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି l ଧାନ କ୍ଷେତରେ ପାଣି ଶୁଖି ଯାଇଥିବାରୁ ପୋକ ସଂଖ୍ୟା ବୃଦ୍ଧି ପାଇଛି l ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କୁ କହନ୍ତି, ବର୍ଷା ଛାଡ଼ିଯିବା ଏବଂ ଟାଣ ଖରା ହେବା ଯୋଗୁଁ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି l ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନହେଲେ ପରିସ୍ଥିତି ଜଟିଳ ହୋଇ ଅମଳ ହ୍ରାସ ହେବ । ତିହିଡିରୁ ସଂଜୟ ଦାସଂକ ରିପୋର୍ଟ ଉତ୍କଳ ନ୍ୟୁଜ |