ଜବର ଦଖଲ ଉଚ୍ଚେଦ ପାଇଁ ତିହିଡି ବଜାରରେ ଗଡିଲା ବୁଲଡୋଜର |

167

କଟକ (ଉତ୍କଳ ନ୍ୟୁଜ ) ୨୨-୦୩-୨୦୨୫ : ପ୍ରଶାସନ ତରଫରୁ ଉଚ୍ଛେଦ ପାଇଁ ବାରମ୍ବାର ନୋଟିସ୍ ପରେ ମାନିଲେନି ଭଦ୍ରକ ଜିଲ୍ଲା ତିହିଡି ବଜାରର ଜବର ଦଖଲକାରୀ । ଶେଷରେ ଗଡିଲା ବୁଲଡୋଜର । ରାସ୍ତାର ଉଭୟ ପାଶ୍ୱରେ ୧୨୩ଟି ଉଠା ଦୋକାନୀ ସମେତ ଅନ୍ୟାନ୍ୟ ଦୋକାନ ଗୃହକୁ ଭାଙ୍ଗି ଚୂରମାର କରି ଦେଇଛି । ୪ଟି ମେସିନ୍ ଲଗାଇ ଭଙ୍ଗା ଯାଇଥିଲା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ତେବେ କେତେକ ଦୋକାନୀ ସ୍ୱେଚ୍ଛେକୃତ ଭାବେ ଜବର ଦଖଲରୁ ହଟି ଯାଇଥିବା ବେଳେ ଅନେକ ଜିଦ୍ ଧରି ବସିଥିଲେ । ଅନ୍ୟପଟେ କେତେକ ଦୋକାନୀ ନିଜ ଦୋକାନକୁ ନଭାଙ୍ଗିବା ଲାଗି ହାତରେ ଅଦାଲତର ନିର୍ଦ୍ଦେଶନାମା ଧରି ବୁଲୁଥିଲେ । ସେସବୁର ସମାଧାନ କରିଛନ୍ତି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ । ସରକାରୀ ଜାଗାକୁ ଖାଲି କରିବା ଲାଗି ଆବଶ୍ୟକୀୟ ମାପଚୁପ କରି ମେସିନ୍ ଲଗାଇ ହଟାଇ ଦିଆଯାଇଛି । ସେହିପରି ଜବର ଦଖଲକାରୀଙ୍କ ଠାରୁ ଭଡା ସୂତ୍ରରେ ଦୋକାନ ଗୃହ ଚଳାଉଥିବା କେତେକ ରାସ୍ତାରେ ବସିବୁ ନଚେତ୍ ଆତ୍ମାହୂତି ଦେବୁ ବୋଲି କେତେଦିନ ଆଗରୁ ହୁଙ୍କାପିଟା କରୁଥିଲେ ହେଲେ ବୁଲଡୋଜର ଆସିବା ପରେ ସବୁ ସ୍ତବ୍ଦ ହୋଇ ଯାଇଥିଲେ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ସଂପ୍ରସାରଣ ସମୟରେ ୨୦୧୨ ମସିହାରେ ଉଠା ଦୋକାନୀମାନଙ୍କୁ କ୍ଷତି ପୂରଣ କରାଯାଇଥିଲା ଏବଂ ୨୦୨୧ ମସିହାରେ ଆରଏମସି ପକ୍ଷରୁ ୨ ଶହରୁ ଉର୍ଦ୍ଧ ଦୋକାନୀମାନଙ୍କୁ ଗୃହ ଯୋଗାଇ ଦିଆଯାଇଥିବା ତହସିଲଦାରଙ୍କ ପକ୍ଷରୁ ସୂଚନା ମିଳିଛି । ଉଚ୍ଛେଦ ପ୍ରକ୍ରିୟାରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ସମେତ ଅତିରିକ୍ତ ତହସିଲଦାର ନମିତା ଧଳ, ଭାରପ୍ରାପ୍ତ ଚାନ୍ଦବାଲି ଏସଡିପିଓ ତ୍ରିଲୋଚନ ସେଠୀ, ଭାରପ୍ରାପ୍ତ ତିହିଡ଼ି ଥାନା ଅଧିକାରିଣୀ ଅରୁନ୍ଧତୀ ବେହେରା ଓ ଅନ୍ୟମାନେ, ରାଜସ୍ୱ ସୁପରଭାଇଜର, ଆରଆଇ ଓ ଅମିନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାସନର ଏତାଦୃଶ ପଦକ୍ଷେପ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଉଠା ଦୋକାନୀ ଉଚ୍ଛେଦ ହେବା ଦ୍ୱାରା ତିହିଡ଼ି ବଜାର ବିଭିନ୍ନ ସମସ୍ୟାର ସମାଧାନ ହେବା ସହିତ ଡ୍ରେନେଜ ଓ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିବ ବୋଲି ଜଣାଯାଇଛି । ଏଠାରେ ସୂଚନା ଥାଉକି, ତିହିଡି ବଜାରଟି ସମ୍ପୂର୍ଣ୍ଣ ଜବର ଦଖଲକାରୀଙ୍କ କବ୍ଚାରେ ରହିଥିଲା । ଯାହା ଫଳରେ ଗାଡିମୋଟର ସମେତ ପଥଚାରୀଟିଏବି ସୁରୁଖୁରେ ବଜାର ଅତିକ୍ରମ କରି ପାରୁନଥିଲା । ଆମ୍ବୁଲାନ୍ସ ଓ ଦମକଳ ବାହିନୀ ଗାଡି ନିୟମିତଭାବେ ସମସ୍ୟାରେ ପଡୁଥିଲେ । ସାପ୍ତାହିକ ହାଟ ପାଳି ହେଉ ଅଥବା ପୂଜାପାର୍ବଣରେ ବଜାରରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଥିଲା । ସେସବୁକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |