ପିଏମ ଇ -ଡ୍ରାଇଭ ଯୋଜନା ଅଧୀନରେ ଓଡ଼ିଶାର ୬ଟି ସହରରେ ୧୯୦ଟି ଇଭି (EV) ଚାର୍ଜିଂ ଷ୍ଟେସନ୍ ପାଇଁ ପ୍ରସ୍ତାବ |

11

କଟକ ( ଉତ୍କଳ ନ୍ୟୁଜ ) ୨୯-୦୪-୨୦୨୬ : ୨୦୭୦ ସୁଦ୍ଧା ନେଟ୍ ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ସ୍ୱଚ୍ଛ ଗତିଶୀଳତା (Clean Mobility) ଦିଗରେ ଆଗେଇ ନେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ସାକାର କରିବା ପାଇଁ ଭାରତ ସରକାରଙ୍କ ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ (MHI) ଓ ଓଡ଼ିଶାରେ ଏଥି ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରୟାସ ଜୋରଦାର କରାଯାଇଛି। ଏହି କ୍ରମରେ PM E-DRIVE (Electric Drive Revolution in Innovative Vehicle Enhancement) ଯୋଜନାକୁ ଅଧିକ ବ୍ୟାପକ କରାଯାଉଛି। ୨୯ ସେପ୍ଟେମ୍ବର ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏହି ଯୋଜନା ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ କେବଳ ବୈଦ୍ୟୁତିକ ଯାନ ସାର୍ବଜନୀନ ଚାର୍ଜିଂ ଷ୍ଟେସନ୍ (EV PCS) ର ବିକାଶ ପାଇଁ ୨,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଇଭି ବ୍ୟବହାରକାରୀଙ୍କୁ ଚାର୍ଜ ସରିଯିବାର ଆଶଙ୍କାରୁ ଦୂର କରିବା ଏବଂ ଦେଶରେ ବୈଦ୍ୟୁତିକ ଯାନର ବ୍ୟବହାର ବଢ଼ାଇବା ପାଇଁ ଏହି ଭିତ୍ତିଭୂମି ବିକାଶ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ୬ଟି ପ୍ରମୁଖ ସହର—ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଏବଂ ପୁରୀର ୧୯୦ଟି ସ୍ଥାନରେ ଇଭି ଚାର୍ଜିଂ ଭିତ୍ତିଭୂମି ସ୍ଥାପନ ପାଇଁ ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟକୁ ଏକ ବିସ୍ତୃତ ପ୍ରସ୍ତାବ ଦିଆଯାଇଛି। ଏଥିନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ (STA) ନୋଡାଲ ଏଜେନ୍ସି ଭାବରେ ଏହି ପ୍ରସ୍ତାବ ଦାଖଲ କରିଛି। ଏହି ଚାର୍ଜିଂ ଷ୍ଟେସନ୍‌ଗୁଡ଼ିକର ସ୍ଥାପନ ପାଇଁ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (BHEL) କୁ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (PIA) ଭାବରେ ନିଯୁକ୍ତ କରାଯାଇଛି। ଭାରୀ ଶିଳ୍ପ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଶ୍ରୀ ଅମରେନ୍ଦ୍ର କିଶୋର ସିଂ, BHEL ର ଜେନେରାଲ ମ୍ୟାନେଜର ଶ୍ରୀ ଜେ.କେ. ପଟ୍ଟନାୟକ ଏବଂ ସେମାନଙ୍କ ଟିମ୍ ଏହି ପ୍ରସ୍ତାବିତ ସ୍ଥାନଗୁଡ଼ିକର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା କରିବେ। ଏହା ପରେ ଚୂଡ଼ାନ୍ତ ଅନୁମୋଦନ ଏବଂ ପାଣ୍ଠି ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ଭୁବନେଶ୍ୱରରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ, ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଓଡ଼ିଶାରେ ଇଭି ଭିତ୍ତିଭୂମିର ସମ୍ପ୍ରସାରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଏହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ଏକ ଦୃଢ଼ ଇଭି ଇକୋସିଷ୍ଟମ୍ ଗଠନ ହେବା ସହ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ। PM E-DRIVE ଯୋଜନା ମାଧ୍ୟମରେ ଭାରତକୁ ‘ଆତ୍ମନିର୍ଭର’ କରିବା ଏବଂ ପରିବେଶ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏବଂ ଏହି ଅଭିଯାନରେ ଓଡ଼ିଶା ସରକାର ମଧ୍ୟ ସକ୍ରିୟତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି ।