କଟକ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ୬୫ଯୋଡା ବରବଧୂଙ୍କ ସମୂହ ବିବାହ ସମ୍ପନ୍ନ |
କଟକ ( ଉତ୍କଳ ନ୍ୟୁଜ ) ୨୧-୦୪-୨୦୨୬ : ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ଆର୍ଥିକ ସହାୟତାରେ ସୀମିତ ନୁହେଁ, ଏହା ସମାଜରେ ଥିବା ବାଲ୍ୟବିବାହ, ଯୌତୁକ ପ୍ରଥା ଭଳି କୁପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଏବଂ କନ୍ୟାମାନଙ୍କୁ ସମ୍ମାନଜନକ ଜୀବନ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଏକ ଦୃଢ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆଜି କଟକ ବାରବାଟୀ ପ୍ୟାଲେସ ପରିସରରେ ଦ୍ଵିତୀୟ ପର୍ଯ୍ୟାୟ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିର୍ଦୋଷ ନବଦମ୍ପତିଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଗୋଟିଏ ଜାଗାରେ ଏକାଠି ହୋଇ ବିବାହକୁ ଏକ ଉତ୍ସବ ଭାବେ ପାଳନ କରୁଛନ୍ତି ଏହା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ମତ ପ୍ରକାଶ କରିଛନ୍ତି । ଏହି ଯୋଜନା ଅଧିନରେ ୧୮- ୩୫ ବର୍ଷର ଝିଅ ଏବଂ ୨୧- ୩୫ ବର୍ଷ ପୁଅ ମାନଙ୍କର ଉଭୟ ଆଇନଗତ ଓ ପାରମ୍ପରିକ ରୀତି ନୀତି ଅନୁଯାୟୀ ବିବାହ ସମ୍ପନ୍ନ କରାଯାଇଛି । ଯୋଗ୍ୟା କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଯେଉଁଥିରୁ ୪୫ ହଜାର ଟଙ୍କା ସିଧାସଳଖ ନଗଦ ହସ୍ତାନ୍ତର ମାଧ୍ୟମରେ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଛି । ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି । ଆଜିର ଏହି ସମୂହ ବିବାହ କାର୍ଯ୍ୟକ୍ରମରେ ୬୫ ଯୋଡା ବରବଧୂଙ୍କ ମଧ୍ୟରେ ୨ ଜଣ ମୁସଲିମ, ଜଣେ ଖ୍ରୀଷ୍ଟିୟାନ , ଜଣେ ବିଧବା ମହିଳା ଅନ୍ତର୍ଭୁକ୍ତ ଥିବା ବେଳେ ପୂର୍ବରୁ ବାଲ୍ୟ ବିବାହରୁ ଉଦ୍ଧାର ହୋଇଥିବା ନାବାଳିକାଙ୍କୁ ଆଇନସମ୍ମତ ବୟସ ୧୮ବର୍ଷ ପୂରଣ ପରେ ବିବାହ କରାଯାଇଛି । ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବର କନ୍ୟା ରହିଥିଲେ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଜିଲ୍ଲା ଓ ବ୍ଲକ୍ ସ୍ତରରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ପାଦିତ ହେଉଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ଉତ୍ସବରେ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶାସନିକ ସ୍ତରରେ ତତ୍ପରତାର ସହିତ ଆଗାମୀ ଦିନରେ ଏହି ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସମୂହ ପ୍ରୟାସ କରାଯିବ ବୋଲି କହିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସମସ୍ତ କାର୍ଯ୍ୟର ତଦାରଖ ଓ ସୁପରିଚାଳନା କରିବା ସହ ଏହି ଯୋଜନା ମାଧ୍ୟମରେ ଆମ ଜିଲ୍ଲାର ଅନେକ କନ୍ୟା ଲାଭ ପାଇପାରୁଛନ୍ତି ବୋଲି କହିଛନ୍ତି । ଏହି ଆର୍ଥିକ ସହାୟତା କନ୍ୟାମାନଙ୍କ ଜୀବନରେ ସୁରକ୍ଷା, ସମ୍ମାନ ଓ ସ୍ୱାବଲମ୍ବନର ମଜବୁତ୍ ଭିତ୍ତି ପ୍ରସ୍ତୁତ କରିବ ଏବଂ ବିଶେଷ ଭାବେ ବାଲ୍ୟ ବିବାହ ରୋକିବା ଓ ବିଧବା ପ୍ରଥାକୁ କୁ ସଂପୂର୍ଣ୍ଣ ରୂପେ ଲୋପ କରିବାରେ ଏହା ଏକ ଉଦାହରଣ ସୃଷ୍ଟି କରିବ ବୋଲି ଡ.ମିଶ୍ର ମତ ପ୍ରକାଶ କରିଛନ୍ତି । ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିବା ସହ କନ୍ୟା ଓ ବରପକ୍ଷର ପିତା ମାତା, ବନ୍ଧୁ ପରିଜନଙ୍କ ସହ ବହୁ ସଂଖ୍ୟାରେ ମହିଳା ଓ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଯୋଗ ଦେଇଥିଲେ ।