ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲା ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ; ୧ ଜୁଲାଇରୁ ସାମୂହିକ ଛୁଟି ଚେତାବନୀ ଦେଇଛନ୍ତି ।
କଟକ ( ଉତ୍କଳ ନ୍ୟୁଜ ) ୨୬-୦୬-୨୦୨୬ : ବିଭିନ୍ନ ଦାବି ପୂରଣକୁ ନେଇ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ଆଜି କଟକ ଜିଲ୍ଲା ଜଗତପୁର ସ୍ଥିତ ଦେବ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତାମାନେ ସରକାରଙ୍କ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି। ସଂଘର ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦିନ ଧରି ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଗୁଡ଼ିକର ସମାଧାନ ହୋଇନାହିଁ। ଏହାର ପ୍ରତିବାଦରେ ଗତ ୨୨ ଜୁନରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲ କାର୍ଯ୍ୟାଳୟରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜାରି ରହିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ସଂଘର ସଦସ୍ୟ ଓ ପ୍ରତିନିଧିମାନେ ଉପସ୍ଥିତ ରହି ଆନ୍ଦୋଳନର ରୂପରେଖା ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସଂଘ ଅଭିଯୋଗ କରିଛି ଯେ, ସରକାର ସେମାନଙ୍କ ଦାବି ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଏପରି ସ୍ଥିତିରେ ଯଦି ଶୀଘ୍ର ଦାବିଗୁଡ଼ିକ ପୂରଣ ନ କରାଯାଏ, ତେବେ ଆସନ୍ତା ୧ ଜୁଲାଇ ୨୦୨୬ ଠାରୁ ରାଜ୍ୟବ୍ୟାପୀ ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀ ସାମୂହିକ ଛୁଟିରେ ଯିବେ ବୋଲି ରାଜ୍ୟ ସଭାପତି ସୁଚନ୍ଦ୍ର ମହାନ୍ତି ,ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଅକ୍ତର, କେନ୍ଦ୍ରାଞ୍ଚଳ ଉପ ସଭାପତି ଜ୍ୟୋତିରଞ୍ଜନ ପଣ୍ଡା ,ଦକ୍ଷିଣାଞ୍ଚଳ ଉପସଭାପତି ଆର ପ୍ରଭାକର ରାଓ , ଯୁଗ୍ମ ସମ୍ପାଦକ ସୁଭାଜିଟ ମଢୁଆଳ ,କଟକ ଜିଲ୍ଲା ସଭାପତି ସଞ୍ଜୟ କୁମାର ବେହେରା ,କଟକ ଜିଲ୍ଲା ସମ୍ପାଦକ ଅରୁଣ କୁମାର ବିଶ୍ୱାଳ ,ଉପଦେଷ୍ଟା ରାମ ଚନ୍ଦ୍ର ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି ।କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ ଜିଲ୍ଲାର ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ