କଟକ ( ଉତ୍କଳ ନ୍ୟୁଜ ) ୨୪-୦୬-୨୦୨୬: ବର୍ଷା ଋତୁରେ ଡାଇରିଆ ଆଦି ଜଳବାହିତ ରୋଗକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ପୁଷ୍ପିତା ମହାନ୍ତି ସୂଚନା ଦେଇଛନ୍ତି ଯେ ,ଡାଇରିଆର ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସତର୍କ କରାଯାଇଛି । ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହି ଅଭିଯାନ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଆଶାକର୍ମୀମାନେ ଘରକୁ ଘର ବୁଲି ପ୍ରତ୍ୟେକ ଘରେ ୨ଟି ଓଆରଏସ ପାଉଡର ପ୍ରଦାନ କରିବେ ଓ ଯେଉଁ ଘରେ ୫ବର୍ଷ ବୟସର ପିଲା ଥିବେ ତାଙ୍କୁ ଆଉ ଗୋଟିଏ ଓଆରଏସ ପ୍ୟାକେଟ ଓ ୨ଟି ଜିଙ୍କ ବଟିକା ବଣ୍ଟନ କରିବେ । ଏଥି ସହ ବିଦ୍ୟାଳୟରେ ଓ ପରିବାର ସଦସ୍ୟ ମାନଙ୍କୁ ହାତ ଧୋଇବାର ଶୈଳୀ ଓ ଓଆରଏସର ପ୍ରସ୍ତୁତି ସହ ବୟସ ଅନୁସାରେ ସେବନ ଓ କେତେ ସମୟ ରହିବ ସେ ସମ୍ପର୍କରେ ବୁଝାଇବେ । ଜିଲ୍ଲାରେ ୫ବର୍ଷର ପିଲା ସଂଖ୍ୟା ୧,୫୩,୯୭୭ ଜଣଙ୍କୁ ଏହି ଡାଇରିଆ ନିରାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର,ମେଡିକାଲ ମାନଙ୍କରେ ଓଆରଏସ କର୍ଣ୍ଣର କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି । ଏହା ବ୍ୟତିତ ଜୁନ ୨୮ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ବର୍ଷର ପିଲାମାନଙ୍କୁ ପଲସ୍ ପୋଲିଓ ବୁନ୍ଦା ଦିଆଯିବ । ପ୍ରଥମ ଦିନ ୧୧୫୬ଟି ବୁଥ ଓ ପରଦିନ ଘର ଘର ବୁଲି କାର୍ଯ୍ୟକ୍ରମ କରାଯିବ । ଡାଇରିଆର କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଓଆରଏସ୍ ସେବନ କରିବା ସହ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଗଗନ ବିହାରୀ ପତି , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଚିନ୍ତାମଣି ମିଶ୍ର ,ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଲେପ୍ରୋସୀ ଡଃ ଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।