ଯାତ୍ରୀବାହି ବସ ଓ ବାଇକ୍ ଦୁର୍ଘଟଣା, ଅକାଳରେ ଝଡିଗଲା ଦୁଇ ଜୀବନ |

16

କଟକ ( ଉତ୍କଳ ନ୍ୟୁଜ ) ୨୧-୦୪-୨୦୨୬ : ଭଦ୍ରକ-ଚାନ୍ଦବାଲି ଜାତୀୟ ରାଜପଥ ଚାନ୍ଦବାଲି ବ୍ଲକ ମହୁଲିଆ ଛକ ନିକଟରେ ଘଟିଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଯାତ୍ରୀବାହି ବସ ଓ ବାଇକ୍ ଧକ୍କାରେ ଅକାଳରେ ଝଡିଗଲା ଦୁଇ ଅମୁଲ୍ୟ ଜୀବନ । ମୃତକ ମହୁଲିଆ ପଞ୍ଚାୟତ ଅଧିନ ବାଲିପାଟଣା ଗ୍ରାମର ଅମିତ ବେହେରା ଓ ଗଣେଶ ବେହେରା ବୋଲି ଜଣା ଯାଇଛି । ବୁଧବାର ସଂଧ୍ୟା ପ୍ରାୟ ୭ ଘଟିକା ସମୟରେ ଉଭୟ ଏକ ବାଇକ୍ ଯୋଗେ ଚାନ୍ଦବାଲିରୁ ଘରକୁ ଫେରୁଥିବା ବେଳେ ଚାନ୍ଦବାଲି ଅଭିମୁଖେ ଯାଉଥିବା ଜୟ ମା’ ତାରିଣୀ ନାମକ ଏକ ଯାତ୍ରୀବାହି ବସ ସହିତ ଏପରି ଦୁର୍ଘଟଣାର ଶିକାର ହୋଇଥିଲେ । ରାସ୍ତା କଡରେ ଅସାଧୁ ବେପାରୀଙ୍କ ବାଲି ପଡିଥିବା ଏବଂ ରାସ୍ତା କଡରେ ଏକସଂଗେ ଅନ୍ଧାରରେ ୩ଟି ସିମେଣ୍ଟ ବୋଝେଇ ଟ୍ରକ୍ ଅନ୍‌ଲୋଡ ହେଉଥିବା ଏପରି ଦୁର୍ଘଟଣାକୁ ଟାଣି ନେଇଥିଲା । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତିବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ଦୁର୍ଘଟଣାଗ୍ରସ୍ଥ ବସକୁ ଅଟକ ରଖିଥିଲେ । ରାସ୍ତାରେ ଟାୟାର ଜାଳି ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରା ଯାଇଥିଲା । ଖବର ପାଇ ଚାନ୍ଦବାଲି ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ପୋଲିସ ଦୁର୍ଘଟଣା ଘଟାଇଥିବା ଯାତ୍ରୀବାହି ବସକୁ ଜବତ୍ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ଚାନ୍ଦବାଲି ପଠାଇଥିଲା ।

ଗୁରୁବାର ପୂର୍ବାହ୍ନରେ ଚାନ୍ଦବାଲିରେ ବ୍ୟବଚ୍ଛେଦ କରାଯିବା ପରେ ଅପରାହ୍ନରେ ଶୋକାକୁଳ ପରିବେଶରେ ଗାଁରେ ଅନ୍ତିମ ସତ୍କାର କରାଯାଇଛି । ସୂଚନା ଥାଉକି, ମୃତକ ଅମିତ ଭୁବନେଶ୍ୱରରେ ଏକ ବ୍ୟବସାୟ କରନ୍ତି । ସେ ଗାଁକୁ ବୁଲିବାକୁ ଆସିଥିଲେ । ତାଙ୍କ ପରବାର ସମେତ ୯ମାସର ଏକ ସନ୍ତାନ ଅଛି । ସେହିପରି ଗଣେଶ ଚାନ୍ଦବାଲି ବଜାରରେ ଏକ ହୋଟେଲ କରି ପରିବାର ଚଳାନ୍ତି । ତାଙ୍କର ୧୪ ବର୍ଷର ଏକ ପୁଅ ଓ ୨ ବର୍ଷର ଏକ ଝିଅ ଅଛନ୍ତି । ଉଭୟଙ୍କ ମୃତ୍ୟୁରେ ପରିବାର ସମେତ ଗ୍ରାମବାସୀ ମ୍ରିୟମାଣ ହୋଇ ଯାଇଛନ୍ତି । ସରକାରୀ ସ୍ତରରେ ସେମାନଙ୍କ ପରିବାରକୁ ଥଇଥାନ କରିବାକୁ ସାଧାରଣରେ ଦାବୀ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |