ଓଡ଼ିଶା ପ୍ରେସ ଆଣ୍ଡ ମିଡିଆ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳନ |

33

କଟକ (ଉତ୍କଳ ନ୍ୟୁଜ ) ୨୮-୦୧-୨୦୨୬ : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ିଶା ପ୍ରେସ ଆଣ୍ଡ ମିଡିଆ ଟ୍ରଷ୍ଟ ପକ୍ଷରୁ ଜାତୀୟ ମତଦାତା ଦିବସ କଲେଜ ଛକଠାରେ ପାଳନ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଟକ ମୁନିସିପାଲ କର୍ପୋରେସନର ୫୦ନଂ ୱାର୍ଡ କର୍ପୋରେଟର ସନ୍ତୋଷ କୁମାର ଭୋଳ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସହପ୍ରତିଷ୍ଠାତା ଅଧ୍ୟାପକ ଡକ୍ଟର ଓଁକାର ରାଉତ ପ୍ରାରମ୍ଭିକ ସୂଚନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ I ରେଭେନ୍ଶା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସୁପ୍ରଭା ରାଉତ ମୁଖ୍ୟବକ୍ତା ରୂପେ ଯୋଗଦେଇ ମତଦାତାମାନଙ୍କ ଅଧିକାର, ଦାୟିତ୍ୱ ଓ କର୍ତବ୍ୟ ସମ୍ବନ୍ଧରେ ନିଜର ଅଭିଭାଷଣ ରଖିବା ସହିତ ମତଦାତାମାନଙ୍କୁ ସଚେତନ କରାଇଥିଲେ I ନିମନ୍ତ୍ରିତ ଅତିଥି ଭାବରେ ସ୍ଥାନୀୟ କର୍ପୋରେଟର ଶୁଭାଶିଷ କୁମାର ପଟ୍ଟନାୟକ ଓ ସମାଜସେବୀ ଅଂଜନ ଜେନା ଯୋଗଦେଇ ମତଦାତା ଦିବସ ପାଳନର ମହତ୍ୱ ଓ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାତାଙ୍କ ଭୂମିକା ସମ୍ପକରେ ଆଲୋଚନାକରି ନିଜର ବକ୍ତବ୍ୟ ରଖିଥିଲେ I ଅନୁଷ୍ଠାନର ସମ୍ପାଦକ ପ୍ରିୟ ରଂଜନ ମହାପାତ୍ର ନିଜର ଅଭିଭାଷଣ ରଖିବା ସହିତ ଉପସ୍ଥିତ ମତଦାତାଙ୍କୁ ମତଦାନର ସଂକଳ୍ପ ପାଠ କରାଇଥିଲେ I ମୁଖ୍ୟବକ୍ତା ସୁପ୍ରଭା ରାଉତଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଓ ଭାରତର ସମ୍ବିଧାନ ପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ କିଶୋର କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାସହିତ ସାମ୍ପ୍ରତିକ ଭାରତରେ ମତଦାନ ସମ୍ପର୍କିତ ବିଷୟ ଓ ରାଜନୀତି ଉପରେ ଏହାର ପ୍ରଭାବ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ବିମଳ ପ୍ରସାଦ ଜେନା, ରାମେଶ୍ୱରୀ ସାହୁ, ତନୁଶ୍ରୀ ବାରିକ, ସୁପ୍ରିୟା ରାଉତ, ଯୋଗେଶ ଶର୍ମା, ପ୍ରୀତ ବୁବୁନା, ଶରତ କୁମାର ପାତ୍ର, ସମେତ ସି ଏମ ସି ୩୮ ଓ ୩୯ ୱାର୍ଡର ଅନେକ ମତଦାତା ଯୋଗଦେଇଥିଲେ I ଶେଷରେ ଅନୁଷ୍ଠାନର ସହସମ୍ପାଦକ ରାକେଶ କୁମାର ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ।