ବୟସର ଅପରାହ୍ନରେ କଳା ନୈପୁଣତା ପ୍ରଦର୍ଶନ କରି ପାରୁଛନ୍ତି ହରିବନ୍ଧୁ |

149

କଟକ (ଉତ୍କଳ ନ୍ୟୁଜ ) ୧୨-୦୧-୨୦୨୬ : ବଣମଲ୍ଲୀ ବଣରେ ଫୁଟି ମଉଳି ଯାଏ । କେହି କେବେ ତା ର ମହତ୍ୱ ବୁଝି ପାରନ୍ତି ନାହିଁ । ଠିକ୍ ସେମିତି ବୟସର ଅପରାହ୍ନରେ ପହଁଚିଥିବା ମଣିଷ ଜୀବନଯାକ କଳ ନୈପୁଣତା ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ଏଯାବତ ସୁପରିଚିତ ହୋଇ ପାରିନାହାଁନ୍ତି । ଗୀତ ଗାଇବା ସହିତ ବାଦ୍ୟଯନ୍ତ୍ର ବଜାଇ ପାରୁଛନ୍ତି । ଏକଧାରରେ ତବଲା, ହାରମୋନି, ଏସରାଜ, ବଇଁଶୀ, ସାହାନାଇ ଓ ଭାଓଲିନ୍ ଆଦି ଅତି ସୁଦକ୍ଷଭାବେ ବଜାଇ ପାରୁଛନ୍ତି । କେବଳ ସେତିକି ନୁହେଁ ବରଂ ସେସବୁର ଶିକ୍ଷା ଦେଇ ପାରୁଛନ୍ତି ଅନ୍ୟମାନଙ୍କୁ । ସେ ହେଉଛନ୍ତି ହରିବନ୍ଧୁ ସାହୁ, ବୟସ ୭୮ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ଚନ୍ଦ୍ରକାଟବିନ୍ଧା ଗାଁର ତାଙ୍କ ଘର । ପିଲାଦିନରୁ କଳା ପ୍ରତି ଆଶକ୍ତି ଥିଲା । ପିତା ସ୍ୱର୍ଗତ ଜଗବନ୍ଧୁ ସାହୁଙ୍କ ଠାରୁ ଶିକ୍ଷାର୍ଜନ କରି ଜଣେ ଦକ୍ଷ କଳାକାର ହୋଇ ପାରିଛନ୍ତି । ଭାଓଲିନ୍ ତାଙ୍କର ଥିଲା ସାଧନା । ଯାହାକୁ ନେଇ ସେ ଆକାଶବାଣୀ କଟକ ଓ ଦୂରଦର୍ଶନରେ କଳା ପ୍ରଦର୍ଶନ କରିବାରେ ସୁଯୋଗ ପାଇଥିଲେ । ଏପରିକି ଆକାଶବାଣୀରେ ଚାକିରୀ ମଧ୍ୟ କରିଥିଲେ । ମାତ୍ର ପିତାଙ୍କ ଅସୁସ୍ଥତା ହେତୁ ତାହା ଛାଡିବାକୁ ପଡିଥିଲା । ପରେ ଭଦ୍ରକସ୍ଥିତ ମନମୋହନ ସଂଗୀତ ପରିଷଦରେ ଶିକ୍ଷାଦାନ କରିଥିଲେ ।

ପରେ ବିଭିନ୍ନ ଶିକ୍ଷା ଓ କଳା ଅନୁଷ୍ଠାନ ଶିକ୍ଷାଦାନ କରିଥିଲେ ଏବଂ ଶେଷରେ ପ୍ରାୟ ୨୦ ବର୍ଷକାଳ ରାନ୍ଦିଆ ଡିପିଏସ ବିଦ୍ୟାପୀଠରେ ମ୍ୟୁଜିକ୍ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ପରେ ଭଦ୍ରକରେ ରହୁଥିଲେ । ତେବେ ତାଙ୍କର କେତେକ ଛାତ୍ର ତାଙ୍କୁ ଭେଟି ଗାଁରେ ରହିବାକୁ ପରାମର୍ଶ ଦେଇଥିଲେ । ବିଗତ କିଛି ବର୍ଷ ହେଲା ଗାଁରେ ରହି ଶିକ୍ଷାଦାନ କରୁଛନ୍ତି । ରବିବାର ଓ ଛୁଟିଦିନରେ ପିଲାମାନେ ଆସିଥାନ୍ତି ଶିକ୍ଷାର୍ଜନ କରିବା ପାଇଁ । ତାଙ୍କୁ ନେଇ ବିନ୍ଧାବଜାରରେ ଗଢି ଉଠିଛି ଜଗବନ୍ଧୁ ସଂଗୀତ ପରିଷଦ । ପୂରାତନ ଛାତ୍ରମାନଙ୍କର ସହଯୋଗରେ ହରିବନ୍ଧୁ ସଂପ୍ରତି ବେଶ ଖୁସି ଅଛନ୍ତି । କଳାରେ ତାଙ୍କ ଉତ୍ସାହ ଓ ଉଦ୍ଦୀପନା ଜାରିର ରହିଛି । ତେବେ ହରିବନ୍ଧୁଙ୍କ ଏପରି କଳା ଲୋକଲୋଚନକୁ ଆସିପାରିଲେ ସର୍ବଦା ଚୀର ସ୍ମରଣୀୟ ହୋଇ ରହି ପାରନ୍ତେ ବୋଲି ଆଶା ପ୍ରକଟ କରିଛନ୍ତି ପୂୂରାତନ ଛାତ୍ର । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |