କଟକ (ଉତ୍କଳ ନ୍ୟୁଜ ) ୬-୦୧-୨୦୨୬ : ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତ ବାର୍ତ୍ତା ଓ ଉତ୍ସବ ପାଳନ ଆୟୋଜନ ନିମନ୍ତେ ଏକ ରଥର ଶୁଭାରମ୍ଭ କରାଯାଇଅଛି।ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ,ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଏହି ବାର୍ତ୍ତା ରଥର ଶୁଭାରମ୍ଭ କରିଥିଲେ। ଆଜିଠାରୁ ଏହି ରଥ ସଦର ଉପଖଣ୍ଡର ବିଭିନ୍ନ ବ୍ଲକ ପରିଭ୍ରମଣ ଆରମ୍ଭ କରି ଚଳିତ ମାସ ୧୨ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ପରିକ୍ରମା କରି ବିଶେଷକରି କଟକ ଜିଲ୍ଲାର ସମଗ୍ର ସେଚାଞ୍ଚଳର ସ୍ଥିରୀକୃତ ପ୍ରମୁଖ ସ୍ଥାନମାନଙ୍କୁ ମୁଖ୍ୟ ରାସ୍ତାକୁ ସଂଯୋଗ କରି ପାଣି ପଞ୍ଚାୟତ ବାର୍ତ୍ତା ପ୍ରଦାନ କରିବ। ପ୍ରକାଶ ଥାଉକି ଆମ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଚଳିତ ବର୍ଷ ୬-୧-୨୦୨୬ ଠାରୁ ୨୦-୧-୨୦୨୬ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ବାର୍ତ୍ତା ରଥର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉପସ୍ଥିତ ଥିବାବେଳେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ପୂର୍ବାଞ୍ଚଳ ଜଳସେଚନ ମଣ୍ଡଳ-୧, ଶ୍ରୀ ସୁଶାନ୍ତ କୁମାର ମୁନା, ଅଧିକ୍ଷଣ ଯନ୍ତ୍ରୀ, ମହାନଦୀ ଉତ୍ତର ବିଭାଜନ,ଜଗତପୁର,ଶ୍ରୀ ସନ୍ଦୀପ କୁମାରଙ୍କ ସମେତ ଜଳସେଚନ ବିଭାଗୀର ସମ୍ପୃକ୍ତ ଯନ୍ତ୍ରୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରେ ପରେ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟରେ ସଚେତନତାପୂର୍ବକ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାଣି ପଞ୍ଚାୟତ ଉପାଦେୟତା ତଥା ଚାଷ କ୍ଷେତ୍ରମାନଙ୍କରେ ପାଣି ପଞ୍ଚାୟତର ଭୂମିକା ବିଷୟରେ କୃଷକମାନଙ୍କ ସହ ଭାବ ବିନିମୟ ହୋଇଥିଲା। ଏହି ପକ୍ଷ ପାଳନ ଅବସରରେ ସଦର ବ୍ଲକ ସମେତ ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା, ଟାଙ୍ଗୀ-ଚୌଦ୍ଵାର ଆଦି ଅଞ୍ଚଳମାନଙ୍କରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଣିପଞ୍ଚାୟତ ସମ୍ପର୍କିତ ଚିତ୍ରାଙ୍କନ, ବତ୍କୃତା, କୁଇଜ୍, ରଚନା ଆଦି ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।